ଖେଳଜାତୀୟ

Test Debut: ଟେଷ୍ଟ୍‌ ପଦାର୍ପଣ କଲେ ସୂତାର

ମୁଲାନପୁର: ଭାରତର ଉଦୀୟମାନ ତାରକା ମାନବ ସୂତାର ଆନୁଷ୍ଠାନିକ ଭାବେ ଟେଷ୍ଟ୍‌ ପଦାର୍ପଣ କରିଛନ୍ତି। ଶନିବାର ଏଠାରେ ଆରମ୍ଭ ହୋଇଥିବା ଆଫ୍‌ଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ୍‌ରେ ୨୩ ବର୍ଷୀୟ ଏହି ରାଜସ୍ଥାନ ଅଲ୍‌ରାଉଣ୍ଡର ୩୧୯ତମ ଭାରତୀୟ ଟେଷ୍ଟ୍‌ ଖେଳାଳି ହୋଇଛନ୍ତି। ସେ କୁଲଦୀପ ଯାଦବଙ୍କୁ ଟେଷ୍ଟ୍‌ ଟୋପି ଗ୍ରହଣ କରିଥିଲେ। ଘରୋଇ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ଯୋଗୁଁ ସେ ହର୍ଷ ଦୁବେଙ୍କୁ ପଛରେ ପକାଇ ମୁଲାନପୁର ଟେଷ୍ଟ୍‌ ପଦାର୍ପଣ ସୁଯୋଗ ପାଇଛନ୍ତି। ରାଜସ୍ଥାନ ପକ୍ଷରୁ ୨୦୨୨ରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପଦାର୍ପଣ କରିଥିବା ଏହି ବାମହାତୀ ସ୍ପିନର୍‌ ୨୯ ମ୍ୟାଚ୍‌ ଖେଳି ୨.୯୪ ଇକୋନୋମିରେ ୧୨୯ ୱିକେଟ୍‌ ଅକ୍ତିଆର କରିଛନ୍ତି।

ଗୁଜରାଟ ଟାଇଟନ୍ସ ପକ୍ଷରୁ ୪ ମ୍ୟାଚ୍‌ ଖେଳି ୨ ୱିକେଟ୍‌ ନେଇଥିଲେ

ନିକଟରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ତାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଗତ ଜାନୁଆରିରେ ହିମାଚଳପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ସୂତାର ୧୨୦ ରନ୍‌ କରିବା ସହ ୭ ୱିକେଟ୍‌ ନେଇଥିଲେ। ବ୍ୟାଟିଂରେ ସେ ୨୫.୫୪ ହାରାହାରିରେ ୯୪୫ ପ୍ରଥମ ଶ୍ରେଣୀ ରନ୍‌ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୬ ଅର୍ଦ୍ଧଶତକ ରହିଛି। ଲିଷ୍ଟ୍‌-ଏ’ରେ ସେ ୨୫ମ୍ୟାଚ୍‌ରୁ ୩୪ ଏବଂ ୨୮ ଟ୍ବେଣ୍ଟି-୨୦ରେ ୨୫ୱିକେଟ୍‌ଅକ୍ତିଆର କରିଛନ୍ତି। ଗତ ଆଇପିଏଲ୍‌ରେ ସେ ଗୁଜରାଟ ଟାଇଟନ୍ସ ପକ୍ଷରୁ ୪ ମ୍ୟାଚ୍‌ ଖେଳି ୨ ୱିକେଟ୍‌ ନେଇଥିଲେ।

 

 

ସୌଜନ୍ୟ ସମ୍ବାଦ

Show More
Back to top button