6 dark horses: ନଜରରେ ୬ ଡାର୍କ ହର୍ସ
ଗୁରୁବାର ମଧ୍ୟରାତ୍ରରୁ ଫିଫା ବିଶ୍ବକପ୍ ଖେଳାଯିବାକୁ ଥିବାବେଳେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଆର୍ଜେଣ୍ଟିନା, ବ୍ରାଜିଲ୍, ଫ୍ରାନ୍ସ, ସ୍ପେନ୍, ଜର୍ମାନି ଓ ଇଂଲଣ୍ଡ ଭଳି ବଡ଼ ବଡ଼ ଦଳ ନିଜକୁ ପ୍ରତିଥର ଭଳି ଦାବିଦାର ତ ରଖିଛନ୍ତ।

ନ୍ୟୁୟର୍କ: ଗୁରୁବାର ମଧ୍ୟରାତ୍ରରୁ ଫିଫା ବିଶ୍ବକପ୍ ଖେଳାଯିବାକୁ ଥିବାବେଳେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଆର୍ଜେଣ୍ଟିନା, ବ୍ରାଜିଲ୍, ଫ୍ରାନ୍ସ, ସ୍ପେନ୍, ଜର୍ମାନି ଓ ଇଂଲଣ୍ଡ ଭଳି ବଡ଼ ବଡ଼ ଦଳ ନିଜକୁ ପ୍ରତିଥର ଭଳି ଦାବିଦାର ତ ରଖିଛନ୍ତ। କିନ୍ତୁ ଏଭଳି ୬ ଦେଶ ରହିଛନ୍ତି ଯେଉଁମାନେ ଡାର୍କ ହର୍ସ ବା କଳାଘୋଡ଼ା ଭାବେ କରିସ୍ମା କରିବାର ଦକ୍ଷତା ରଖିଛନ୍ତି। ସମସ୍ତଙ୍କ ନଜରରେ ଥିବା ଏହି ୬ ଦେଶ ହେଉଛନ୍ତି ମରକ୍କୋ, ନରୱେ, ତୁର୍କି, କଲମ୍ବିଆ, ମେକ୍ସିକୋ ଏବଂ ଜାପାନ। ଲୟ ବଜାୟ ରଖିଲେ ଏହି ଦଳଗୁଡ଼ିକ ମଧ୍ୟ ପାରମ୍ପରିକ ଶକ୍ତିର ଦଳ ପାଇଁ ଆହ୍ବାନ ଆଣିପାରିବେ। ୨୦୧୮ରେ କ୍ରୋଏସିଆ ଏବଂ ୨୦୨୨ରେ ମରକ୍କୋର ଐତିହାସିକ ସେମିଫାଇନାଲ୍ ପ୍ରବେଶ ବି ଆଶା ରଖିଛି ସେଭଳି କିଛି ଅପ୍ରତ୍ୟାଶିତ ଫଳାଫଳକୁ। ମୋଟ ଦଳ ୪୮କୁ ବଢ଼ିଥିବାରୁ ଏକାଧିକ ବିପର୍ଯ୍ୟୟର ବିପଦ ବି ରଖଛି ଏଥରର ବିଶ୍ବକପ୍।
ମରକ୍କୋ (ଫିଫା ମାନ୍ୟତା ୭)
ଆଫ୍ରିକାର ସର୍ବୋଚ୍ଚ ମାନ୍ୟତା ତଥା ଶକ୍ତିଶାଳୀ ତଥା ସଂଗଠିତ ଦଳ ଭାବେ ମରକ୍କୋ ଏଥର ବି କମାଲ କରିବ ବୋଲି ଆଶା ରଖିଛି। ପ୍ରଥମ ଆଫ୍ରିକୀୟ ଦେଶ ଭାବେ ୨୦୨୨ କତର ସଂସ୍କରଣରେ ମରକ୍କୋ ସେମିଫାଇନାଲ୍ ପହଞ୍ଚି ଇତିହାସ ରଚିଥିଲା। ଅଚରାଫ ହାକିମି, ସୋଫ୍ୟାନ୍ ଅମ୍ରାବାଟ, ବ୍ରାହ୍ମୀମ ଡାଏଜଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ଏଥର ବି ଅନ୍ୟ ଦଳ ପାଇଁ ବିପଦର ଘଣ୍ଟି ବଜାଇପାରିବ।
