କେତେକ ପରିବେଶବିତ୍ ସାଂପ୍ରତିକ ପୃଥିବୀକୁ ନେଇ ମାର୍କ୍ବେଜଙ୍କ କାହାଣୀର ଏକ ସମାନ୍ତରାଳ ଦେଖନ୍ତି। ସେମାନେ କହନ୍ତି ଯେ ଯଦି ଚୈତନ୍ୟ ଉଦୟ ନ ହୁଏ, ତେବେ ନିଜ କୃତକର୍ମ କାରଣରୁ ପ୍ରକୃତିରୁ ବିଚ୍ଛିନ୍ନ ନିଃସଙ୍ଗ ମାନବ ଜାତିକୁ, ମହାପ୍ରଳୟର ଝଡ଼, ପୃଥିବୀ ପୃଷ୍ଠରେ ଦ୍ବିତୀୟ ସୁଯୋଗ ଦେବ ନାହିଁ।
ଆଜି ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ମାନବ ଜାତିକୁ ଭାରାକ୍ରାନ୍ତ କରି ଚାଲିଥିବା ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟକୁ ଘେନି ଚର୍ବିତଚର୍ବଣ ଭାଷଣ, ବଖାଣ, ଉଦ୍ବେଗ ପ୍ରକାଶ ଏପରିକି ଛାତିପିଟା ବିଳାପକୁ ଅତିକ୍ରମ କରିଗଲେ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ପ୍ରକୃତିରୁ କ୍ରମାଗତ ଭାବେ ବିଚ୍ଛିନ୍ନ ହୋଇ ଚାଲିଥିବା ମାନବ ଜାତିର ବିମର୍ଷକର ଏକାକିତ୍ବ! ପ୍ରକୃତିର ଜଘନ୍ୟ ବିକୃତୀକରଣରେ ଏକ ମାତ୍ର ଦାୟୀ ହେଉଛି ମାନବ ଜାତି ଏବଂ ତା’ର ପ୍ରତିଫଳ ସ୍ବରୂପ ପୃଥିବୀଗ୍ରାସୀ ତୀବ୍ର ପ୍ରାକୃତିକ ରୋଷରେ କେବଳ ତା’ର ତ୍ରାହି ତ୍ରାହି ଚିତ୍କାର ସର୍ବାଧିକ କର୍ଣ୍ଣଗୋଚର ହୋଇଥାଏ; ସେତ ଯେମିତି ପୃଥିବୀରେ ଆତଯାତ ହେଉଥିବା ପ୍ରାୟ ୮.୭ ନିୟୁତ ପ୍ରାଣୀ ପ୍ରଜାତି ଏଭଳି ସ୍ଥିତିରେ ନିରବରେ ଭୋଗିବା, ଏପରିକି ନିଃଶବ୍ଦରେ ଧରା ପୃଷ୍ଠରୁ ଅନ୍ତର୍ହିତ ହୋଇଥିବା ଏକ ସାଧାରଣ ବ୍ୟାପାର! ଏଲିଜାବେଥ କୋଲବର୍ଟ ତାଙ୍କ ପ୍ରସିଦ୍ଧ ପୁସ୍ତକ ‘ଦ ସିକ୍ସ୍ଥ ଏକ୍ଷ୍ଟିଙ୍କସନ’ ବା ‘ଷଷ୍ଠ ମହାବିଲୁପ୍ତିି’ରେ କହିଛନ୍ତି କିଭଳି ସଂପ୍ରତି ପ୍ରାଣୀ ପ୍ରଜାତିଗୁଡ଼ିକର ବିଲୁପ୍ତିର ହାର ମାନବ ଯଥେଚ୍ଛାଚାର ଦ୍ବାରା ଆକ୍ରାନ୍ତ ହୋଇ ନ ଥିବା ପୃଥିବୀରେ ପ୍ରାକୃତିକ ଉପାୟରେ ଘଟୁଥିବା ପ୍ରଜାତି