ସମ୍ପାଦକୀୟ

Editorial: ମହଙ୍ଗା ମୌସୁମି

ଯଦି ଭାରତକୁ କେବଳ ଏକ ଦୁର୍ବଳ ମୌସୁମିର ମୁକାବିଲା କରିବାକୁ ପଡ଼ନ୍ତା, ତା’ହେଲେ ସେଥିପାଇଁ ଅତୀତ ତୁଳନାରେ ଭାରତୀୟ ଅର୍ଥନୀତି ବର୍ତ୍ତମାନ ଯେ ଅଧିକ ସମର୍ଥ, ଏଥିରେ କୌଣସି ସନ୍ଦେହ ନାହିଁ। ରିଜର୍ଭ ବ୍ୟାଙ୍କ୍ ଅନୁସାରେ ଏଥିଯୋଗୁଁ ଭାରତୀୟ ଅର୍ଥନୀତି ଅର୍ଥାତ୍ ‘ଜିଡିପି’ର ଅଭିବୃଦ୍ଧି ହାରରେ ମାତ୍ର ପ୍ରାୟ ୨୦-୬୫ ବେସିସ୍ ପଏଣ୍ଟ କ୍ଷତି ଘଟନ୍ତା। କିନ୍ତୁ ପୂର୍ବ ବର୍ଣ୍ଣିତ ଅସ୍ଥିରତା ସୃଷ୍ଟିକାରୀ ବାହ୍ୟ କାରଣମାନ ମିଶିଯିବା ପରେ ଏକ ଦୁର୍ବଳ ମୌସୁମି ଆମ ପାଇଁ ଏକ ଘାତକ ରୂପ ଧାରଣ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାର ମୁକାବିଲା ପାଇଁ ସମସ୍ତ ସମ୍ଭବ ପଦକ୍ଷେପ ନେବା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ।

 

