ପାରାଦୀପ ଢିଙ୍କିଆରେ ହେବ ବୃହତ୍ତ ଇସ୍ପାତ ପ୍ରକଳ୍ପ, JSW ଉତ୍କଳ ଷ୍ଟିଲ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ପାରାଦୀପ ୨୭।୫: ଜଗତସିଂହପୁର ଜିଲ୍ଲା ପାରାଦୀପ ଢିଙ୍କିଆ ଠାରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ପ୍ରସ୍ତାବିତ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରକଳ୍ପର ୫ଟି ନୂତନ ୟୁନିଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୁଧବାର ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ପାରାଦୀପ ଠାରେ ପହଞ୍ଚି ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଦିଲ୍ଲୀରେ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥାଇ ମଧ୍ୟ ତାକୁ ପଛରେ ପକାଇ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ମୁଁ ଦିଲ୍ଲୀରୁ ସିଧା ଏଠାକୁ ଆସିଲି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ । ଜେଏସଡବ୍ଲ୍ୟୁ ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ ପାଇଁ ଓଡ଼ିଶାକୁ ବାଛିଥିବାରୁ କମ୍ପାନୀର ଅଧ୍ୟକ୍ଷ ସଜନ ଜିନ୍ଦଲଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଦୀର୍ଘ ଦୁଇ ଦଶନ୍ଧି ଧରି ସ୍ଥାନୀୟ ଲୋକମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ଆମ ସରକାର ପୂରଣ କରିଛି ବୋଲି କହିବା ସହ ନିର୍ଦ୍ଧାରିତ ସମୟର ଦୁଇ ବର୍ଷ ପୂର୍ବରୁ ଆମେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛୁ । ଏହି ଶିଳ୍ପର ତ୍ବରିତ ବିକାଶ ସହ ସ୍ଥାନୀୟ ଅଞ୍ଚଳର ଯୁବକ-ଯୁବତୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାକୁ ଜେଏସଡବ୍ଲୁ ଅଧ୍ୟକ୍ଷଙ୍କୁ କହିଥିଲେ ।

JSW ଗ୍ରୁପ୍ ପୂର୍ବରୁ ଘୋଷଣା କରିଥିବା ତଥ୍ୟ ଅନୁଯାୟୀ, ପାରାଦୀପରେ ପ୍ରାୟ ୧୩.୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଏକ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରାୟ ୬୫ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ରହିଛି । ୨୯୫୮ ଏକର ଜମିରେ ପ୍ରକଳ୍ପଟି ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏଥିରେ ଷ୍ଟିଲ୍ ଉତ୍ପାଦନ ସହିତ ସିମେଣ୍ଟ, ପାୱାର ଏବଂ ପୋର୍ଟ ଆଧାରିତ ଅନ୍ୟାନ୍ୟ ଶିଳ୍ପ ସୁବିଧା ମଧ୍ୟ ବିକଶିତ ହେବାର ଯୋଜନା ରହିଛି ।

ଏହି ପ୍ରକଳ୍ପ ମାଧ୍ୟମରେ ହଜାର ହଜାର ସ୍ଥାନୀୟ ଯୁବକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି । ଏଥିସହ ସଡ଼କ, ପାଣି, ବିଦ୍ୟୁତ ଓ ବନ୍ଦର ସଂଯୋଗ ଭଳି ମଧ୍ୟ ବ୍ୟାପକ ଉନ୍ନତି ଆସିବ ବୋଲି କମ୍ପାନୀର ଅଧ୍ୟକ୍ଷ ସଜନ ଜିନ୍ଦଲ କହିଛନ୍ତି । ଏହି ସ୍ଥାନରେ ଅନେକ ଶିଳ୍ପ ସଂସ୍ଥାର ନଜର ଥିବା ସହ ଅତୀତରେ ଅନେକ ଶିଳ୍ପ ସଂସ୍ଥା ଏଠାକୁ ଆସି ଫେରି ଯାଇଛନ୍ତି । କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହା ଜେଏସଡବ୍ଲୁ ଭାଗ୍ୟରେ ଥିଲା ବୋଲି ସଜନ ଜିନ୍ଦଲ କହିବା ସହ ଦେଶରେ ମୋଟ୍ ୩ଶହ ବିଲିୟନ ଟନ୍ ମଧ୍ୟରୁ ପାରାଦୀପରେ ୫୦ ପ୍ରତିଶତ ଷ୍ଟିଲ ଉତ୍ପାଦନ ହେବ ବୋଲି ସେ କହିଥିଲେ । ସ୍ଥାନୀୟ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଟ୍ରେନିଂ ସେଣ୍ଟର କରିବା ସହ ମୁଁ ହନୁମାନ ହୋଇ ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବୁ ବୋଲି କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ବିଭୁପ୍ରସାଦ ତରାଇ, ବିଧାୟକ ସାରଦା ଜେନା, ବିଧାୟକ ଅମରେନ୍ଦ୍ର ଦାସଙ୍କ ସହ ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ କମ୍ପାନୀ କର୍ମକର୍ତ୍ତା ମାନେ ଯୋଗଦେଇ ଆଗାମୀ ଦିନରେ ଏହି ପ୍ରକଳ୍ପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ ।

ସୌଜନ୍ୟ Prameya News7