ନରୱେ (ଫିଫା ମାନ୍ୟତା ୩୧)
ଦୀର୍ଘ ୨୮ ବର୍ଷ ପରେ ନରୱେ ଫିଫା ବିଶ୍ବକପ୍କୁ ଫେରିଛି। ଶେଷ ଥର ପାଇଁ ଏହି ଦେଶ ୧୯୯୮ରେ ଖେଳିଥିଲା। ଆକ୍ରମଣାତ୍ମକ ଫୁଟ୍ବଲ୍ ଖେଳ ପାଇଁ ପରିଚିତ ନରୱେ। ଏର୍ଲିଙ୍ଗ ହାଲାଣ୍ଡ୍, ଅଧିନାୟକ ମାର୍ଟିନ ଓଡ଼ିଗାର୍ଡଙ୍କ ସ୍କୋରିଂ ଦକ୍ଷତା ଏହି ଦଳକୁ ଉଭା କରାଇଛି। ଆଲେକଜାଣ୍ଡର ସୋରଲଥ୍, ଓସ୍କାର ବବ୍, ଆଣ୍ଟୋନିଓ ନୁସାଙ୍କ ଭଳି ପ୍ରତିଭା ବି ବିଶ୍ବକପ୍ ଦାବିଦାରଙ୍କ ପାଇଁ ବାଟ ଓଗାଳିବାର କ୍ଷମତା ରଖିଛନ୍ତି। ମରସ୍କୋ ବିପକ୍ଷ ୱାର୍ମ ଅପ୍ ମ୍ୟାଚ୍ରେ ଦଳର ପରିପକ୍ବ ଖେଳ ବି ଚର୍ଚ୍ଚାକୁ ଆସିଛି।
ତୁର୍କି (ଫିଫା ମାନ୍ୟତା ୨୨)
୨୦୦୨ ଜାପାନ/କୋରିଆ ସଂସ୍କରଣରେ ଉଲ୍ଲେଖନୀୟ ଭାବେ ତୃତୀୟ ସ୍ଥାନ ପାଇଥିବା ତୁର୍କି ଏବେ ନୂଆ ପିଢ଼ିଙ୍କୁ ନେଇ ଚମତ୍କାର ଖେଳୁଛି। ଯୁବ ତାରକାଙ୍କୁ ନେଇ ଏହି ଦଳ ଦେଶର ସୁବର୍ଣ୍ଣ ଯୁଗରେ ରହିଛି ବୋଲି କୁହାଯାଉଛି। ଯୁବ ତାରକା ତଥା ପ୍ଲେ ମେକର ଆର୍ଡା ଗୁଲର ଏବଂ ଫରୱାର୍ଡ କିନାନ ଲିଡିଜ୍ ଏହି ପିଢ଼ିର ପ୍ରତିନିଧିତ୍ବ କରିଛନ୍ତି। ୨୪ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଏହି ପଶ୍ଚିମ ଏସିଆ ଏବଂ ଆଂଶିକ ୟୁରୋପୀୟ ମାଟିର ଦେଶ ନକ୍ଆଉଟ୍ ପର୍ଯ୍ୟାୟରେ ସବୁଠାରୁ ବିପଜ୍ଜନକ ଦଳ ହେବ ବୋଲି ଆଶା କରାଯାଉଛି।
କଲମ୍ବିଆ (ଫିଫା ମାନ୍ୟତା ୧୩)
ସବୁଠାରୁ ସନ୍ତୁଳିତ ଦଳ ଭାବେ କଲମ୍ବିଆ ଆସିଛି ଫିଫା ବିଶ୍ବକପ୍ ମଇଦାନକୁ। ୨୦୨୨ ସଂସ୍କରଣ ମିସ୍ କରିଥିବା ଏହି ଦେଶ ଏବେ ଶୃଙ୍ଖଳିତ ଡିଫେନ୍ସ ଓ ଆକ୍ରମଣାତ୍ମକ ଫରୱାର୍ଡକୁ ନେଇ ଭରସାଯୋଗ୍ୟ ଶକ୍ତି ଭାବେ ଉଭା ହୋଇଛି। ୱିଙ୍ଗର୍ ଲୁଇସ୍ ଡାଏଜ୍ ସବୁଠାରୁ ଆକ୍ରମଣାତ୍ମକ ଖେଳାଳି ଥିବାବେଳେ ଷ୍ଟ୍ରାଇକର୍ ଝୋନ ଡୁରାନ ଅଗ୍ରଭାଗରେ ପେସ୍ ଓ ପାୱାରର ପ୍ରତିଫଳନ ହେବେ। ଦକ୍ଷିଣ ଆମେରିକାର ଏହି ପାରମ୍ପାରିକ ବଡ଼ ଦଳ ସମସ୍ତ ସାମର୍ଥ୍ୟ ଓ କ୍ଷମତା ରଖିଛି ଡାର୍କ ହର୍ସ ଭାବେ।
