ରାଜ୍ୟ

BMC Meeting: କମ୍ପିଲା ବିଏମସି କର୍ପୋରେସନ ବୈଠକ, ପରିମଳ ଟେଣ୍ଡରକୁ ନେଇ ଧାରଣା

  • ୬ ମାସ ହେଲା କାହିଁକି ଅଟକିଛି ଟେଣ୍ଡର: ବିଜେଡି
  • ପ୍ରକ୍ରିୟାରେ ସ୍ୱଚ୍ଛତା ନାହିଁ: ବିଜେପି

ଭୁବନେଶ୍ୱର ୨୮\୧୦: ୱାର୍ଡରେ ଅଳିଆ ଗଦା ହୋଇଛି । ଟେଣ୍ଡର ସରିଯାଇଥିବାରୁ ଏଜେନ୍ସି ଅଳିଆ ଉଠାଉନି । ନୂଆ ଟେଣ୍ଡର ସରକାରଙ୍କ ପାଖେ ଅଟକି ରହିଛି । ଫାଇଲ ହଲୁନି । ସରକାରୀ ଉଦାସୀନତା ଯୋଗୁଁ ସହରବାସୀ ଦୁର୍ଗନ୍ଧରେ ସଢ଼ୁଛନ୍ତି । ଏମିତି ଅଭିଯୋଗ ଆଣି ଆଜି ବିଏମ୍ସି କର୍ପୋରେସନ ବୈଠକରେ ଧାରଣାରେ ବସିଥିଲେ ବିଜେଡି କର୍ପୋରେଟର । ଜବାବରେ ବିଜେପି କର୍ପୋରେଟର ଯୁକ୍ତି ବାଢିଥିଲେ, ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ନାହିଁ । ତେବେ ଏହି ହୋହାଲ୍ଲା ଭିତରେ ଆଜି କର୍ପୋରେସନ ବୈଠକରେ ୧୬ଟି ପ୍ରସ୍ତାବ ପାରିତ ହୋଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ୪୫ତମ ସାଧାରଣ ବୈଠକରେ ବିଏମସି କମିଶନର ଚଞ୍ଚଳ ରାଣା ଏବଂ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଉପସ୍ଥିତ ଥିଲେ । ବୈଠକ ଆରମ୍ଭରୁ ୪ ନମ୍ବର ୱାର୍ଡ ସୁକୁମାର ସାହୁଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ବିଏମ୍ସି କମିଶନର ଶ୍ରୀ ରାଣା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ସ୍ୱାଗତ ଭାଷଣ ନ ସରୁଣୁ ଗୃହରେ ଆରମ୍ଭ ହୋଇଥିଲା ଝଡ଼ । ବିଜେଡି କର୍ପୋରେଟରମାନେ ପରିମଳ ଏବଂ ଷ୍ଟ୍ରିଟ୍ ଲାଇଟ୍ ଅଚଳ ପ୍ରସଙ୍ଗକୁ ନେଇ ହୋହଲ୍ଲା ଆରମ୍ଭ କରିଥିଲେ । ପରିମଳ ଟେଣ୍ଡରକୁ କାହିଁକି ଚୂଡାନ୍ତ କରାଯାଉନାହିଁ ବୋଲି କର୍ପୋରେଟରମାନେ ପ୍ରଶ୍ନ କରିଥିଲେ । ସହରରେ ପରିମଳ ଅବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଥିବା ବେଳେ ସରକାର ଏହାକୁ ଗୁରୁତର ସହ ନେଉନାହାନ୍ତି ବୋଲି ଅଭିଯୋଗ ଉଠିଥିଲା । କେବଳ ଏତିକିରେ ଅଟକି ନଥିଲେ ବିରୋଧୀ କର୍ପୋରେଟର । ଷ୍ଟ୍ରିଟ୍ ଲାଇଟ୍ ପ୍ରସଙ୍ଗକୁ ନେଇ ମଧ୍ୟ ବିଷ ଓଗାଳିଥିଲେ । ପ୍ରତିବାଦରେ କର୍ପୋରେଟରମାନେ ପୋଡିୟମ ତଳେ ଧାରଣାରେ ବସିଲେ । ଦୀର୍ଘସମୟ ପର୍ଯ୍ୟନ୍ତ ବିଏମସି କର୍ପୋରେସନ ବୈଠକ ଚାଲି ପାରିନଥିଲା । ତେବେ ମେୟର ଓ କମିଶନର ୧୦ ଦିନ ମଧ୍ୟରେ ସମାସ୍ୟାର ସମାଧାନ କରିବା ପାଇଁ ଉଦ୍ୟମ କରିବେ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ଏବଂ ଏଜେଣ୍ଡା ଅନୁଯାୟୀ ଗୃହ ଚାଲିଥିଲା ।

 

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button