ରାଜ୍ୟ

Sanaghagara : ସାନଘାଗରାରେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ‘ପ୍ରକୃତି ନିବାସ’, କୋନୋପି ସହ ଟ୍ରି ହାଉସ୍‌ର ମଜା

କେନ୍ଦୁଝର, ୨୮/୧୦ : କେନ୍ଦୁଝର ବନଖଣ୍ଡ ଅଧୀନରେ ସାନଘାଗରା ନିକଟରେ ବନବିଭାଗର ପ୍ରକୃତି ନିବାସ ରହିଛି । ୨୦୧୭ ମସିହାରେ ଏହି ପ୍ରକୃତି ନିବାସ ଲୋକାର୍ପଣ କରାଯିବା ପରେ ଏବେ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ଅଭିନବ ପ୍ରୟାସ ବନବିଭାଗ ପକ୍ଷରୁ କରାଯାଇଛି । ପ୍ରକୃତି ନିବାସ ପରିସରରେ ଝୁଲନ୍ତା ପୋଲ (କେନୋପି) ମାଧ୍ୟମରେ ପର୍ଯ୍ୟଟକ ମଜା ଉଠାଇବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ୨ଟି ସ୍ଥାନରେ ଟ୍ରି ହାଉସ କରାଯାଇ ପର୍ଯ୍ୟଟକ ବିଶ୍ରାମ ନେବାର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ୫ଟି କଟେଜ୍‌ ରହିଥିବା ବେଳେ ଏବେ ପର୍ଯ୍ୟଟକଙ୍କ ଚାହିଦା ପାଇଁ ପୁଣି ୩ଟି ନୂଆ କଟେଜ୍‌ କରାଯାଇଛି । ଆଗୁଆ ବୁକିଂ ନକଲେ ପ୍ରକୃତି ନିବାସରେ ସ୍ଥାନ ପାଇବା କଷ୍ଟକର ହୋଇପଡିଛି ।

ବାହାର ରାଜ୍ୟର ପର୍ଯ୍ୟଟକଙ୍କ ସୁଅ ଏବେ କେନ୍ଦୁଝରକୁ ଛୁଟିଥିବା ବେଳେ ରାତ୍ରୀଯାପନ କରିବା ପାଇଁ ପ୍ରକୃତି ନିବାସ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଛି । ପ୍ରକୃତି କୋଳରେ ସାନଘାଗରା ସଂଲଗ୍ନ ପ୍ରକୃତି ନିବାସରେ ରାତ୍ରୀଯାପନ କରିବା ଏକ ନିଆରା ଅନୂଭୂତି । ସାରା ଦେଶ ସହିତ ବିଦେଶୀରୁ ମଧ୍ୟ ପର୍ଯ୍ୟଟକମାନେ ଆକର୍ଷିତ ହୋଇ ରାତ୍ରୀଯାପନ କରିବାକୁ ଛୁଟି ଆସିଥାନ୍ତି । ଏହାର ପରିବେଶ ସହିତ ଦେଶୀ ଖାଦ୍ୟ ଓ ଆଦିବାସୀ ନୃତ୍ୟ ଉପଭୋଗ କରିବା ପାଇଁ ବନବିଭାଗ ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି । ତେବେ ଏଥର ପୁଣି ଏକ କେନୋପି (ଝୁଲନ୍ତା ପୋଲ) ଏହି ପ୍ରକୃତି ନିବାସ ପରିସରରେ ନିର୍ମାଣ କରାଯାଇଛି । ଝୁଲନ୍ତା ପୋଲରେ ପ୍ରାୟ ୨୦ ଫୁଟ୍‌ ଉଚ୍ଚରେ ଝୁଲି ଝୁଲି ଚାଲିବାର ମଜା ପର୍ଯ୍ୟଟକମାନଙ୍କୁ ବେଶ ଆମୋଦିତ କରିବ । ଝୁଲନ୍ତା ପୋଲର ତଳ ଭାଗ କାଠ ପଟାରେ ବନ୍ଧା ଯାଇଛି । ଦୁଇ ପାର୍ଶ୍ୱରେ ଜାଲ ବନ୍ଧା ଯାଇଛି । ଶକ୍ତିଶାଳୀ ତାର ଦ୍ୱାରା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପାଦ ରଖି ଝୁଲାରେ ଚାଲିଲେ ଦୋଳି ଖେଳିବା ଭଳି ମଜା ମିଳିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ପ୍ରକୃତି ନିବାସ ପରିସରରେ ୩ଶହ ଫୁଟ୍‌ ଲମ୍ବରେ ଏହି କେନୋପି କରାଯାଇଛି । ମଝିରେ ମଝିରେ ବିଶ୍ରାମ ନେବା ପାଇଁ ଦୁଇଟି ବଡ଼ ଗଛକୁ ବାନ୍ଧି ଟ୍ରି ହାଉସ କରାଯାଇଛି । କେନୋପିରେ ଚାଲିବା ପରେ ସେଠାରେ ବସି ବିଶ୍ରାମ ନେବା ପାଇଁ ବ୍ୟବସ୍ଥା କରାଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button