Village: ଟିକିବା କନ୍ଧପଡ଼ାରେ ‘ବିଶ୍ୱାସର ଧାନବ୍ୟାଙ୍କ’: ଗାଁ’କୁ ଭୋକ ଓ ଦାଦନ ସମସ୍ୟାରୁ ମୁକ୍ତି ଦେଇଛି

ରାଜେନ୍ଦ୍ର ନାୟକ
ଜମନକିରା: ସମ୍ୱଲପୁର ଜିଲ୍ଲା ଜମନକିରା ବ୍ଲକ୍ ଟିକିବା କନ୍ଧପଡ଼ା ଗାଁରେ ରହୁଛନ୍ତି ୪୦ଟି ଆଦିବାସୀ ପରିବାର। ବହୁ ବର୍ଷ ଧରି ଏହି ଗାଁରେ ଏକ ନିଆରା ଧାନବ୍ୟାଙ୍କ ଚାଲିଛି। ଏଠାରେ ଟଙ୍କା ନୁହେଁ, ଧାନ ହିଁ ସମ୍ପଦ। ଫସଲ ସମୟରେ ପ୍ରତ୍ୟେକ ପରିବାର ନିଜ ଅମଳରୁ କିଛି ଧାନ ଏହି ବ୍ୟାଙ୍କରେ ଜମା କରନ୍ତି। ଆଉ ଯେତେବେଳେ କୌଣସି ପରିବାରର ଅଭାବ ଅନଟନ ହୁଏ କିମ୍ବା ହଠାତ୍ ଧାନ କି ଚାଉଳର ଆବଶ୍ୟକତା ପଡ଼େ, ସେମାନେ ଏଠାରୁ ଧାର ସୂତ୍ରରେ ଧାନ ନିଅନ୍ତି। ଯେତିକି ନେବେ, ତା’ଠାରୁ କିଛି ଧାନ ଅଧିକ ଦେଇ ଠିକ୍ ସମୟରେ ଫେରସ୍ତ କରିବାକୁ ହେବ। ଏହି ଅତିରିକ୍ତ ଧାନ ହିଁ ବ୍ୟାଙ୍କର ପୁଞ୍ଜି ବଢ଼ାଏ ଓ ଆଗାମୀ ଦିନରେ ଆଉ କାହାକୁ ସାହାଯ୍ୟ କରିବା କାମରେ ଆସେ। ଏହି ଧାନବ୍ୟାଙ୍କର ସୁପରିଚାଳନା ପାଇଁ ଗାଁର ଯୁବକମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। କାହାର ଅସୁବିଧା ହେଲେ ସେ ସିଧା କମିଟି ନିକଟକୁ ଜଣାନ୍ତି। କମିଟି ଆଲୋଚନା କରି ଆବଶ୍ୟକ ଅନୁଯାୟୀ ଧାନ ଦିଏ। କେହି କେବେ ହିସାବ (ଓଜନ)ରେ ଠକେଇ କରନ୍ତି ନାହିଁ। ଗାଁର ଜଣେ ବୟସ୍କ ବ୍ୟକ୍ତି ଶ୍ୟାମସୁନ୍ଦର ବେହେରା କହିଛନ୍ତି, ‘ଏହା କେବଳ ଧାନ କାରବାର ନୁହେଁ, ଏହା ଆମ ଭାଇଚାରାର ବ୍ୟାଙ୍କ। ଯେତେବେଳେ ଗୋଟିଏ ପରିବାରରେ ଅସୁବିଧା ହୁଏ, ପୂରା ଗାଁ ଛିଡ଼ା ହୋଇଯାଏ।’ ଆଜିର ଯୁଗରେ ଯେତେବେଳେ ସମ୍ପର୍କ ଭାଙ୍ଗୁଛି, ଟିକିବା କନ୍ଧପଡ଼ା ଗାଁର ଏହି ଧାନବ୍ୟାଙ୍କ ଦେଖାଉଛି ଯେ ବିଶ୍ୱାସ ଥିଲେ ଗାଁ ସମାଜ ନିଜେ ନିଜର ସୁରକ୍ଷା ବ୍ୟବସ୍ଥା କରିପାରେ।
