stale-dahibara ଅଇଁଠା ଦହିବରା ଗୋଟାଇ ପୁଣି ବିକୁଥିଲେ, ଛେଚାଖାଇଲେ ଦୋକାନୀ

ଚମ୍ପୁଆ: ରୁଟିରେ ଛେପ ପକାଇ ବିକ୍ରି କରୁଥିବା, ନର୍ଦ୍ଦମା ପାଣିରେ ପରିବା ଧୋଇ ବିକ୍ରି କରୁଥିବା, ଫଳରସରେ ଦୂଷିତ ଜଳ କିମ୍ବା ମୂତ୍ର ମିଶାଇ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଓଡ଼ିଶାରେ ଛେଳି ମାଂସ ବୋଲି ଗାଈ ମାଂସ ବିକ୍ରି କରୁଥିବା ଅଭିଯୋଗ ହୋଇଛି। କିନ୍ତୁ କିଛି ଟଙ୍କା ପାଇଁ ଲୋକମାନେ ଖାଇ ଫିଙ୍ଗି ଦେଇଥବା ଖାଦ୍ୟକୁ ଗୋଟାଇ ପୁଣି ଗ୍ରାହକଙ୍କୁ ବିକ୍ରି କରୁଥିବା ଭଳି ଘୃଣ୍ୟ ବେଉସା ଓଡ଼ିଶାରେ ପ୍ରଥମ ଥର ପାଇଁଦେଖିବାକୁ ମିଳିଛି। ଚମ୍ପୁଆ ଠାରେ ଏକ ଦହିବରା ଦୋକାନୀ ଏଭଳି କାରନାମା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୋକଙ୍କ ଠାରୁ ନିର୍ଘାତ ମାଡ଼ ଖାଇବା ପରେ  ପୁଲିସ ଓ ଏନ୍ଏ‌ସି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

aintha dahibara1

ସୂଚନା ଅନୁଯାୟୀ, ଚମ୍ପୁଆ ବସ୍ ଷ୍ଟାଣ୍ଡ ସାମ୍ନା ରାସ୍ତା କଡ଼ରେ ରମାକାନ୍ତ ଖୁଣ୍ଟିଆଙ୍କ ଏକ ଦହିବରା ଦୋକାନି ରହିଛି। ଦିନେ-ଦୁଇଦିନ ପୂର୍ବେ ଏକ ଭିଡ଼ିଓ ହ୍ବାଟସ୍‌ଅପ୍‌ ଗ୍ରୁପ୍‌ ଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ ଦୋକାନୀ ଜଣକ ଗ୍ରାହକମାନେ ଦହିବରା ଖାଇ ଫିଙ୍ଗିଥିବା ବରାଗୁଡ଼ିକୁ ଗୋଟାଇ ପୁଣି ଦହିବରା ହାଣ୍ଡିରେ ପକାଉଥିଲା। ଗତକାଲି ଏହି ଭିଡିଓକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

aintha dahibara2

ରବିବାର ପୂର୍ବାହ୍‌ଣରେ ଦହିବରା ଦୋକାନୀ ନିଜର ବେଉସା ପାଇଁ ଦୋକାନ ଖୋଲିବାରେ ଲୋକମାନେ ଜମା ହୋଇଯାଇଥଲେ। ଗ୍ରାହକଙ୍କୁ ବିଶ୍ବାସଘାତ କରି ଏଭଳି ଘୃଣ୍ୟ କାମ କରିଥିବାରୁ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ।

aintha dahibara3

ସୂଚନା ପାଇଁ ଚମ୍ପୁଆ ପୁଲିସ ଓ ଏନ୍‌ଏସିର ଖାଦ୍ୟ ସୁରକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୋକାନୀଙ୍କ ଦୁଇ ଚକିଆ ଯାନ ସହ ବିକ୍ରି ପାଇଁ ରଖାଯାଇଥିବା ସମସ୍ତ ଦହିବରା ଓ ଅନ୍ୟାନ୍ୟ ସାମଗ୍ରୀକୁ ପ୍ରଶାସନ ପକ୍ଷରୁ ଜବତ କରାଯିବାପରେ ପ୍ରସ୍ତୁତ ଖାଦ୍ୟ ନଷ୍ଟ କରାଯାଇଛି ।

 

 

 

 

ସୌଜନ୍ୟ ସମ୍ବାଦ