ଚନ୍ଦ୍ରଶେଖରପୁର: ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ କରିବା ଓ ସେଲ୍ଫି ଉଠାଇବା ନିଶାରେ ଆଜିକାଲି ବହୁ ଯୁବକଯୁବତୀଙ୍କ ଜୀବନ ଚାଲିଯାଉଥିବା ଘଟଣା ନୂଆ ହୋଇ ରହିନାହିଁ। ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଓ ସତର୍କ ସୂଚନା ଜାରି କରାଯାଉଥିଲେ ହେଁ ରିଲ୍ସ ନିଶାରେ ପାଗଳ ଯୁବପିଢ଼ି ଚେତୁନାହାନ୍ତି। ଆଜି ସେମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ବର ରେଳ ଷ୍ଟେସନ୍ରେ। ରାଜସ୍ଥାନର ଜଣେ ଛାତ୍ର ରାମେଶ୍ବର ଦୋଶୋରା (୧୯) ଟ୍ରେନ୍ ବଗି ଛାତରେ ଚଢ଼ି ରିଲ୍ସ କରୁଥିବାବେଳେ ହାଇ ଭୋଲ୍ଟେଜ୍ (୩୩ ହଜାର କିଲୋ ଭୋଲ୍ଟ) ବିଦ୍ୟୁତ୍ ଲାଇନ୍ ଆଘାତରେ ଗୁରୁତର ହୋଇପଡ଼ିଛନ୍ତି।
ଦରପୋଡ଼ା ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି
ସେ ଟ୍ରେନ୍ ବଗି ଛାତରୁ ତଳକୁ ଖସିପଡ଼ି ବଞ୍ଚିଯାଇଥିଲେ ହେଁ ତାଙ୍କ ଅବସ୍ଥା ସଂକଟାପନ୍ନ ବୋଲି ଭୁବନେଶ୍ବର ଏମ୍ସ ପକ୍ଷରୁ ସୂଚନା ମିଳିଛି। ଇନ୍ଫୋସିଟି ଛକସ୍ଥିତ କେନ୍ଦ୍ର ସରକାରଙ୍କ ଧନ୍ଦାମୂଳକ ଶିକ୍ଷାକେନ୍ଦ୍ର (ସିଟିଟିସି)ରେ ରାମେଶ୍ବର ତାଲିମ ନେଉଛନ୍ତି। ଖରାଦିନ ଛୁଟି ହୋଇଯିବାରୁ ଆଜି ସେ ଜଣେ ସାଙ୍ଗ ସହିତ ନିଜ ଘରକୁ ରାଜସ୍ଥାନ ଯାଉଥିଲେ। ମଞ୍ଚେଶ୍ବର ଷ୍ଟେସନ୍ରୁ ସେମାନେ ଟ୍ରେନ୍ ଧରିବାର ଥିଲା। ଘରକୁ ଫେରୁଥିବାରୁ ସେମାନେ ଖୁସିରେ ମସ୍ଗୁଲ ଥିଲେ। ଟ୍ରେନ୍ ଆସି ନଥିବାରୁ ଦୁଇ ସାଙ୍ଗ ଷ୍ଟେସନ୍ର ବିଭିନ୍ନ ପ୍ଲାଟଫର୍ମରେ ବୁଲିବୁଲି ରିଲସ୍ ସୁଟିଂ କରୁଥିଲେ।
ସୌଜନ୍ୟ ସମ୍ବାଦ

