
ବଡବିଲ: ପ୍ରେମ ନା ପ୍ରତିଶୋଧ! ଇନଷ୍ଟାଗ୍ରାମ୍ ଭିଡିଓକୁ ନେଇ ବଢ଼ିଲା ସନ୍ଦେହ, ଆଉ ତା’ପରେ ପ୍ରେମିକାକୁ ଅତି ବିଭତ୍ସ ଭାବେ ହତ୍ୟା କଲା ପ୍ରେମିକ । ହତ୍ୟାର ୨୬ ଦିନ ପରେ ଜଙ୍ଗଲରୁ ଉଦ୍ଧାର ହେଲା ଯୁବତୀଙ୍କ କଙ୍କାଳ । ବଡ଼ବିଲ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଶବକୁ ୫ କିଲୋମିଟର ଦୂର ଘଞ୍ଚ ଜଙ୍ଗଲରେ ପୋତି ଦେଇଥିଲା ଅଭିଯୁକ୍ତ ପ୍ରେମିକ । ତେବେ ପୋଲିସ ଆଗରେ ସବୁ ସତ ସ୍ୱୀକାର କରିଛି ନରହନ୍ତା ।
ପ୍ରେମ ପାଲଟିଲା କାଳ । ସନ୍ଦେହ ସୁତା ଖିଅରେ ବଳି ପଡ଼ିଗଲା ଆଉ ଏକ ଜୀବନ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁ ଦୁମ୍ବି ସାହିରେ ଘଟିଛି ଏକ ହୃଦୟବିଦାରକ ତଥା ଜଘନ୍ୟ ହତ୍ୟାକାଣ୍ଡ । ଗତ ମେ ମାସ ୧୧ ତାରିଖରୁ ନିଖୋଜ ଥିବା ୨୧ ବର୍ଷୀୟା ଯୁବତୀ ଅନିତା ମହାକୁଡ଼ଙ୍କ କଙ୍କାଳ ୨୬ ଦିନ ପରେ ଉଦ୍ଧାର ହୋଇଛି। ଆଉ ଏହି ହତ୍ୟାକାଣ୍ଡ ପଛରେ ରହିଛି ତାଙ୍କ ପ୍ରେମିକ ସଂଗ୍ରାମ ଆଲଦାର ହାତ । ଅନ୍ୟ ଜଣେ ଯୁବକଙ୍କ ସହ ଅନିତାଙ୍କର ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି, ସଂଗ୍ରାମ ଅତି ନିର୍ମମ ଭାବେ ଅନିତାଙ୍କୁ ଛୁରୀରେ ଭୁସି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି ।
ସୂଚନା ଅନୁଯାୟୀ, ଗତ ମେ ୧୧ ତାରିଖରୁ ଅନିତା ନିଖୋଜ ଥିବା ବେଳେ ଗତକାଲି କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶ ପରେ ବଡ଼ବିଲ ପୋଲିସ ତଦନ୍ତ ଜୋରଦାର କରିଥିଲା । ଅଭିଯୁକ୍ତ ପ୍ରେମିକ ସଂଗ୍ରାମକୁ ଗିରଫ କରିବା ପରେ ସାମ୍ନାକୁ ଆସିଥିଲା ପୂରା ଘଟଣା । ଆଜି ସ୍ପେସାଲ ମାଜିଷ୍ଟ୍ରେଟ୍ ତଥା ତହସିଲଦାର ରାକେଶ କୁମାର ପଣ୍ଡା ଓ ଫୋରେନ୍ସିକ୍ ଟିମ୍ ସହ ଅଭିଯୁକ୍ତକୁ ନେଇ ପୋଲିସ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କରିଛି । ରଇଡ଼ା ସିଦ୍ଧମଠ ସଂରକ୍ଷିତ ଜଙ୍ଗଲର ଏକ ଖାତରୁ ମାଟି ଖୋଳି ଅନିତାଙ୍କ କଙ୍କାଳ ଉଦ୍ଧାର କରାଯାଇଛି । ଏହା ସହ ଘଟଣାରେ ବ୍ୟବହୃତ ବାଇକ୍, ଧାରୁଆ ଅସ୍ତ୍ର, ଯୁବତୀଙ୍କ ଚୁନି ଓ ଚପଲ ମଧ୍ୟ ଜବତ କରିଛି ପୋଲିସ ।
ପୋଲିସ କହିବା ମୁତାବକ, ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିଲା । ହେଲେ ସଂଗ୍ରାମ ୩-୪ ମାସ ପାଇଁ ବାହାରକୁ ଯାଇଥିବା ବେଳେ ଅନିତାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ଇନଷ୍ଟାଗ୍ରାମରେ ଫଟୋ ଓ ଭିଡିଓ ଦେଖି ସେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା । ତାଙ୍କର ସନ୍ଦେହ ହୋଇଥିଲା ଅନିତା ତାଙ୍କୁ ଛାଡି ସେ ଯୁବକକୁ ଭଲ ପାଉଛନ୍ତି । ଗତ ମେ ୧୧ ତାରିଖରେ ଅନିତାକୁ ସାହି ନିକଟସ୍ଥ ଫୁଟବଲ ପଡ଼ିଆ ପାଖ ଜଙ୍ଗଲ କେନ୍ଦୁଗଛ ମୂଳକୁ ଡାକି ସେଠାରେ ଧାରୁଆ ଛୁରୀରେ ବେକକୁ ଚୋଟ ପରେ ଚୋଟ ପକାଇ ହତ୍ୟା କରିଥିଲା ।
ଏହାପରେ ପ୍ରମାଣ ନଷ୍ଟ ପାଇଁ ରକ୍ତଭିଜା ପୋଷାକକୁ ବଳିତା ଡ୍ୟାମରେ ଫିଙ୍ଗି, ରାତି ଅନ୍ଧାରରେ ଶବକୁ ବାଇକରେ ଲଦି ୫ କିଲୋମିଟର ଦୂର ରଇଡ଼ା ସିଦ୍ଧମଠ ଜଙ୍ଗଲରେ ପୋତି ଦେଇଥିଲା । ବର୍ତ୍ତମାନ ବଡ଼ବିଲ ଥାନାରେ ହତ୍ୟା ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ସେପଟେ ଅଭିଯୁକ୍ତ ସଂଗ୍ରାମକୁ ଫାଶୀ ଦେବା ପାଇଁ ଗ୍ରାମବାସୀ ଓ ପରିବାର ଲୋକେ ଜୋରଦାର ଦାବି କରିଛନ୍ତି ।
ଜଣେ ପ୍ରେମିକ ଯେ ଏତେ ନିଷ୍ଠୁର ହୋଇପାରେ, ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି । ସନ୍ଦେହର ବଶବର୍ତ୍ତୀ ହୋଇ ଜଣେ ୨୧ ବର୍ଷର ଯୁବତୀଙ୍କ ଜୀବନ ଦୀପକୁ ସବୁଦିନ ପାଇଁ ଲିଭାଇ ଦେଇଛି ଏହି ନରହନ୍ତା । ଏବେ ଅପେକ୍ଷା କୋର୍ଟରେ ଅଭିଯୁକ୍ତକୁ କେବେ ଏବଂ କିଭଳି କଠୋର ଶାସ୍ତି ମିଳୁଛି ।
ସୌଜନ୍ୟ Prameya News7