କଥାରେ ଅଛି ଦୁର୍ଦ୍ଦିନ କେବେ ଏକଲା ଆସେ ନାହିଁ। ଭାରତ ବର୍ତ୍ତମାନ ଏଇଭଳି ଏକ ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଥିବା ଭଳି ମନେ‌ ହେଉଛି। ଭାରତରେ ଏବେ ମୌସୁମି ଋତୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଅର୍ଥନୀତିର କୃଷିପ୍ରଧାନ ଚରିତ୍ରରେ ଇତିମଧ୍ୟରେ ଦ୍ରୁତ ପରିବର୍ତ୍ତନ ଘଟି ଚାଲିଥିଲେ ହେଁ ଏବେ ମଧ୍ୟ ତାହାର ସ୍ବାସ୍ଥ୍ୟ ଅନେକାଂଶରେ ମୌସୁମି ବୃଷ୍ଟିପାତର ମାତ୍ରା ଓ ବଣ୍ଟନ ଉପରେ ନିର୍ଭର କରିଥାଏ। ମୌସୁମି ଏଥର ଏଠାରେ ଏପରି ଏକ ସମୟରେ ପ୍ରବେଶ କରିବାକୁ ଯାଉଛି, ଯେତେବେଳେ ଭାରତୀୟ ଅର୍ଥନୀତି ଏକାଧିକ ସମସ୍ୟାମାନଙ୍କର ମୁକାବିଲାରେ ବ୍ୟାପୃତ: ଆନ୍ତର୍ଜାତିକ ବାଣିଜ୍ୟରେ ଟ୍ରମ୍ପ-ସୃଷ୍ଟ ଅସ୍ଥିରତା; ସେଇ ଟ୍ରମ୍ପ-ସୃଷ୍ଟ ପଶ୍ଚିମ ଏସିଆ ଯୁଦ୍ଧ ଯୋଗୁଁ ତୈଳ ଯୋଗାଣରେ ଅନିଶ୍ଚିତତା; ତୈଳ ଦରରେ ବୃଦ୍ଧି ଓ ସେଥିଯୋଗୁଁ ଆମର ଆମଦାନି ବୋଝରେ ଅହେତୁକ ବୃଦ୍ଧି; ସେଥିଯୋଗୁଁ ଦେଶରେ ମୁଦ୍ରାସ୍ଫୀତି ମୁଣ୍ଡ ଟେକିବାର ସମ୍ଭାବନା; ଇତ୍ୟାଦି।
ଏଇ ଦୁର୍ଦ୍ଦଶାର ତାଲିକାରେ ଏବେ ଯୋଗ ଦେଇଛି ମୌସୁମି ସମ୍ବନ୍ଧରେ ଭାରତର ପାଣିପାଗ ବିଭାଗ (‘ଇଣ୍ଡିଆ ମେଟିଅରୋଲଜିକାଲ୍ ଡିପାର୍ଟମେଣ୍ଟ’- ‘ଆଇଏମ୍‌ଡି’) ଦ୍ବାରା ପ୍ରଦାନ କରାଯାଇଥିବା ସଦ୍ୟ ପ୍ରକାଶିତ ପୂର୍ବାନୁମାନ। ଏହା ଅନୁସାରେ ୨୦୨୬ରେ ଭାରତରେ ଘଟିବାକୁ ଯାଉଥିବା ଦକ୍ଷିଣ-ପଶ୍ଚିମ ‌େମୗସୁମୀ ବାୟୁ ବୃଷ୍ଟିପାତ ଏହାର ଦୀର୍ଘକାଳୀନ ହାରାହାରି ମାତ୍ର‌ାର ୯୦ ଶତାଂଶ ମଧ୍ୟରେ ସୀମିତ ରହିବାକୁ ଯାଉଛି। ଏହା ଆଗାମୀ ମୌସୁମି ଋତୁକୁ ବିଗତ ଏଗାର ବର୍ଷ ମଧ୍ୟରେ ଦୁର୍ବଳତମ ମୌସୁମି ଋତୁରେ ପରିଣତ କରିବ। ଏକ ଦୁର୍ବଳ ମୌସୁମି କେବଳ ଆମର ଦୁର୍ଦ୍ଦଶାର ତାଲିକାକୁ ସଂପ୍ରସାରିତ କରିବ ନାହିଁ, ଏହା ମଧ୍ୟ ତାଲିକାରେ ଅନ୍ତର୍ଭୁକ୍ତ ଅନ୍ୟ ସମସ୍ତ ଦୁର୍ଦ୍ଦଶାମାନଙ୍କୁ ଆହୁରି ଅସହନୀୟ କରି ତୋଳିବାର ସମ୍ଭାବନା ବହନ କରିଥାଏ।
