ୱାସିଂଟନ: ଆମେରିକାର ଏକ ସରକାରୀ ପରୀକ୍ଷାଗାରର ଦୁଇଜଣ ବୈଜ୍ଞାନିକଙ୍କ ବିରୋଧରେ କଙ୍ଗୋରୁ ନିଷ୍କ୍ରିୟ ମଙ୍କିପକ୍ସ ଭାଇରସ୍ର ଶିଶି(ଭାଏଲ୍) ଆଣିବା ଏବଂ ଭାଇରସ୍ ବିଷୟରେ ବିମାନବନ୍ଦର ଅଧିକାରୀଙ୍କୁ ମିଛ କହିଥିବା ଅଭିଯୋଗ ହୋଇଛି। ଭିନସେଣ୍ଟ ମୁନଷ୍ଟର ଏବଂ କ୍ଲାଉଡ୍ କ୍ୱାଏଙ୍କ ବିରୋଧରେ ଏଭଳି ଅଭିଯୋଗ କରାଯାଇଛି। ପ୍ୟାରିସରୁ ଉଡ଼ାଣ କରି କଙ୍ଗୋ ଗଣରାଜ୍ୟରେ ନଅ ଦିନ ବିତାଇବା ପରେ ମୁନଷ୍ଟର ଏବଂ କ୍ୱାଏଙ୍କୁ ଜାନୁଆରିରେ ଡେଟ୍ରଏଟ୍ ମେଟ୍ରୋପଲିଟାନ୍ ବିମାନବନ୍ଦରରେ ଅଟକାଯାଇଥିଲା। ସେଠାରେ ନଅ ଦିନ ବିତାଇବା ପରେ ସେମାନେ ଆମେରିକା ଫେରି ଆସିଥିଲେ। ବିମାନବନ୍ଦରରେ ସେମାନଙ୍କର ଯାଞ୍ଚ କରାଯାଇଥିଲା କିନ୍ତୁ ସେମାନେ ମଙ୍କିପକ୍ସ ଭାଇରସର ଭାଏଲ୍ ଆଣିଥିବା ମନା କରିଥିଲେ। ଡେଟ୍ରଏଟ୍ର ଫେଡେରାଲ୍ କୋର୍ଟ ଅନୁଯାୟୀ, ଭିନସେଣ୍ଟ ମୁନଷ୍ଟର ମୋଣ୍ଟାନାର ହାମିଲଟନ୍ର ରକି ମାଉଣ୍ଟେନ୍ ଲାବୋରେଟୋରିଜ୍ର ଭାଇରସ୍ ଇକୋଲୋଜି ସେକ୍ସନର ମୁଖ୍ୟ ଏବଂ କ୍ଲାଉଡ୍ କ୍ୱାଏ ତାଙ୍କ ସହିତ କାମ କରନ୍ତି।
କଙ୍ଗୋରେ ମେନିଙ୍ଗୋକୋକାଲ୍ ରୋଗର ପ୍ରାଦୁର୍ଭାବ ଯୋଗୁ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟାଇଛି। ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫ୍ବିଆଇ କହିଛି ଯେ, ଦୁଇ ବୈଜ୍ଞାନିକ ନମୁନା ବିଷୟରେ କୌଣସି ସୂଚନା ପ୍ରଦାନ କରିବାରେ ବିଫଳ ହୋଇଥିଲେ, ଯାହା ଫଳରେ ସେମାନଙ୍କ ବିରୋଧରେ ଏକ ଅପରାଧିକ ଅଭିଯୋଗ ଦାୟର କରାଯାଇଥିଲା। ଅଧିକାରୀମାନଙ୍କ ଅନୁସାରେ ଏପରି ପ୍ରୟାସ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ହ୍ରାସ କରିଛି। ଅଭିଯୁକ୍ତ ମୋଣ୍ଟାନାର ମିସୌଲାରେ ଥିବା ଫେଡେରାଲ୍ କୋର୍ଟରେ ହାଜର ହେବେ। ସରକାରଙ୍କ କୋର୍ଟ ଫାଇଲିଂରେ ମୁନଷ୍ଟର ଏବଂ କ୍ୱାଏ କାହିଁକି ନିଷ୍କ୍ରିୟ ମଙ୍କିପକ୍ସ ଭାଇରସକୁ ସେମାନଙ୍କ ପରୀକ୍ଷାଗାରକୁ ଆଣିବାକୁ ଚାହୁଁଥିଲେ ତାହା ସ୍ପଷ୍ଟ କରାଯାଇ ନାହିଁ। ତଥାପି, ଏଫ୍ବିଆଇ କହିଛି ଯେ ସେମାନେ ଭାଇରୋଲୋଜିଷ୍ଟ ଏବଂ ସେମାନେ ମଙ୍କିପକ୍ସ ଉପରେ ବ୍ୟାପକ ଗବେଷଣା କରିଛନ୍ତି।
ସୌଜନ୍ୟ ସମ୍ବାଦ