ବିଲୁପ୍ତିର ହାର ଠାରୁ ଏକ ହଜାରରୁ ଦଶ ହଜାର ଗୁଣ ଯାଏ ଅଧିକ! କିନ୍ତୁ, ଦୁର୍ବୋଧ୍ୟ ଅସଂଗତିଟି ହେଲା ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟରେ ବିରାମ ଲଗାଇବା ସକାଶେ ମନୁଷ୍ୟ ଖୁବ୍ ଉତ୍ସୁକ ଓ ତତ୍ପର ଭଳି ମନେ ହେଉଥିଲେ ହେଁ ଦୋହନ, ଶୋଷଣ, କପଟାଚାର, ପ୍ରତିଶ୍ରୁତି ଭଙ୍ଗ, ଛଳ ସାନ୍ତ୍ବନା ପ୍ରଦାନ ଇତ୍ୟାଦିର ଅସରନ୍ତି ଧାରା ବଳବତ୍ତର ରହି ସତେ ଯେମିତି ଆତ୍ମଘାତ ଲାଗି ଅବିମୋଚନୀୟ ଆକର୍ଷଣର ପ୍ରମାଣ ଦେଉଛି।
ଇତିମଧ୍ୟରେ ୩୦ଟି ଜଳବାୟୁ ସଂକ୍ରାନ୍ତ ଅନ୍ତଃରାଷ୍ଟ୍ରୀୟ ଶିଖର ସମ୍ମିଳନୀ ବା ‘କପ୍’ ଅନୁଷ୍ଠିତ ହୋଇସାରିଲାଣି, ଅଥଚ ପୃଥିବୀର ତାପମାତ୍ରା ବୃଦ୍ଧିକୁ ପ୍ରାକ୍ ଶିଳ୍ପ ବିପ୍ଳବ କାଳୀନ ତାପମାତ୍ରା ଠାରୁ ୧.୫ ଡିଗ୍ରିରୁ ୨ ଡିଗ୍ରି ସେଲସିଅସ ମଧ୍ୟରେ ସୀମିତ ରଖିବା ନେଇ ୨୦୧୫ ମସିହାରେ ଅନୁଷ୍ଠିତ ପ୍ୟାରିସ ଚୁକ୍ତିନାମା (କପ୍ ୨୧)ରେ ସର୍ବସମ୍ମତ ଭାବେ ଘୋଷିତ ଲକ୍ଷ୍ୟ ଅସମ୍ଭବ ଭଳି ପ୍ରତୀତ ହେଉଛି; ଯୁକ୍ତରାଷ୍ଟ୍ର ଆମେରିକା ଏହି ଚୁକ୍ତିନାମାରୁ ଓହରି ଯିବା ସହିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପକ୍ଷଭୁକ୍ତ ବର୍ଗ ଜଳବାୟୁ ପରିବର୍ତ୍ତନ ଜନିତ ଚିନ୍ତାକୁ ଭ୍ରାନ୍ତି ଓ ତୁଚ୍ଛା ଭୟର ପ୍ରସାରଣ ବୋଲି କହିଲେଣି; ମେରୁ ବରଫ ତରଳି ସମୁଦ୍ର ପତ୍ତନରେ ବୃଦ୍ଧି ଘଟି ମାଲଡିଭସ, କିରିବାଟି, ମର୍ସାଲ ଆଇଲାଣ୍ଡ ଆଦି ଭଳି ଦ୍ବୀପ ରାଷ୍ଟ୍ରଗୁଡ଼ିକୁ ସଂପୂର୍ଣ୍ଣ ଗର୍ଭସାତ୍ କରିଦେବାକୁ ବସିଥିଲେ ହେଁ ଧନିକ ରାଷ୍ଟ୍ରଗୁଡ଼ିକ ଉଲ୍ଲସିତ ଯେ ଏହା ଦ୍ବାରା ଜମାଟ ବନ୍ଧା ମେରୁ ସାଗରରେ ଜଳପଥ ଖୋଲି ବାଣିଜ୍ୟକୁ ସୁଗମ କରିବ; ଜୀବାଶ୍ମ ଇନ୍ଧନର ଦହନ ବନ୍ଦ କରିବାକୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ବାରମ୍ବାର