KIIT: ଆଜିଠାରୁ କିଟ୍‌ରେ ସର୍ବଭାରତୀୟ ଜେକେଏ ପ୍ରତିଯୋଗିତା

ଭୁବନେଶ୍ବର: ଓଡ଼ିଶାରେ ପୁଣି ଏକ ଜାତୀୟ ସ୍ତରର ପ୍ରତିଯୋଗିତା ଆୟୋଜିତ ହୋଇଛି। କରାଟେଖେଳର ଅନ୍ୟତମ ପ୍ରମୁଖ ଷ୍ଟାଇଲ୍‌ ଜାପାନ ଓକିନାୱାର ଏକ ସର୍ବଭାରତୀୟ ପ୍ରତିଯୋଗିତା ଏବଂ ଜାତୀୟ ଶିବିର ଶୁକ୍ରବାରଠାରୁ କିଟ୍‌ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଯାଉଛି। ଶୁକ୍ରବାର ଏହାର ଶିବିର ଅନୁଷ୍ଠିତ ହେବା ପରେ ଶନିବାର ଓ ରବିବାର ପ୍ରତିଯୋଗିତା ଖେଳାଯିବ ବୋଲି ଜେକେଏଡବ୍‌ଲ୍ୟୁଏଫ୍ ଇଣ୍ଡିଆ-ଓଡ଼ିଶାର ସଭାପତି ଅନିଲ କୁମାର ସିଂହ ଓ ସାଧାରଣ ସମ୍ପାଦକ ଧର୍ମାଂଶୁ ପାଣ୍ଡେ ସୂଚନା ଦେଇଛନ୍ତି।

କରାଟେର ପ୍ରତିଟି ଷ୍ଟାଇଲ୍‌ ଭଳି ଏହି ଖେଳ ଶୃଙ୍ଖଳା ଜଣକ ବ୍ୟକ୍ତିଗତ ଜୀବନରେ ଶୃଙ୍ଖଳା, ଏକତା, ଆତ୍ମରକ୍ଷା, କ୍ରୀଡ଼ା ମନୋଭାବ ଓ ଚରିତ୍ର ଗଠନକୁ ପ୍ରୋତ୍ସାହିତ କରିଥାଏ ବୋଲି ଭାରତରେ ଜେକେଏ କରାଟେର ଅନ୍ୟତମ ପ୍ରତିଷ୍ଠାତା ଅନିଲ ସିହ୍ନା ପ୍ରକାଶ କରିଛନ୍ତି। ବିଶ୍ବ ବ୍ୟାଙ୍କ୍‌ର ପୂର୍ବତନ ଅଧିକାରୀ ଶ୍ରୀ ସିହ୍ନା ଗୁରୁବାର ଭୁବନେଶ୍ବରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଖେଳର ବିଭିନ୍ନ ଉପକାରିତା ଓ ଅନ୍ତର୍ଜାତୀୟ ସୁଯୋଗ ସମ୍ପର୍କରେ ମତ ରଖିଥିଲେ। ସେ ମଧ୍ୟ ପ୍ରତିଯୋଗିତା ଅବସରରେ ଯୁବ କରାଟେକାମାନଙ୍କୁ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ କରିବେ ବୋଲି ଜଣାପଡ଼ିଛି।

ସବୁଠାରୁ ବଡ଼ କଥା ହେଲା ଏହି ଶିବିର ଅବସରର ଜାପାନ କରାଟେ ସଂଘ (‌ଜେକେଏ)ର ମୁଖ୍ୟାଳୟର ସପ୍ତମ ଡାନ୍‌ ବ୍ଲକ୍ ବେଲ୍ଟଧାରୀ ତଥା ଜେକେଏ ଜାତୀୟ ଦଳର ପ୍ରଶିକ୍ଷକ ସାତୋଶି ତାକାହାଶି ସିହାନ୍‌ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଆସୁଛନ୍ତି। ଭାରତ ସମେତ ଓଡ଼ିଶାର କରାଟେକାଙ୍କ ପାଇଁ ଏହା ଏକ ବିରଳ ତଥା ଶିକ୍ଷଣୀୟ ସୁଯୋଗ ସୃଷ୍ଟି କରିଛି। ଦେଶର ୧୩ଟି ରାଜ୍ୟରୁ ୩୬ଟି ଜେକେଏ ଶାଖାରୁ ପ୍ରାୟ ୬୦୦ କରାଟେକା, ପ୍ରଶିକ୍ଷକ, ରେଫରି ଓ ଅଧିକାରୀମାନେ ଏହି ୩ ଦିନିଆ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ପ୍ରତିଯୋଗିତା ମାଧ୍ୟମରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରତିଭା କରାଟେକା ଅନ୍ବେଷଣ କରିବା ମୁଖ୍ୟ ଲକ୍ଷ୍ୟ ‌ବୋଲି ଆୟୋଜକମାନେ ଆଶା ପ୍ରକଟ କରିଛନ୍ତି। ଏହାର ଆୟୋଜନ କମିଟି ଅଧ୍ୟକ୍ଷ ଭାବେ ପୂର୍ବତନ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ, ଉପାଧ୍ୟକ୍ଷ ଭାବେ ୟୁସିସିଆଇଏଲ୍‌ର ପୂର୍ବତନ ସଭାପତି ବ୍ରହ୍ମାନନ୍ଦ ମିଶ୍ର, ଏଡିଜି ସଂଜୀବ ପଣ୍ଡା ସଭାପତି ଦାୟିତ୍ବରେ ଥିବା ମଧ୍ୟ ସୂଚନା ଦିଆଯାଇଛି।

 

 

 

ସୌଜନ୍ୟ ସମ୍ବାଦ