ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୨୦୨୦ ଦିଲ୍ଲୀ ଦଙ୍ଗା ଅଭିଯୁକ୍ତ ଉମର ଖାଲିଦ ଏବଂ ଶାର୍ଜିଲ ଇମାମଙ୍କୁ ଜାମିନ ନାମଞ୍ଜୁର କରିବା ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନାର୍କୋ-ଆତଙ୍କବାଦ ମାମଲାର ଅଭିଯୁକ୍ତ ଜମ୍ମୁ ଏବଂ କାଶ୍ମୀରର ସୟଦ ଇଫତିଖାର ଆନ୍ଦ୍ରାବିଙ୍କୁ କୋର୍ଟ ଜାମିନ ପ୍ରଦାନ କରାଯାଇଥିବାବେଳେ ଖାଲିଦ ଏବଂ ଶାର୍ଜିଲଙ୍କ ଜାମିନ ନାମଞ୍ଜୁର କରାଯିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ୟୁଏପିଏ ଏବଂ ଏନଡିପିଏସ୍ ଆଇନ ଅନୁଯାୟୀ ଅଭିଯୋଗର ସମ୍ମୁଖୀନ ହୋଇଥିବା ଆନ୍ଦ୍ରାବୀଙ୍କୁ ମୁକ୍ତ କରିବା ସମୟରେ, ସୁପ୍ରିମକୋର୍ଟ ତାଙ୍କର ବିଚାର ବିନା ଦୀର୍ଘ କାରାଦଣ୍ଡକୁ ଏକ କାରଣ ଭାବରେ ଉଲ୍ଲେଖ କରିଥିଲେ। ଜୁନ୍ ୨୦୨୦ ରେ ଆନ୍ଦ୍ରାବୀଙ୍କୁ ଗିରଫ କରାଯାଇଥିଲା।
ସୁପ୍ରିମକୋର୍ଟ କହିଛନ୍ତି, ୟୁଏପିଏ ମାମଲାରେ ମଧ୍ୟ ‘ଜାମିନ ହେଉଛି ନିୟମ ଏବଂ ଜେଲ ହେଉଛି ବ୍ୟତିକ୍ରମ’ ନୀତି ପ୍ରଯୁଜ୍ୟ। ଜାନୁଆରି ମାସରେ, ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଗୁଲଫିଶା ଫାତିମା, ମୀରାନ ହାଇଦର, ଶିଫା-ଉର-ରେହମାନ, ମହମ୍ମଦ ସଲିମ ଖାନ ଏବଂ ଶାଦାବ ଅହମ୍ମଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ, ଯେତେବେଳେ ମାମଲାର ମୁଖ୍ୟ ଅଭିଯୁକ୍ତ ଉମର ଖାଲିଦ ଏବଂ ଶାରଜିଲ ଇମାମଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ଉଭୟ ସେପ୍ଟେମ୍ବର ୨୦୨୦ ରୁ ଜେଲରେ ଅଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁ ନ୍ୟାୟିକ ନୀତି ଅନୁଯାୟୀ ଆନ୍ଦ୍ରାବିଙ୍କୁ ଜାମିନ ଦିଆଯାଉଛି ତାହା ତିନି ଜଣିଆ ଖଣ୍ଡପୀଠ ଦ୍ୱାରା ସ୍ଥିର କରାଯାଇଥିଲା। ଉମର ଖାଲିଦଙ୍କ ମାମଲାରେ, ଦୁଇ ଜଣିଆ ଖଣ୍ଡପୀଠ ସେହି ନୀତିକୁ ଅନୁସରଣ କରି ନଥିଲେ।ବିଚାରପତି ବି.ଭି. ନାଗାରତ୍ନା ଏବଂ ବିଚାରପତି ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ତାଙ୍କ ନିଷ୍ପତ୍ତିରେ ଉମର ଖାଲିଦ ଏବଂ ଶାରଜିଲ ଇମାମଙ୍କୁ ଜାମିନ ନାମଞ୍ଜୁର କରିବା ନେଇ ଅନ୍ୟ ଏକ ଖଣ୍ଡପୀଠର ନିଷ୍ପତ୍ତି ସହିତ ମତଭେଦ ପ୍ରକାଶ କରିଛନ୍ତି। ଜାମିନ ହେଉଛି ନିୟମ ଏବଂ ଜେଲ୍ ହେଉଛି ବ୍ୟତିକ୍ରମ। ଏହା ଧାରା ୨୧ ଏବଂ ୨୨ର ଏକ ସାମ୍ବିଧାନିକ ସିଦ୍ଧାନ୍ତ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୌଜନ୍ୟ ସମ୍ବାଦ

