Future Of Earth: ଭୟଙ୍କର ଭବିଷ୍ୟତ ଆକଳନ; ମହାଦେଶର ମିଶ୍ରଣରେ ବିନାଶ ହେବେ ମଣିଷ, ମାତ୍ରାଧିକ ତାତି ସହିପାରିବେନି ସ୍ତନ୍ୟପାୟୀ ପ୍ରାଣୀ

ନୂଆଦିଲ୍ଲୀ, ୭/୦୯: ପୃଥିବୀରେ ଥିବା ସମସ୍ତ ମହାଦେଶ ଦିନେ ପୁଣି ଥରେ ଏକାଠି ହୋଇ ଗୋଟିଏ ଭୂଖଣ୍ଡ ହେବ । ଏଥିରୁ ସୃଷ୍ଟି ହେବ ନୂତନ ସୁପରକଣ୍ଟିନେଣ୍ଟ । ଯେଉଁ ପ୍ରାଚୀନ ସୁପରକଣ୍ଟିନେଣ୍ଟ ପାନ୍ଜିଆରୁ ମହାଦେଶଗୁଡ଼ିକ ଅଲଗା ହୋଇଥିଲା ଆଗକୁ ମହାଦେଶଗୁଡ଼ିକ ସେହି ପାନ୍ଜିଆ ଅବସ୍ଥାକୁ ଫେରିବେ । ଏହାଦ୍ୱାରା ଜଳବାୟୁରେ ବିରାଟ ପରିବର୍ତ୍ତନ ଆସିବ । ଅତ୍ୟଧିକ ତାତି ଯୋଗୁ ମଣିଷ ସମେତ ସମସ୍ତ ସ୍ତନ୍ୟପାୟୀ ପ୍ରାଣୀଙ୍କ ବିନାଶ ହେବ ବୋଲି ଅଧ୍ୟୟନରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ।
ଅଧ୍ୟୟନ ମୁତାବକ, ପୃଥିବୀରେ ଏକମାତ୍ର ଭୂଭାଗ ଥିବା ପାନ୍ଜିଆ ୨୦ କୋଟି ବର୍ଷ ପୂର୍ବେ ଅଲଗା ହେବା ଆରମ୍ଭ କରିଥିଲା । ସମାନ ସମୟ ପରେ ଅର୍ଥାତ ପ୍ରାୟ ୨୦ କୋଟି ବର୍ଷ ଭିତରେ ପୁଣି ଏହା ଏକତ୍ର ହେବ । ‘ଜିଓଲୋଜିକାଲ ମାଗାଜିନ୍’ରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟରେ ଏପରି ହେବାର ୪ଟି ଉପାୟ ଉପରେ ଆଲୋକପାତ ହୋଇଛି । ପ୍ରଥମଟି ହେଲା ନୋଭୋପାଞ୍ଜିଆ । ଏହି ପ୍ରକ୍ରିୟାରେ ପ୍ରଶାନ୍ତ ମହାସାଗର ବନ୍ଦ ହୋଇଯିବ ଏବଂ ଆଟ୍ଲାଣ୍ଟିକ ମହାସାଗର ପ୍ରସାରିତ ହେବ । ପୂର୍ବ ଏସିଆ ଏବଂ ଆଣ୍ଟାର୍କଟିକା ସହ ଆମେରିକା ଧକ୍କା ହେବ । ଫଳରେ ଏକ ଭୂଭାଗ ସୃଷ୍ଟି ହେବ, ଯାହା କି ମୁଖ୍ୟତଃ ଉତ୍ତର ଗୋଲାର୍ଦ୍ଧରେ କେନ୍ଦ୍ରୀଭୂତ ହେବ । ବିଷୁବରେଖା ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକ ଗରମ ଏବଂ ଶୁଷ୍କ ରହିବ । ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ । କିନ୍ତୁ ଭୂଭାଗର ଆଭ୍ୟନ୍ତରୀଣ ଅଂଶ ମୁଖ୍ୟତଃ ଶୁଷ୍କ ରହିବ । ଭୂଭାଗଟି ଶୀତଳ ଅକ୍ଷାଂଶ ଆଡ଼କୁ ବ୍ୟାପିବା ଫଳରେ ମଧ୍ୟମ ଧରଣର ବୈଶ୍ୱିକ ମହାସାଗରୀୟ ପ୍ରବାହ ଏବଂ ମେରୁରେ ବରଫ ଗତିଶୀଳତା ଜାରି ରହିବ ।
ସୌଜନ୍ୟ ପ୍ରମେୟ