ଉପରୋକ୍ତ ୯୦ ଶତାଂଶ ପରିସଂଖ୍ୟାନ ଯଦି କାହାରିକୁ ଉଚ୍ଚ ମନେ ହେଉଥାଏ, ତେବେ ‘ଆଇଏମ୍‌ଡି’ର ସ୍ପଷ୍ଟୀକରଣ ସେଇ ଭ୍ରମ ଧାରଣା ଦୂର କରିବାରେ ସହାୟକ ହେବ। ବର୍ଷା ଋତୁ ଚାରି ମାସରେ ଭାରତରେ ବିଗତ ୫୦ ବର୍ଷ ମଧ୍ୟରେ ଘଟିଥିବା ହାରାହାରି ମୌସୁମି ବୃଷ୍ଟିପାତର ମାତ୍ରା ହୋଇଛି ୮୭ ସେ.ମି. ବା ୩୫ ଇଞ୍ଚ। ଯେତେବେଳେ ଏକ ମୌସୁମି ଋତୁରେ ହାରାହାରି ବୃଷ୍ଟିପାତ ଏଇ ଦୀର୍ଘକାଳୀନ ହାରାହାରି ମାତ୍ରାର ୯୬ରୁ ୧୦୪ ଶତାଂଶ ମଧ୍ୟରେ ହୋଇଥାଏ, ‘ଆଇଏମ୍‌ଡି’ ତାହାକୁ ନର୍ମାଲ ବା ସ୍ବାଭାବିକ ବୃଷ୍ଟିପାତ ରୂପେ ବିଚାର କରିଥାଏ। ଏଇ କାରଣରୁ ଦୀର୍ଘକାଳୀନ ହାରାହାରିର ୯୦ ଶତାଂଶ ବୃଷ୍ଟିପାତ ବହନକାରୀ ମୌସୁମିକୁ ଦୁର୍ବଳ ରୂପେ ଚିହ୍ନିତ କରାଯାଉଛି।
ଯେଉଁ ଏକ ଅଦମନୀୟ ଶକ୍ତି ମୌସୁମିର ବଳ ହରଣ କରିବା ଯୋଗୁଁ ତାହା ଏପରି ଶକ୍ତିହୀନ ହେବାକୁ ଯାଉଛି ବୋଲି ବିଶ୍ବାସ କରାଯାଉଛି, ତାହା ହେଉଛି ପ୍ରଶାନ୍ତ ମହାସାଗରରେ ବର୍ତ୍ତମାନ ଦାନା ବାନ୍ଧିବାକୁ ଆରମ୍ଭ କରିଥିବା- ‘ଏଲ୍ ନିନୋ’। ମଙ୍ଗଳବାର ‘ବିଶ୍ବ ପାଣିପାଗ ସଂଗଠନ’ (‘ୱର୍ଲଡ ମେଟିଅରୋଲଜିକାଲ୍ ଅର୍ଗାନାଇଜେସନ୍’- ‘ଡବ୍ଲ୍ୟୁଏମ୍ଓ’) ଦ୍ବାରା ପ୍ରକାଶିତ ସତର୍କ ସୂଚନା ଅନୁସାରେ ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ‘ଏଲ୍ ନିନୋ’ ଆତ୍ମପ୍ରକାଶ କରିବାର ୮୦ ଶତାଂଶ ସମ୍ଭାବନା ଦେଖାଯାଉଛି। ‘ଏଲ୍‌ ନିନୋ’ ହେଉଛି ପୂର୍ବ ଓ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରର ଜଳରାଶିର ଘଟୁଥିବା ସାମୟିକ ଉତ୍ତପ୍ତୀକରଣ। ଏଇ ପ୍ରକ୍ରିୟାର ଯେତେବେଳେ ଆବିର୍ଭାବ ଘଟେ, ତାହା ସାଧାରଣତଃ ପ୍ରାୟ ୯ରୁ ୧୨ ମାସ ପର୍ଯ୍ୟନ୍ତ ଲାଗି ରହିଥାଏ। ଏହା ବିଶ୍ବ ପାଣିପାଗ ଓ ତାପମାନକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ, ଯେଉଁଥିରେ ଅତିବୃଷ୍ଟିରୁ ଅନାବୃଷ୍ଟି ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ଭାରତରେ ଏହାକୁ ନିଅଣ୍ଟିଆ ବୃଷ୍ଟିପାତ ଓ ଉତ୍ତପ୍ତ ଗ୍ରୀଷ୍ମକାଳ ସହିତ ସଂଯୁକ୍ତ କରାଯାଇଥାଏ।