ଚେତାଇ ଦେଉଥିବା ବିକଶିତ ରାଷ୍ଟ୍ରଗୁଡ଼ିକ ପୃଥିବୀର ବିଭିନ୍ନ ପ୍ରାନ୍ତରେ ଖଣିଜ ତୈଳ ସନ୍ଧାନ, ଆହରଣ ଓ ସେମାନଙ୍କ ନାଗରିକଙ୍କୁ ରିହାତି ମୂଲ୍ୟରେ ଯୋଗାଣରେ ପ୍ରବୃତ୍ତ। ଅକ୍ସଫାମର ଏକ ରିପୋର୍ଟ ଅନୁସାରେ ପୃଥିବୀର ସର୍ବାଧିକ ବିତ୍ତଶାଳୀ ୧% ସେମାନଙ୍କ ଉପଭୋଗ କୈନ୍ଦ୍ରିକ ଜୀବନ ଶୈଳୀ ମାଧ୍ୟମରେ ଯେତିକି କାର୍ବନ ପଦଚିହ୍ନ ସୃଷ୍ଟି କରନ୍ତି, ତାହା ମାନବ ଜାତିର ୬୬% ଦରିଦ୍ରଙ୍କ ଦ୍ବାରା ସୃଷ୍ଟ କାର୍ବନ ପଦଚିହ୍ନ ସହିତ ସମାନ, ଅଥଚ ସେହି ବର୍ଗ ନିଜକୁ ସଂଯତ ନ କରି ଅବଶିଷ୍ଟ ପୃଥିବୀ ଠାରୁ ତ୍ୟାଗର ଆଶା ରଖନ୍ତି।
ଅନେକ ପ୍ରକୃତିବିତ୍ ଉଦ୍ବିଗ୍ନ ଯେ ପୃଥିବୀ ଏକ ମହାବିଲୁପ୍ତି ଆଡ଼କୁ ଅଗ୍ରସର ହେବାରେ ଲାଗିଛି; ଯଦିଓ ଆମର ଏହି ଗ୍ରହଟି ପୂର୍ବରୁ ଅନ୍ତତଃ ୫ଟି ମହାବିଲୁପ୍ତି ଦେଖି ସାରିଛି, ଯେଉଁଥିରେ ସମସ୍ତ ପ୍ରାଣୀ ପ୍ରଜାତିଙ୍କ ବିଲୟ ଘଟିଛି ଓ ସମୟ ଅନ୍ତରାଳରେ ପୁନର୍ବାର ନୂତନ ସୃଷ୍ଟି ସମ୍ଭବ ହୋଇଛି। ପୃଥିବୀରେ ଶେଷ ମହାବିଲୁପ୍ତି ଘଟିଥିଲା ୬୫ ନିୟୁତ ବର୍ଷ ପୂର୍ବେ, ଏକ ଅତିକାୟ ଉଲ୍କା ସହିତ ପୃଥିବୀର ଧକ୍କାରେ, ଯହିଁରେ ଅତିକାୟ ଡାଇନୋସର ଅନ୍ତର୍ହିତ ହୋଇଯାଇଥିଲେ। ଗୋଟିଏ ଅଗ୍ନି ପିଣ୍ଡୁଳାରୁ ଜୀବନଧାରୀ ଗ୍ରହରେ ପରିଣତ ହେବାର ଯାତ୍ରା ପଥରେ ଏକ ଅସନ୍ତୁଳିତ ପରିବେଶ ସ୍ଥିରତା ପାଇବା କ୍ରମରେ ବିଭିନ୍ନ ପ୍ରାକୃତିକ କାରଣରୁ ଆଉ ଚାରିଟି ମହାବିଲୁପ୍ତି ଦେଖିଥିଲା, ଯହିଁରେ ପ୍ରକୃତି ହିଁ ଥିଲା ଭାରସାମ୍ୟ ନିୟନ୍ତ୍ରକ। କିନ୍ତୁ ଷଷ୍ଠ ମହାବିଲୁପ୍ତିର କାରଣ ହେବାକୁ ଯାଉଛି ମନୁଷ୍ୟର କାର୍ଯ୍ୟକଳାପ, ଅର୍ଥାତ୍ ତାହା କୃତ୍ରିମ। ତେଣୁ ପରିବେଶବିତ୍ମାନେ କହିଥାଆନ୍ତି ଯେ ଯେହେତୁ କାରଣଗୁଡ଼ିକ ମନୁଷ୍ୟ ଦ୍ବାରା ସୃଷ୍ଟ, ସମାଧାନର ମାର୍ଗ ମଧ୍ୟ ମନୁଷ୍ୟ ନିକଟରେ ରହିଛି। ଏହା ମଧ୍ୟ ସତ ଯେ ଜଳବାୟୁ ପରିବର୍ତ୍ତନଜନିତ ବିଭୀଷିକା ପୂର୍ବାପେକ୍ଷା ଅନେକ ଗୁଣ ବୃଦ୍ଧି ପାଇ ମାନବ ଜାତିର ଏକ ବୃହଦାଂଶକୁ ଗଭୀର ଭାବେ ଆକ୍ରାନ୍ତ କରି ସାରିଲାଣି। ଗ୍ରୀଷ୍ମ ପ୍ରବାହ, ବନାଗ୍ନି, ସାମୁଦ୍ରିକ ଝଡ଼, ଧୂଳି ଝଡ଼, ଅତର୍କିତ ବାଦଲ ଫଟା ବର୍ଷା ଓ ମରୁଭୂମିରେ ବନ୍ୟା ଭଳି ଅଘଟଣମାନ ଅବିରାମ ଭାବେ ଘଟି ଚାଲିଛି। ଅବଶ୍ୟ, ଏହି ଧାରାକୁ ରୋକିବା ଲାଗି ଉଦ୍ୟମ ମଧ୍ୟ ହେଉଛି; କିନ୍ତୁ ସେ ସବୁ ବିଶେଷ ପ୍ରଭାବଶାଳୀ ହୋଇ ପାରୁନାହିଁ। ନିକଟରେ ୧୫ଟି ଦେଶର ଗବେଷକଙ୍କ ଦ୍ବାରା ପ୍ରକାଶିତ ଏକ ଗ୍ଲୋବାଲ ରିପୋର୍ଟ କହିଛି ଯେ ପରିବେଶର ସର୍ବାଧିକ କ୍ଷତି ଘଟାଉଥିବା କାର୍ଯ୍ୟକଳାପ ଯେମିତି କି ଗୁରୁ ଉେଦ୍ୟାଗ, ଖଣି ଖନନ, ଭିତ୍ତିଭୂମି ନିର୍ମାଣ ଇତ୍ୟାଦି ଚରିତ୍ରଗତ ଭାବେ ‘ମସକୁଲାଇନ’ ବା ‘ବୀର୍ଯ୍ୟବାନ’ ହୋଇଥିବାରୁ ତହିଁରେ ଔଦ୍ଧତ୍ୟ ରହିଥାଏ, ଯାହା ବିରାଧରେ ପ୍ରତିବାଦ ବା ତହିଁରୁ ହେଉଥିବା କ୍ଷତିର ଭରଣା ଲାଗି ହେଉଥିବା ପ୍ରତିକାରମୂଳକ ଉଦ୍ୟମମାନ ନିଷ୍ପ୍ରଭ ଦିଶେ। କିନ୍ତୁ, ଏଣେ ପରିବେଶ-ଦାର୍ଶନିକମାନେ ଚେତାଇ ଦେଇ କହିଥାନ୍ତି ଯେ ଯଦି କେବେ ମହାବିଲୁପ୍ତିର ମୁହୂର୍ତ୍ତ ଉପସ୍ଥିତ ହୁଏ, ତେବେ ଅନ୍ୟ କୌଣସି ପ୍ରାଣୀ ପ୍ରଜାତି ପୃଥିବୀ ଉପରୁ ସେମାନଙ୍କ ଅଧିକାର ହରାଇବା ଆଶଙ୍କାରେ ଜର୍ଜର ହେବେ ନାହିଁ; ହେବ କେବଳ ମନୁଷ୍ୟ ଏବଂ ନିଜ କୃତକର୍ମର ପରିଣାମ ବୋଲି ଜାଣିଥିଲେ ହେଁ ସେହି କ୍ଷଣରେ ସେ ନିଜକୁ ଏକାନ୍ତ ନିଃସଙ୍ଗ ବୋଲି ଆବିଷ୍କାର କରିବ।
