Odisha Market: ମାସିକ ଅଭିବୃଦ୍ଧିରେ ଦେଶରେ ଅଗ୍ରଣୀ: ଓଡ଼ିଶାରେ ୭୮,୫୬୮ କୋଟିର ବଜାର

ସ୍ମାର୍ଟଫୋନ୍‌ର ବ୍ୟବହାର ବଢ଼ିବା, ଡିଜିଟାଲ୍‌ ସେବା ସହଜରେ ଉପଲବ୍ଧ ହେବା ଓ ମୋବାଇଲ୍‌ ଆପ୍‌ ଜରିଆରେ ନିବେଶ ସହଜ ହେବା ସହ ଓଡ଼ିଶାରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଏକ ପ୍ରମୁଖ ନିବେଶ ମାଧ୍ୟମ ଭାବେ ଉଭା ହୋଇଛି। ବହୁ ସଂଖ୍ୟାରେ ନିବେଶକ ଏଥିରେ ନିବେଶ କରୁଛନ୍ତି। ବିଶେଷ କରି ଭୁବନେଶ୍ବର, କଟକ ଓ ରାଉରକେଲାରେ ନିବେଶକ ଅଧିକ ସଂଖ୍ୟାରେ ରହିଛନ୍ତି। ଏହା ବ୍ୟତୀତ ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ଓ ଜୟପୁରରେ ମଧ୍ୟ ନିବେଶକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି। ଭାରତୀୟ ମ୍ୟୁଚୁଆଲ୍‌ ଫଣ୍ଡ ସଂଘ (ଆମ୍‌ଫି)ର ୨୦୨୬ ଫେବ୍ରୁଆରି ତଥ୍ୟ ଅନୁସାରେ ଓଡ଼ିଶାରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ପରିଚାଳନା ଅଧୀନ ସମ୍ପତ୍ତି (ଏୟୁଏମ୍‌) ୭୮,୫୬୮ କୋଟି ଟଙ୍କା ରହିଛି। ରାଜ୍ୟର ମୋଟ୍‌ ଘରୋଇ ଉତ୍ପାଦ (ଜିଏସ୍‌ଡିପି)କୁ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଏୟୁଏମ୍‌ର ଅନୁପାତ ଦେଶର ଅନ୍ୟତମ ସର୍ବାଧିକ। ମାସିକ ଏୟୁଏମ୍‌ ବୃଦ୍ଧିରେ ଓଡ଼ିଶା ନିୟମିତ ଭାବେ ଜାତୀୟ ତାଲିକାର ଶୀର୍ଷ ସ୍ଥାନରେ ରହୁଛି।

ଓଡ଼ିଶାର ନିବେଶକମାନଙ୍କ ମଧ୍ୟରୁ ୬୬ ପ୍ରତିଶତ ଇକ୍ବିଟି ଆଧାରିତ ସ୍କିମ୍‌ରେ ନିବେଶ କରିଛନ୍ତି। ଅବଶିଷ୍ଟ ନିବେଶକମାନେ ଡେବ୍‌ଟ ସ୍କିମ୍‌କୁ ନିଜର ପସନ୍ଦ ଭାବେ ଚୟନ କରିଛନ୍ତି। ସିଷ୍ଟମେଟିକ୍‌ ଇନଭେଷ୍ଟ୍‌ମେଣ୍ଟ୍‌ ପ୍ଲାନ୍‌ (ଏସ୍‌ଆଇପି) ଜରିଆରେ ନିବେଶ କରିବାକୁ ଓଡ଼ିଶାବାସୀ ଅଧିକ ପସନ୍ଦ କରୁଛନ୍ତି। କାରଣ ସେଥିରେ ବଜାରର ସ୍ବଳ୍ପକାଳୀନ ଅସ୍ଥିରତାକୁ ସହଜରେ ଏଡ଼ାଇହେବ ବୋଲି ସେମାନେ ଭାବୁଛନ୍ତି। ‌ତେବେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ସହ ତୁଳନା କରିବା ବେଳେ ଓଡ଼ିଶା କିନ୍ତୁ ଏୟୁଏମ୍‌ ଦୃଷ୍ଟିରୁ ବହୁତ ପଛରେ ରହିଛି। ମହାରାଷ୍ଟ୍ରର ମ୍ୟୁଚୁଆଲ୍‌ ଫଣ୍ଡ୍‌ ଏୟୁଏମ୍‌ ୩୪,୨୪,୨୯୯ କୋଟି ଟଙ୍କା, ନୂଆଦିଲ୍ଲୀର ୬,୬୩,୧୭୧ କୋଟି ଟଙ୍କା, ଗୁଜରାଟର ୫,୬୯,୮୭୦ କୋଟି ଟଙ୍କା, କର୍ଣ୍ଣାଟକର ୫,୭୬,୮୩୫ କୋଟି ଟଙ୍କା, ଉତ୍ତରପ୍ରଦେଶର ୩,୯୧,୮୧୦ କୋଟି ଟଙ୍କା, ପଶ୍ଚିମବଙ୍ଗର ୩,୯୯,୨୩୩ କୋଟି ଟଙ୍କା ଓ ତାମିଲନାଡୁରେ ୩,୭୬,୪୬୩ କୋଟି ଟଙ୍କା ରହିଛି। ସର୍ବଭାରତୀୟ ସ୍ତରରେ ଅଧିକାଂଶ ନିବେଶକ ଇକ୍ବିଟି ସ୍କିମ୍‌ରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି।

ଏହା ଦର୍ଶାଉଛି ଯେ ଦୀର୍ଘକାଳୀନ ଲକ୍ଷ୍ୟ ରଖି ସେମାନେ ନିବେଶ କରୁଛନ୍ତି। ଅଳ୍ପ ରିସ୍କ ଓ ଅଳ୍ପ ରିଟର୍ଣ୍ଣ ଆଶା କରୁଥିବା ନିବେଶକମାନେ ଡେବ୍‌ଟରେ ନିବେଶ କରୁଛନ୍ତି। ରାଜ୍ୟରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ ନିବେଶ କିଛି ନିର୍ଦ୍ଦିଷ୍ଟ ବର୍ଗ ମଧ୍ୟରେ ସୀମିତ ନାହିଁ। ମହିଳା ଉଦ୍ୟୋଗୀ, ଗୃହିଣୀ, ପେସାଦାର, ବେତନଭୋଗୀ, ଉଦ୍ୟୋଗୀ, କ୍ଷୁଦ୍ର ବ୍ୟବସାୟୀ, ଛାତ୍ରଛାତ୍ରୀ, ବୟସ୍କ ବ୍ୟକ୍ତି, କର୍ପୋରେଟ୍‌ ସଂସ୍ଥା ଓ ଅତି ଧନୀ ନାଗରିକ ଭଳି ସମାଜର ପ୍ରାୟ ସବୁ ବର୍ଗର ଲୋକ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ କରୁଛନ୍ତି। ସେଥିପାଇଁ ପ୍ରତି ମାସରେ ରାଜ୍ୟର ନିବେଶ ପରିମାଣ ଦ୍ରୁତ ଗତିରେ ବଢ଼ୁଛି। ଦେଶର ପ୍ରାୟ ସବୁ ପ୍ରମୁଖ ମ୍ୟୁଚୁଆଲ ଫଣ୍ଡ୍‌ କମ୍ପାନି ଓଡ଼ିଶାରେ ନିଜର ଶାଖା ଖୋଲି ସେବା ଯୋଗାଇ ଦେଉଛନ୍ତି।

 

 

 

ସୌଜନ୍ୟ ସମ୍ବାଦ