ପୃଥିବୀର ଜଳବାୟୁ ଉପରେ ‘ଏଲ୍ ନିନୋ’ର ପ୍ରଭାବକୁ ଏଭଳି ଗୁରୁତ୍ବ ପ୍ରଦାନ କରାଯାଇଥାଏ ଯେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ମଧ୍ୟ ଏ ସଂପର୍କରେ ଏକ ବିବୃତ୍ତି ପ୍ରଦାନ କରି ପୃଥିବୀବାସୀଙ୍କୁ ସାବଧାନ କରି ଦେଇଛନ୍ତି ‌େଯ ସେମାନେ ଏହାକୁ ଏକ ଜରୁରି ଜଳବାୟୁ ସତର୍କ ସୂଚନା ରୂପେ ଗ୍ରହଣ କରି ସେଇ ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ ହେବ। ଅଗ୍ରଣୀ ଜଳବାୟୁ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ ଅତୀତରେ ଯେତେବେଳେ ଭାରତରେ ଗୁରୁତର ଅନାବୃଷ୍ଟି ଦେଖାଯାଇଛି, ସର୍ବଦା ତାହା ‘ଏଲ୍‌ ନିନୋ’ ସହିତ ସଂପୃକ୍ତ ହୋଇଛି। ଏହା ଅବଶ୍ୟ ସୂଚନାଯୋଗ୍ୟ ଯେ କୃଷି କାର୍ଯ୍ୟ ପାଇଁ ଯାହା ହେଉଛି ଗୁରୁତ୍ବପୂର୍ଣ୍ଣ, ତାହା ଏକ ମୌସୁମି ଋତୁରେ ଘଟୁଥିବା ମୋଟ ବୃଷ୍ଟିପାତ ନୁହେଁ, ତାହା ହେଉଛି ଏଇ ବୃଷ୍ଟିପାତର ଆଞ୍ଚଳିକ ବଣ୍ଟନ ଓ ସମୟ।
ଏକ ଦୁର୍ବଳ ମୌସୁମି କିଭଳି ସିଧାସଳଖ ଭାବରେ ଭାରତୀୟ ରୋଷେଇ ଘରକୁ ପ୍ରଭାବିତ କରିଥାଏ, ତାହା କାହାକୁ ଅଜଣା ନୁହେଁ। ଅଳ୍ପ ବୃଷ୍ଟି ଯୋଗୁଁ ଖରିଫ୍ ଅମଳ ବାଧାପ୍ରାପ୍ତ ହେଲେ, ସେଥିଯୋଗୁଁ ଚାଉଳ, ଡାଲି, ଖାଇବା ତେଲ, ପନିପରିବା ଆଦିର ଦରଦାମରେ ତୀକ୍ଷ୍‌ଣ ବୃଦ୍ଧି ଘଟିଥାଏ। ଖାଦ୍ୟଦ୍ରବ୍ୟ ଦରଦାମରେ ବୃଦ୍ଧି ଘଟିଲେ ତାହାର ପ୍ରଭାବରେ ଖାଉଟି ମୁଦ୍ରାସ୍ଫୀତିରେ ପ୍ରାୟ ୨୦-୨୫ ବେସିସ୍ ପଏଣ୍ଟ ବୃଦ୍ଧି ଘଟିବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା କରୁଛନ୍ତି। ଯଦି ନିର୍ଦ୍ଦିଷ୍ଟ ଖାଦ୍ୟଦ୍ରବ୍ୟ ଉତ୍ପାଦନକାରୀ ଅଞ୍ଚଳରେ ଏଇ ବୃଷ୍ଟିହୀନତା ଅଧିକ ଗୁରୁତର ରୂପ ଧାରଣ କରେ, ତେବେ‌ ଖାଦ୍ୟ ମୁଦ୍ରାସ୍ଫୀତି ତଥା ଖାଉଟି ମୁଦ୍ରାସ୍ଫୀତିରେ ବୃଦ୍ଧି ଆହୁରି ତୀକ୍ଷ୍‌ଣ ହେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ପଶ୍ଚିମ ଏସିଆ ସଂକଟ ଯଦି ଲାଗିରହେ ଓ ତୈଳ ଦର ଅଣାୟତ୍ତ ହୁଏ, ତେବେ ମୁଦ୍ରାସ୍ଫୀତି ପରିସ୍ଥିତି ଆହୁରି ସଂଗୀନ ହେବା ଅନିବାର୍ଯ୍ୟ।