୧୯୬୭ ମସିହାରେ ପ୍ରକାଶିତ ହୋଇଥିଲା ଗାବ୍ରିଏଲ ଗାର୍ସିଆ ମାର୍କ୍ବେଜଙ୍କ ଦ୍ବାରା ରଚିତ ଅପୂର୍ବ ଉପନ୍ୟାସ ‘ୱାନ ହଣ୍ଡ୍ରେଡ ଇଅର୍ସ ଅଫ ସଲିଚ୍ୟୁଡ’ ବା ‘ଶହେ ବର୍ଷର ବିଜନତା (ନିଃସଙ୍ଗତା!)’। ତହିଁରେ ବର୍ଣ୍ଣିତ ହୋଇଛି କଲମ୍ବିଆର ବର୍ଷାବଣରେ ବୁଏଣ୍ଡିଆ ପରିବାର ଦ୍ବାରା ସ୍ଥାପିତ ମକାଣ୍ଡୋ ନାମକ ଏକ ସ୍ବପ୍ନର ବସତିର ସୃଷ୍ଟି ଓ ବିଲୁପ୍ତିର ଗାଥା, ଯାହା ଶହେ ବର୍ଷ ଏବଂ ସାତ ପିଢ଼ିର ଜୀବନ ଦେଇ ପରିବ୍ୟାପ୍ତ। ମାନବୀୟ ଅତିକ୍ରମଣର ଅନେକ ରୂପ: ଲୋଭ, ଲାଳସା, ବ୍ୟବସାୟ, ଉଦ୍ୟୋଗୀକରଣ, ଦୋହନ, ଶୋଷଣ, ବିଶ୍ବାସଘାତ ଓ ବ୍ୟଭିଚାର ଇତ୍ୟାଦିର ପର୍ବ ଦେଇ ଯାଇ ମକାଣ୍ଡୋ ଅବଶେଷରେ ସେହି ବିଲୁପ୍ତି ଭୋଗିଛି, ଯାହା ଅଗତ୍ୟା ହୋଇଛି ବିହି ସମ୍ମତ। ଉପନ୍ୟାସର ଅନ୍ତିମ ଦୃଶ୍ୟ ଅତ୍ୟନ୍ତ ମର୍ମାନ୍ତିକ। ଶେଷକୁ ମକାଣ୍ଡୋରେ ବଞ୍ଚି ରହିଥାଏ କେବଳ ଜଣେ, ଅରଲିନୋ ବେବିଲୋନିଆ ଏବଂ ତା’ ହାତରେ ଥାଏ ଜଣେ ଜିପ୍ସି ଦ୍ବାରା ସଂସ୍କୃତ ଭାଷାରେ ରଚିତ ଏକ ପାର୍ଚମେଣ୍ଟ। ଅରଲିନୋ ତାହାର ଭାବାର୍ଥ ବୁଝିବା ଲାଗି ଇତିମଧ୍ୟରେ ସଂସ୍କୃତ ଶିଖି ସାରିଥାଏ ଏବଂ ତାହାକୁ ପଢ଼ିବା ବେଳେ ଆବିଷ୍କାର କରେ ଯେ ତହିଁରେ ଉଲ୍ଲିଖିତ ଅଛି ମକାଣ୍ଡୋର ସୃଷ୍ଟିରୁ ବିଲୁପ୍ତି ପର୍ଯ୍ୟନ୍ତ ବିବରଣୀ। ପାର୍ଚମେଣ୍ଟ ପଢ଼ିବା ଆରମ୍ଭ କଲା ବେଳକୁ ଏକ ଭୟାବହ ଝଡ଼ ଆସୁଥିବାର ପୂର୍ବାଭାସ ମିଳିଯାଏ। ତାହାର ପଢ଼ା ସହିତ ଝଡ଼ର ଭୀଷଣତା ବୃଦ୍ଧି ପାଇ ଚାଲିଥାଏ। ଅରଲିନୋ ଶେଷ ବାକ୍ୟଟି ପଢ଼ିଥାଏ କି ନ ଥାଏ, ତହିଁରେ କୁହାଯାଇଥିବା ଭଳି ପ୍ରଳୟଙ୍କାରୀ ଝଡ଼ ଆସି ମକାଣ୍ଡୋକୁ ଏଭଳି ଉଡ଼ାଇ ନିଏ ଯେ ସତେ ଯେମିତି ତାହା ମାନବ ସ୍ମୃତିରେ ମଧ୍ୟ କେବେ ହେଲେ ନ ଥିଲା! ଉପନ୍ୟାସ ସମାପ୍ତ ହୋଇଛି ସେହି ଅନବଦ୍ୟ ଅମର ବାକ୍ୟରେ ଯେ ‘ଶହେ ବର୍ଷର ନିଃସଙ୍ଗତାରେ ଦଣ୍ଡିତ ଜାତି ସକାଶେ ପୃଥିବୀରେ ଦ୍ବିତୀୟ ସୁଯୋଗ ନ ଥାଏ’।

ସୌଜନ୍ୟ ସମ୍ବାଦ