ଦେଶ ବିଦେଶ

CBSE raw: ସାର୍ଥକଙ୍କୁ ପ୍ରଶଂସା, ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ରାହୁଲ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଲାଗୁ ହୋଇଥିବା ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମ୍ (ଓଏସଏମ୍) ଓ ଏହାର ଟେଣ୍ଡର ପ୍ରକ୍ରିୟାରେ ‘କୋଏମ୍ପଟ୍’ କମ୍ପାନୀ ସହ ହୋଇଥିବା ମଧୁଚନ୍ଦ୍ରିକାକୁ ପଦାରେ ପକାଇଥିବା ୧୮ ବର୍ଷୀୟ ହୁଇସିଲ୍ ବ୍ଲୋଅର୍ ଛାତ୍ର ସାର୍ଥକ ସିଦ୍ଧାନ୍ତ ଓ ତାଙ୍କ ସହଯୋଗୀ ନିସର୍ଗ ଅଧିକାରୀଙ୍କୁ ରବିବାର ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୂୟସୀ ପ୍ରଶଂସା କରିବା ସହ ଏହି ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଧାସଳଖ ବହିଷ୍କାର ଏବଂ ଏକ ସ୍ୱତନ୍ତ୍ର ନ୍ୟାୟିକ ତଦନ୍ତ ପାଇଁ ଦୃଢ଼ ଦାବି କରିଛନ୍ତି।

ସାର୍ଥକଙ୍କ ସହ ନିଜର ସାକ୍ଷାତକାର ଭିଡିଓ ସୋସିଆଲ ମିଡିଆ ଏକ୍ସରେ ସେୟାର କରି ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଯୁବପିଢ଼ିଙ୍କୁ କେବଳ “ରିଲ୍ସ ବନାଇବା ଓ ପକୋଡ଼ା ଛାଣିବା” କାର୍ଯ୍ୟରେ ବ୍ୟସ୍ତ ରଖିବାକୁ ଚାହୁଁଥିବା ବେଳେ, ଏହି ଦୁଇ ଛାତ୍ର ପ୍ରଶ୍ନ ପଚାରି ଦେଶର ବଡ଼ ବଡ଼ ଗଣମାଧ୍ୟମ ଓ ସିବିଆଇ ଠାରୁ ବି ଅଧିକ ଦ୍ରୁତ ଗତିରେ ସରକାରଙ୍କ ଦୁର୍ନୀତିକୁ ପଦାରେ ପକାଇ ଦେଇଛନ୍ତି, ଯାହା ପ୍ରକୃତ ଅର୍ଥରେ ସରକାରଙ୍କ ଏକ ବଡ଼ ପରାଜୟ।

ବାସ୍ତବରେ, ସିବିଏସ୍ଇ ପକ୍ଷରୁ ପାରମ୍ପରିକ ଖାତା ଦେଖା ବଦଳରେ ଆରମ୍ଭ ହୋଇଥିବା ଏହି ଡିଜିଟାଲ୍ ‘ଓଏସଏମ୍’ ବ୍ୟବସ୍ଥାକୁ ନେଇ ସେତେବେଳେ ବିବାଦ ତେଜିଥିଲା, ଯେତେବେଳେ ଅନେକ ଛାତ୍ରଛାତ୍ରୀ ସେମାନଙ୍କ ଅନଲାଇନ୍ ସ୍କାନ୍ ହୋଇଥିବା ଉତ୍ତରଖାତାର ହାତଲେଖା ମେଳ ଖାଉନଥିବା ନେଇ ଅଭିଯୋଗ କରିଥିଲେ। ଏହି ଘଟଣା ପରେ ସରକାର ଦୁଇ ଜଣ ବରିଷ୍ଠ ସିବିଏସଇ ଅଧିକାରୀଙ୍କୁ ପଦରୁ ହଟାଇ ଦେଇଥିଲେ ମଧ୍ୟ କଂଗ୍ରେସ ଏହାକୁ କେବଳ ଏକ ଆଖିଠାରୁଆ କାର୍ଯ୍ୟାନୁଷ୍ଠାନ ବୋଲି କହିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କୁ ଭେଟିବା ସହ ସେହି ଦିନ ହିଁ ଛାତ୍ର ସାର୍ଥକ ସିଦ୍ଧାନ୍ତ ଏକ ସଂସଦୀୟ କମିଟି ସମ୍ମୁଖରେ ହାଜର ହୋଇ ସିବିଏସଇର ଏହି ଟେଣ୍ଡର ଦୁର୍ନୀତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେଜେଣ୍ଟେସନ୍ ମଧ୍ୟ ଦେଇଛନ୍ତି, ଯାହା ସରକାରଙ୍କ ପାଇଁ ଅଡ଼ୁଆ ବଢ଼ାଇ ଦେଇଛି।

 

 

ସୌଜନ୍ୟ ସମ୍ବାଦ

Show More
Back to top button