Commonwealth: ରାଜ୍ୟଗୋଷ୍ଠୀ‌ ଚେସ୍‌ ରନର୍‌ ଅପ୍‌: ସାତ୍ତ୍ବିକଙ୍କୁ ରୌପ୍ୟ ସହ ୩ ପଦକ

ଭୁବନେଶ୍ବର: ଓଡ଼ିଶାରେ ଚେସ୍‌ ମହୋତ୍ସବ ଚାଲିଥିବାବେଳେ ଶ୍ରୀଲଙ୍କାରୁ ରାଜ୍ୟ‌ ଖେଳ ଦୁନିଆ ପାଇଁ ଆସିଛି ବଡ଼ ଖବର। ଉଦୀୟମାନ ପ୍ରତିଭା ସାତ୍ତ୍ବିକ ସ୍ବାଇଁ ଗୋଟିଏ ରୌପ୍ୟ ପଦକ ସହ ୩ ପଦକ ଜିତି ରାଜ୍ୟ ତାଥା ଦେଶ ପାଇଁ ଗୌରବ ଆଣିଛନ୍ତି। ୧୦ ବର୍ଷରୁ କମ୍‌ ଓପନ୍‌ ବର୍ଗରେ ସାତ୍ତ୍ବିକ ରନର୍‌ ଅପ୍‌ ହୋଇ ରୌପ୍ୟ ପଦକ ପାଇଥିଲେ। ରୢାପିଡ୍‌ ଓ ବ୍ଲିଜ୍‌ ବିଭାଗରେ ତୃତୀୟ ସ୍ଥାନ ଦଖଲ କରି ଆଉ ଦୁଇଟି କାଂସ୍ୟ ପଦକ ହାସଲ କରିଥିଲେ। ସୋମବାର ଶେଷ ହୋଇଥିବା ଏହି ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ପ୍ରାଧାନ୍ୟ ବିସ୍ତାର କରି ୧୧ ସ୍ବର୍ଣ୍ଣ ସହ ୨୨ ପଦକ ଜିତିଛନ୍ତି। ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ଓଡ଼ିଶା ଆଇଏମ୍‌ ସ୍ବୟଂଶୁ ସତ୍ୟପ୍ରଜ୍ଞ ଶ୍ରୀଲଙ୍କା ଗସ୍ତ କରିଥିବାରୁ ରାଜ୍ୟ ଚେସ୍‌ ଦୁନିଆର ଖୁସି ଦୁଇଗୁଣା ହୋଇଯାଇଛି। ଉଭୟଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି।

ଭାରତୀୟ ଦଳ ପ୍ରଶିକ୍ଷକ ସ୍ବୟଂଶୁ ସତ୍ୟପ୍ରଜ୍ଞଙ୍କ ସହ ସାତ୍ତ୍ବିକ ସ୍ବାଇଁ

ଗତ ଏକ ସପ୍ତାହ ଧରି ଚାଲିଥିବା ଏହି ପ୍ରତିଯୋଗିତାର ୧୦ ବର୍ଷରୁ କମ୍‌ ଓପନ୍‌ ବର୍ଗରେ ଦୁଇ ଭାରତୀୟ ବାଳକ ସାତ୍ତ୍ବିକ ଏବଂ ଅମିଧାନ ଏସ୍‌ ତମିଜ ୯ ରାଉଣ୍ଡ୍‌ରୁ ସମାନ ୮.୫ ପଏଣ୍ଟ୍‌ ପାଇଥିଲେ। ବୁକହୋଲ୍‌ଜ ସ୍କୋରିଂରେ କିନ୍ତୁ ଶୀର୍ଷମାନ୍ୟତାପ୍ରାପ୍ତ ସାତ୍ତ୍ବିକ ଦ୍ବିତୀୟ ସ୍ଥାନରେ ରହିଥିଲେ। ଭୁବନେଶ୍ବର କିଙ୍ଗ୍‌ ଚେସ୍‌ ସେଣ୍ଟର୍‌ରୁ ବିଶ୍ବଜିତ ରାୟଙ୍କ ଅଧୀନରେ ଖେଳ ଜୀବନ ଆରମ୍ଭ କରିଥିଲେ। ବିଶ୍ବ ପ୍ରତିଯୋଗିତାରେ କ୍ରମାଗତ ଭାବେ ଚମକ ଛାଡ଼ି ସମସ୍ତଙ୍କ ନଜରକୁ ଆସିିଥିଲେ। ସାତ୍ତ୍ବିକଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି କିଙ୍ଗ୍‌ ଚେସ୍‌‌ ସେଣ୍ଟରର ପ୍ରତିଷ୍ଠାତା ବିଶ୍ବଜିତ ରାୟ ପ୍ରକାଶ କରିଛନ୍ତି। ସାତ୍ତ୍ବିକଙ୍କୁ ରାଜ୍ୟ ଓ ଜିଲ୍ଲା ସଂଘର କର୍ମକର୍ତାଙ୍କ ସହିତ ଟ୍ରିପଲ୍‌ ସି ଚେସ୍‌ କ୍ଲବ୍‌ର ସମ୍ପାଦକ ବିରଞ୍ଜି ନାରାୟଣ ସାହୁ, ଉପସଭାପତି ଅର୍ଘ୍ୟ ଅର୍ପଣ ପରିଡ଼ା ଏବଂ ପ୍ରଶିକ୍ଷକ ପ୍ରଶାନ୍ତ ଜେନା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

 

 

 

ସୌଜନ୍ୟ ସମ୍ବାଦ