ମେକ୍ସିକୋ (ଫିଫା ମାନ୍ୟତା ୧୪)
ମାତ୍ର କିଛି ଦେଶ ରହିଛନ୍ତି ଯେଉଁମାନେ ଘରୋଇ ପ୍ରଶଂସକଙ୍କ ଦୃଢ଼ ସମର୍ଥନ ପାଇବେ ପଡ଼ିଆ ପାର୍ଶ୍ବରୁ। ସେମାନଙ୍କ ମଧ୍ୟରେ ମେକ୍ସିକୋ ସବୁଠାରୁ ଆଗରେ ରହିଛି। ଅନ୍ୟତମ ଯୁଗ୍ମ ଆୟୋଜକ ଭାବେ ଏହି ‘ଏଲ୍ ଟ୍ରାଏକଲର୍’ ଦେଶକୁ ପ୍ରତିଯୋଗିତା ସାରା ଘରୋଇ ପ୍ରଶଂସକ ଅତିରିକ୍ତ ମନୋବଳ ଯୋଗାଇବେ। ଫରୱାର୍ଡ ସାଣ୍ଟିଆଗୋ ଗିମେନେଜ୍ ଏହି ନୂଆ ପିଢ଼ିର ଦଳକୁ ନେତୃତ୍ବ ନେବେ। ଭେଟେରାନ୍ ଗୋଲକିପର୍ ଗୁଲେର୍ମୋ ଓଚାଓ ନିଜ ଷଷ୍ଠ ବିଶ୍ବକପ୍ ଖେଳି ଇତିହାସ ରଚିବେ। ଅନ୍ୟତମ ଉତ୍ତର ଆମେରିକୀୟ ଦଳ ମେକ୍ସିକୋ ବିଗତ ୮ ସଂସ୍କରଣ ବିଶ୍ବକପ୍ରେ ନକ୍ ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ ମଧ୍ୟ ଆଗକୁ ବଢ଼ିପାରିନାହିଁ। ଘରୋଇ ପରିବେଶ କାରଣରୁ ଏହାର ପ୍ରଶଂସକଙ୍କୁ ବିଶ୍ବାସ ଏଥର ଦେଶ ଆଉ କିଛି ପାଦ ଆଗକୁ ଯିବ।
ଜାପାନ (ଫିଫା ମାନ୍ୟତା ୧୮)
ଅନ୍ତର୍ଜାତୀୟ ଫୁଟ୍ବଲ୍ରେ ଯେତେ ଅଣ୍ଡରରେଟେଡ୍ ଦେଶ ରହିଛନ୍ତି ଜାପାନ ସେମାନଙ୍କ ଭିତରେ ସବୁଠାରୁ ସ୍ଥିର ପ୍ରଦର୍ଶନକାରୀ। ‘ସମୁରାଇ ବ୍ଲୁ’ ବାହିନୀ ଶେଷ ୫ଟି ବିଶ୍ବକପ୍ ମଧ୍ୟରୁ ୪ଟିରେ ନକ୍ ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏସିଆର ସବୁଠାରୁ ପ୍ରତିଭାବାନ ଖେଳାଳିଙ୍କୁ ରଖିିଥିବା ଏହି ଦେଶ ନିଜ ମହାଦେଶର ସମ୍ମାନ ରଖିବ ବୋଲି ଆଶା କରାଯାଉଛି। କାଓରୁ ମିତୋମା, ତାକେଫୁସା କୁବା, ୱାତାରୁ ଏଣ୍ଡୋ ପ୍ରମୁଖ ୟୁରୋପରେ ଉଚ୍ଚସ୍ତରୀୟ ଫୁଟ୍ବଲ୍ ଖେଳିଛନ୍ତି। ବୈଷୟିକ ଗୁଣବତ୍ତା, ଶୃଙ୍ଖଳିତ କୌଶଳ ଓ ପ୍ରତିଯୋଗିତା ଅଭିଜ୍ଞତା ଦୃଷ୍ଟିକୋଣରୁ ଜାପାନ ମଧ୍ୟ ଏଥର ପାରମ୍ପରିକ ଦଳଗୁଡ଼ିକକୁ କଡ଼ା ଟକ୍କର ଦେବ ବୋଲି ବିଶ୍ବାସ ନେଇ ଆସିଛି।
ସୌଜନ୍ୟ ସମ୍ବାଦ




