ଇସଲାମାବାଦ: ପାକିସ୍ତାନ ରାଜନୀତିରେ ବର୍ଷ ବର୍ଷ ଧରି ଆଲୋଚନା ହେଉଥିବା ଏକ ଗୁପ୍ତ ବାର୍ତ୍ତା ବା ‘ସାଇଫର’ ଏବେ ପୁଣି ମୁଖ୍ୟ ଖବର ପାଲଟିଛି। ଏହି କଥିତ ଗୁପ୍ତ ଡକ୍ୟୁମେଣ୍ଟର ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ପାକିସ୍ତାନର ତତ୍କାଳୀନ ଆମେରିକା ରାଷ୍ଟ୍ରଦୂତ ଅସଦ ମାଜିଦ ଖାନ ଏବଂ ଆମେରିକୀୟ ବିଦେଶ ବିଭାଗର ବରିଷ୍ଠ ଅଧିକାରୀ ଡୋନାଲ୍ଡ ଲୁଙ୍କ ମଧ୍ୟରେ ହୋଇଥିବା ଏକ ବାର୍ତ୍ତାଳାପ ରେକର୍ଡ କରାଯାଇଛି। ଏହି ସାଇଫରକୁ ନେଇ ଇମ୍ରାନ ଖାନ ଦାବି କରୁଥିଲେ ଯେ ତାଙ୍କ ସରକାରଙ୍କର ପତନ ପଛରେ ବିଦେଶୀ ଚାପ ରହିଛି। ସାଇଫରକୁ ଆମେରିକୀୟ ନ୍ୟୁଜ୍ ୱେବସାଇଟ୍, ଡ୍ରପ୍ ସାଇଟ୍ ଦ୍ୱାରା ୩ ପୃଷ୍ଠାର ଗୁପ୍ତ ବାର୍ତ୍ତା ପ୍ରକାଶିତ କରାଯାଇଛି।
ଏହି ବୈଠକ ୭ ମାର୍ଚ୍ଚ ୨୦୨୨ ରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ବାର୍ତ୍ତା ଇସଲାମାବାଦରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟକୁ ପଠାଯାଇଥିଲା। କଥାବାର୍ତ୍ତାର ଆରମ୍ଭରେ, ଡୋନାଲ୍ଡ ଲୁ ରୁଷ-ୟୁକ୍ରେନ ସଙ୍କଟ ଉପରେ ପାକିସ୍ତାନର ନୀତି ଉପରେ ପ୍ରଶ୍ନ ଉଠାଇଥିଲେ। ସାଇଫର ଅନୁଯାୟୀ, ସେ କହିଥିଲେ, ଆମେରିକା ଏବଂ ୟୁରୋପର ଲୋକମାନେ ବୁଝିପାରୁନାହାନ୍ତି ଯେ ପାକିସ୍ତାନ କାହିଁକି ନିରପେକ୍ଷ ମନୋଭାବ ଗ୍ରହଣ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ପ୍ରଶାସନ ଅନୁଭବ କରେ ଯେ ଏହି ନୀତି ସିଧାସଳଖ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର। ତାଙ୍କ ନୀତି ଇସଲାମାବାଦର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ସହିତ ଜଡିତ ଏବଂ ପ୍ରଧାନମନ୍ତ୍ରୀ ଏକ ‘ସାର୍ବଜନୀନ ଭାବମୂର୍ତ୍ତି’ ଦେଖାଇବାକୁ ଚେଷ୍ଟା କରୁଛନ୍ତି। ଇମ୍ରାନଙ୍କ ମସ୍କୋ ଗସ୍ତ ନେଇ ସମସ୍ୟାଥିବା ସେ କହିଥିଲେ। ଯଦି ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସଫଳ ହୁଏ, ତେବେ ୱାସିଂଟନରେ ସବୁକିଛି କ୍ଷମା କରାଯିବ। ନଚେତ୍, ଆହୁରି ଅସୁବିଧା ସୃଷ୍ଟି ହୋଇପାରେ। ଏହାକୁ ଆଧାର କରି ଇମ୍ରାନ ଖାନ ଅଭିଯୋଗ କରିଥିଲେ ଯେ ତାଙ୍କ ସରକାରକୁ ଭାଙ୍ଗିବା ପାଇଁ ଆମେରିକାର ଚାପ ଥିଲା।ସାଇଫର ଅନୁଯାୟୀ, ଡୋନାଲ୍ଡ ଲୁ ଏହା ମଧ୍ୟ କହିଛନ୍ତି ଯେ ଯଦି ଇମ୍ରାନ ଖାନ କ୍ଷମତାରେ ରୁହନ୍ତି, ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଏବଂ ୟୁରୋପ ଉଭୟରେ ଲୋକପ୍ରିୟତା ବୃଦ୍ଧି ପାଇପାରେ। ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେହି ସମୟରେ ମସ୍କୋ ଗସ୍ତ କରିଥିଲେ ଯେତେବେଳେ ରୁଷ ଫେବ୍ରୁଆରି ୨୦୨୨ ରେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା, ଯାହା ଆମେରିକାକୁ କ୍ରୋଧିତ କରିଥିଲା ବୋଲି ଏଥିରେ ଉଲ୍ଲେଖ ରହିଛି।
ସୌଜନ୍ୟ ସମ୍ବାଦ