Resignation: ବାଲେନ୍ ଶାହଙ୍କ ଇସ୍ତଫା ଦାବି କଲେ ଛାତ୍ର ଓ ବିରୋଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ବାଲେନ ଶାହ ନେପାଳୀ ସଂସଦରେ ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦଏକପାଖିଆ ପ୍ରସଙ୍ଗ ନୁହେଁ ବୋଲି କହିବା ପରେ ନେପାଳରେ ରାଜନୀତି ତୀବ୍ର ହୋଇଛି। ବାଲେନ ଶାହଙ୍କର ମନ୍ତବ୍ୟ ନେପାଳରେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ବିରୋଧୀ ଦଳ ଓ ଛାତ୍ରମାନେ ବାଲେନଙ୍କ ଇସ୍ତଫା ଦାବି କରିଛନ୍ତି। ଜେନ୍ ଜି ଆନ୍ଦୋଳନ ଯୋଗୁ ନେପାଳରେ କ୍ଷମତାକୁ ଆସିଥିବା ବାଲେନ ଶାହ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ମାତ୍ର କିଛି ମାସ ପରେ ବ୍ୟାପକ ବିରୋଧର ସମ୍ମୁଖୀନ ହେଉଛନ୍ତି। ଏହି ବିବାଦ ପୁଣିଥରେ ଭାରତ-ନେପାଳ ସୀମା ପ୍ରସଙ୍ଗ, ବିଶେଷକରି କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରା ଅଞ୍ଚଳ ପ୍ରତି ଦୃଷ୍ଟି ଆକର୍ଷଣ କରିଛି। କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରା ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବାରମ୍ବାର ଦୋହରାଇଛି।
ରିପୋର୍ଟ ଅନୁଯାୟୀ ଶାହ ଉଭୟ ଦେଶକୁ ଏହି ମାମଲାର ସମାଧାନପାଇଁ ଐତିହାସିକ, ସର୍ବେକ୍ଷକ ଓ ବିଶେଷଜ୍ଞଙ୍କ ଉପରେ ନିର୍ଭର କରିବାକୁ ଅନୁରୋଧ କରିଥିଲେ, ଭାରତ ସହିତ ଆଦାନପ୍ରଦାନ ହୋଇଥିବା କୂଟନୈତିକ ବାର୍ତ୍ତାକୁ ଉଲ୍ଲେଖ କରିଥିଲେ ଓ ଉପନିବେଶବାଦ ଯୁଗର ମାନଚିତ୍ର ଯୋଗୁଁ ବ୍ରିଟେନର ସମ୍ପୃକ୍ତି ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ତେବେ ମଙ୍ଗଳବାର ଭାରତ ସରକାର ଏକ ବିବୃତି ଜାରି କରି ଭାରତ-ନେପାଳ ସୀମା ପ୍ରସଙ୍ଗରେ ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ ବୋଲି କହିଥିଲେ।
ବିବାଦ ପୁଣିଥରେ ଭାରତ-ନେପାଳ ସୀମା ପ୍ରସଙ୍ଗ।
‘ଦି କାଠମାଣ୍ଡୁ ପୋଷ୍ଟ’ ରିପୋର୍ଟ କରିଛି ଯେ, ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ବିରୋଧରେ ଛାତ୍ର ସଂଗଠନଗୁଡ଼ିକ ସୋମବାର କାଠମାଣ୍ଡୁର ମୈତିଘର ମଣ୍ଡଳରେ ପ୍ରତିବାଦ କରିଥିଲେ। ବାଲେନ ଶାହ ଦେଶ ବିରୋଧୀ ବୟାନ ଦେଇଥିବା ଅଭିଯୋଗ ଆଣି ପ୍ରଦର୍ଶନକାରୀମାନେ ଦେଶର ସାର୍ବଭୌମତ୍ବ ରକ୍ଷା କରିବା ଦାବିରେ ଏକାଠି ହୋଇଥିଲେ। ପୃଥକ ଭାବରେ ନେପାଳୀ କଂଗ୍ରେସ ସହିତ ଜଡିତ ତରୁଣ ଦଳ ମୈତିଘର ମଣ୍ଡଳଠାରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରିଥିଲା। ସେମାନେ ଏହାକୁ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱହୀନ ମନ୍ତବ୍ୟ ବୋଲି ବର୍ଣ୍ଣନା କରିଥିବା କଥାକୁ ନିନ୍ଦା କରିଥିଲେ। ବିରୋଧୀ ଦଳ ଓ ଅନ୍ୟାନ୍ୟ ଗୋଷ୍ଠୀମାନେ ଶାହଙ୍କ ବକ୍ତବ୍ୟକୁ ସୀମା ପ୍ରସଙ୍ଗରେ ନେପାଳର ଦୀର୍ଘକାଳୀନ ସ୍ଥିତିକୁ ଦୁର୍ବଳ କରୁଥିବା ଭାବରେ ଦେଖିଥିଲେ।
କାଠମାଣ୍ଡୁ ପୋଷ୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ନେପାଳ ଭାରତର ଭୂଭାଗକୁ ନିଜ ଅଧୀନରେ ରଖିବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଭାରତ ସହିତ କାଠମାଣ୍ଡୁର ଆଲୋଚନାକୁ ଦୁର୍ବଳ କରିଦେଇଛି। ସଂସଦରେ, ସାଂସଦମାନେ ବିରୋଧ କରିବାରୁ ଉଭୟ ପ୍ରତିନିଧି ସଭା ଓ ନାସନାଲ ଆସେମ୍ବ୍ଲି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବିରୋଧୀ ସଦସ୍ୟମାନେ କ୍ଷମା ପ୍ରାର୍ଥନା ଓ ସରକାରୀ ରେକର୍ଡରୁ ଶାହଙ୍କ ମନ୍ତବ୍ୟ ହଟାଇବା ପାଇଁ ଦାବି କରିଥିଲେ।
ପରେ ନେପାଳର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ରଖିଥିଲା। ଭାରତ-ନେପାଳ-ଚୀନ୍ ତ୍ରି-ସଂଯୋଗ ନିକଟରେ ହିମାଳୟ କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ଦୀର୍ଘ ଦିନ ଧରି ଏକ କ୍ଷେତ୍ରୀୟ ବିବାଦ ରହିଆସିଛି। ଏହି ଅଞ୍ଚଳ ପ୍ରାୟ ୩୭୦ ବର୍ଗ କିଲୋମିଟର ବ୍ୟାପିଛି ଓ ଏଥିରେ କାଲାପାନି, ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଲିପୁଲେଖ ଗିରିପଥ ଓ ଲିମ୍ପିୟାଧୁରା ରହିଛି।
ସୌଜନ୍ୟ ସମ୍ବାଦ