କନ୍ଧପଡ଼ା (ଟିକିବା) ଗାଁ ଏକଦା ଜମନକିରା ଅଞ୍ଚଳରେ ଭାଗବତ ଚର୍ଚ୍ଚା ପାଇଁ ପ୍ରସିଦ୍ଧ ଥିଲା। ସନ୍ଧ୍ୟା ହେଲେ ସ୍ୱର୍ଗତ ବାଣେଶ୍ୱର ଝାଙ୍କର ଓ ସାରଥି ଝାଙ୍କରଙ୍କ ମୃଦଙ୍ଗ, ତବଲା ମାଡ଼ରେ ଗାଁ ଦାଣ୍ଡ ପ୍ରକମ୍ପିତ ହେଉଥିଲା। କିନ୍ତୁ ଏହି ଆଧ୍ୟାତ୍ମିକ ସୁଅ ତଳେ ଚାପି ହୋଇ ରହିଥିଲା ଏକ କ୍ରୂର ସତ୍ୟ। ପ୍ରାୟ ୪୫ ବର୍ଷ ତଳର କଥା। ସେ ସମୟରେ ଟିକିବା ଗାଁରେ ଧନୀ ଗୌନ୍ତିଆଙ୍କ ଶାସନ ଚାଲିଥିଲା। ସେତେବେଳେ ମାତ୍ର ୧ ଟଙ୍କାରେ ୧୬ ପଉଟି (ଖଣ୍ଡି) ଧାନ ମିଳୁଥିଲା। କିନ୍ତୁ ଗରିବଙ୍କ ପାଇଁ ସେହି ଗୋଟିଏ ଟଙ୍କା ରୋଜଗାର କରିବା ମଧ୍ୟ ସ୍ୱପ୍ନ ଥିଲା।
ଭାଗବତ ଟୁଙ୍ଗିରୁ ମୁକ୍ତିର ସ୍ବର, ଅସୁବିଧା ସମୟରେ ସଭିଏଁ ଏକ
ଗୌନ୍ତିଆମାନେ ନିରୀହ ଗ୍ରାମବାସୀଙ୍କୁ କମ୍ ମଜୁରି ଦେଇ ଦିନରାତି ଖଟାଉଥିଲେ। ଏହି ଅତ୍ୟାଚାରରେ ଅତିଷ୍ଠ ହୋଇ କନ୍ଧପଡ଼ାର ସମସ୍ତ ଗରିବ ପରିବାର ଏକାଠି ହେଲେ। ଗାଁର ଭାଗବତ ଟୁଙ୍ଗି ସଭାରେ ବସି ନିଷ୍ପତ୍ତି ନେଲେ, ଶୋଷଣ ଆଗରେ ଆଉ ମୁଣ୍ଡ ନୁଆଁଇବେ ନାହିଁ। ନିଜ ଗୋଡ଼ରେ ନିଜେ ଛିଡ଼ାହେବା ପାଇଁ ପ୍ରତି ପରିବାର ପ୍ରତି ମାସରେ ଗୋଟିଏ ମାଣ ଲେଖାଏଁ ଚାଉଳ ସଞ୍ଚୟ କରିବେ। ଯେତେବେଳେ କାହା ଘରେ ଚୁଲି ଜଳିବନି କିମ୍ବା କେହି ଭୋକ ଉପାସରେ ରହିବେ, ସେତେବେଳେ ଏହି ଚାଉଳ ସେମାନଙ୍କ ପେଟକୁ ଦାନା ଦେବ।
ଏହି ନିଷ୍ପତ୍ତି କନ୍ଧପଡ଼ା ଗାଁକୁ ଭୋକ ଓ ଦାଦନ ସମସ୍ୟାରୁ ମୁକ୍ତି ଦେଲା। ଏହି ବ୍ୟବସ୍ଥାକୁ ସୁଚାରୁରୂପେ ଚଳାଇବା ପାଇଁ ଗ୍ରାମବାସୀ ଦୁଇଜଣଙ୍କୁ ସଭାପତି ଓ ସମ୍ପାଦକ ଭାବେ ବାଛନ୍ତି। ବର୍ତ୍ତମାନର ସଭାପତି ଧରଣୀଧର ବେହେରା ଓ ସମ୍ପାଦକ ଦୁର୍ଯ୍ୟୋଧନ ପ୍ରଧାନ ଏହି ଧାନ ଜମାର ସମ୍ପୂର୍ଣ୍ଣ ହିସାବ ରଖୁଛନ୍ତି। ଗାଁରୁ ଯେଉଁମାନେ ଆବଶ୍ୟକ ସମୟରେ ଚାଉଳ ନିଅନ୍ତି, ସେମାନେ ଖଣ୍ଡିଏ ଚାଉଳକୁ ୫ ମାଣ ହିସାବରେ ସୁଧ ସହ ଚାଉଳ ଫେରାନ୍ତି। ଏଠାରେ ଖଣ୍ଡିଏ କହିଲେ ୨୦ ତାମ୍ବି ଚାଉଳକୁ ବୁଝାଏ। ପ୍ରତିବର୍ଷ ବାର୍ଷିକ ବୈଠକରେ ଗ୍ରାମବାସୀଙ୍କ ସାମନାରେ ଏହାର ସ୍ୱଚ୍ଛ ହିସାବ ଦିଆଯାଏ। ଦିନେ ଯେଉଁ ଗାଁ ଶୋଷଣର କଳାବାଦଲ ତଳେ ଛଟପଟ ହେଉଥିଲା, ଆଜି ସେହି କନ୍ଧପଡ଼ା ନିଜର ଏକତା ଓ ଆତ୍ମନିର୍ଭରଶୀଳତା ପାଇଁ ଏକ ବଡ଼ ଉଦାହରଣ ସାଜିଛି।
ସୌଜନ୍ୟ ସମ୍ବାଦ