ଏହା ଅନସ୍ବୀକାର୍ଯ୍ୟ ଯେ ଭାରତ ହାସଲ କରିଚାଲିଥିବା ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ହାର ସମ୍ଭବ ହେବାରେ ଗ୍ରାମ୍ୟ ଖାଉଟି ବ୍ୟୟର ଏକ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଏହା ଦ୍ରୁତ ବିକ୍ରୟଶୀଳ ଖାଉଟି ଦ୍ରବ୍ୟମାନଙ୍କରୁ ଦ୍ବିଚକ୍ର ଯାନ ଓ ଟ୍ରାକ୍ଟର ଆଦି ପର୍ଯ୍ୟନ୍ତ ବିକ୍ରୟକୁ ତ୍ବରାନ୍ବିତ କରିଥାଏ। ଏକ ଦୁର୍ବଳ ମୌସୁମି ସେଥିରେ ବାଧକ ସାଜିବ। ଏହାର ପ୍ରମାଣ ସ୍ବରୂପ ୨୦୨୩ରେ ‘ଏଲ୍‌ ନିନୋ’ଜନିତ ଅନାବୃଷ୍ଟି ପରେ ଖାଦ୍ୟ ମୁଦ୍ରାସ୍ଫୀତିରେ ୧୧.୫ ଶତାଂଶ ବୃଦ୍ଧି ଘଟିବା ସହିତ ଟ୍ରାକ୍ଟର ବିକ୍ରୟରେ ଏକ ତୀକ୍ଷ୍‌ଣ ସ୍ଖଳନ ଓ ‘ମନରେଗା’ ଗ୍ରାମ୍ୟ ନିଯୁକ୍ତି ଯୋଜନାର ଚାହିଦାରେ ୩୦ ଶତାଂଶ ବୃଦ୍ଧି ଘଟିବା ପରିଲକ୍ଷିତ ହୋଇଥିଲା।
ଯଦି ଭାରତକୁ କେବଳ ଏକ ଦୁର୍ବଳ ମୌସୁମିର ମୁକାବିଲା କରିବାକୁ ପଡ଼ନ୍ତା, ତା’ହେଲେ ସେଥିପାଇଁ ଅତୀତ ତୁଳନାରେ ଭାରତୀୟ ଅର୍ଥନୀତି ବର୍ତ୍ତମାନ ଯେ ଅଧିକ ସମର୍ଥ, ଏଥିରେ କୌଣସି ସନ୍ଦେହ ନାହିଁ। ରିଜର୍ଭ ବ୍ୟାଙ୍କ୍ ଅନୁସାରେ ଏଥିଯୋଗୁଁ ଭାରତୀୟ ଅର୍ଥନୀତି ଅର୍ଥାତ୍ ‘ଜିଡିପି’ର ଅଭିବୃଦ୍ଧି ହାରରେ ମାତ୍ର ପ୍ରାୟ ୨୦-୬୫ ବେସିସ୍ ପଏଣ୍ଟ କ୍ଷତି ଘଟନ୍ତା। କିନ୍ତୁ ପୂର୍ବ ବର୍ଣ୍ଣିତ ଅସ୍ଥିରତା ସୃଷ୍ଟିକାରୀ ବାହ୍ୟ କାରଣମାନ ମିଶିଯିବା ପରେ ଏକ ଦୁର୍ବଳ ମୌସୁମି ଆମ ପାଇଁ ଏକ ଘାତକ ରୂପ ଧାରଣ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାର ମୁକାବିଲା ପାଇଁ ସମସ୍ତ ସମ୍ଭବ ପଦକ୍ଷେପ ନେବା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ। ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ନିର୍ଭୁଲ୍‌ ପାଣିପାଗ ପୂର୍ବାନୁମାନ, ଖରିଫ୍ ବୁଣାବୁଣି ପାଇଁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତି, ଖାଦ୍ୟଶସ୍ୟର ସକ୍ରିୟ ବଫର୍ ଷ୍ଟକ୍ ସୃଷ୍ଟି ଆଦି ଏଇ ପ୍ରସ୍ତୁତିର ଅଂଶ ହେବା ଆବଶ୍ୟକ। ମୌସୁମି ସତର୍କ ସୂଚନାକୁ ସାମାନ୍ୟ ଅବହେଳା କରିବା ଆମ ପାଇଁ ଆକ୍ଷରିକ ଭାବରେ ମହଙ୍ଗା ସାବ୍ୟସ୍ତ ହେବ।

 

 

 

ସୌଜନ୍ୟ Prameya News7

Show More
Back to top button