Editorial: ମଧୁରେଣ ସମାପୟେତ୍
ସଂକଟର ମୁକାବିଲା କରିବା ନିମିତ୍ତ ଦେଶବାସୀ ମିତବ୍ୟୟିତା ଅବଲମ୍ବନ କରିବାକୁ ଯେଉଁ ଆହ୍ବାନ ଦିଆଯାଇଛି, ତାହାର ପ୍ରଭାବରେ ମୋଟ ଘରୋଇ ଚାହିଦାରେ ଯଦି ଆଗାମୀ ଦିନମାନଙ୍କରେ ସଂକୋଚନ ଘଟିବାକୁ ଆରମ୍ଭ କରେ, ତେବେ ତାହାର ଫଳସ୍ବରୂପ ଆଗାମୀ ଚଉଠମାନଙ୍କରେ....

ସଂକଟର ମୁକାବିଲା କରିବା ନିମିତ୍ତ ଦେଶବାସୀ ମିତବ୍ୟୟିତା ଅବଲମ୍ବନ କରିବାକୁ ଯେଉଁ ଆହ୍ବାନ ଦିଆଯାଇଛି, ତାହାର ପ୍ରଭାବରେ ମୋଟ ଘରୋଇ ଚାହିଦାରେ ଯଦି ଆଗାମୀ ଦିନମାନଙ୍କରେ ସଂକୋଚନ ଘଟିବାକୁ ଆରମ୍ଭ କରେ, ତେବେ ତାହାର ଫଳସ୍ବରୂପ ଆଗାମୀ ଚଉଠମାନଙ୍କରେ ‘ଜିଡିପି’ର ବାସ୍ତବ ଅଭିବୃଦ୍ଧି ହାରରେ ସ୍ଖଳନ ଘଟିବାକୁ ଆରମ୍ଭ କରିପାରେ। ତେଣୁ ୨୦୨୫-୨୬ ବିତ୍ତ ବର୍ଷର ଚତୁର୍ଥ ଚଉଠରେ ପରିଦୃଷ୍ଟ ଉଚ୍ଚ ଅଭିବୃଦ୍ଧି ହାରକୁ ଆମେ ଆଗାମୀ ଚଉଠମାନଙ୍କର ପ୍ରତିନିଧି ରୂେପ ଗ୍ରହଣ କରିବା ନିରାପଦ ନ ହୋଇପାରେ।
୨୦୨୬ ଫେବ୍ରୁଆରି ମାସର ଶେଷ ଦିନ ଅର୍ଥାତ୍ ୨୮ ତାରିଖରେ ଆମେରିକା ରାଷ୍ଟ୍ରପତି ଇରାନ ଉପରେ ଆକ୍ରମଣ କରି ଚଳିତ ପଶ୍ଚିମ ଏସିଆ ଯୁଦ୍ଧ ଆରମ୍ଭ କଲେ। ଏହି ଅଞ୍ଚଳ ପୃଥିବୀରେ ବ୍ୟବହୃତ ଜୀବାଶ୍ମ ଇନ୍ଧନ ପେଟ୍ରୋଲିଅମ ଓ ପ୍ରାକୃତିକ ବାଷ୍ପର ମୁଖ୍ୟ ଉତ୍ସ ହୋଇଥିବାରୁ ଏହି ଅତ୍ୟାବଶ୍ୟକ ଶକ୍ତି ଯୋଗାଣ ଗୁରୁତର ଭାବରେ ବ୍ୟାହତ ହୋଇ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶର ଅର୍ଥନୀତି ପାଇଁ ଘୋର ସମସ୍ୟା ସୃଷ୍ଟି କରିଛି। ବିଶେଷ କରି ଜୀବାଶ୍ମ ଇନ୍ଧନ ପାଇଁ ପ୍ରାୟ ସଂପୂର୍ଣ୍ଣ ରୂପେ ଆମଦାନି ଉପରେ ନିର୍ଭରଶୀଳ ହୋଇଥିବା ଭାରତ ଭଳି ଦେଶ ପାଇଁ ଏହା ଏକ ଅକାଳ ଅଶନି ଭଳି ଆବିର୍ଭୂତ ହୋଇଛି କହିଲେ ଭୁଲ୍ ହେବ ନାହିଁ।
ପଶ୍ଚିମ ଏସିଆରେ ଏଇ ଅସ୍ଥିରତା ସୃଷ୍ଟି ହେବା ବେଳକୁ ଭାରତ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍ ଅର୍ଥନୀତି ରୂପେ ନିଜକୁ ପ୍ରତିଷ୍ଠିତ କରି ସାରିଥିଲା। ସ୍ବାଭାବିକ ଭାବରେ ଆଶଙ୍କା କରାଯାଉଛି ଯେ ଏଇ ଅସ୍ଥିରତାଜନିତ ବିଭ୍ରାଟ ଯୋଗୁଁ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇ ସେଥିରେ ମନ୍ଥରତା ପ୍ରବେଶ କରିବ। କେବଳ ତୈଳ ଯୋଗାଣରେ ଅସ୍ଥିରତା ତଥା ତୈଳ ଦରରେ ବୃଦ୍ଧି ନୁହେଁ, ଏଭଳି ଏକ ଅସ୍ଥିର ସମୟରେ ନିବେଶକମାନଙ୍କ ମଧ୍ୟରେ ନିରୁତ୍ସାହ ମଧ୍ୟ ଅଭିବୃଦ୍ଧି ପଥରେ ପ୍ରତିବନ୍ଧକ ସୃଷ୍ଟି କରିବାର ଦୃଢ଼ ସମ୍ଭାବନା ରହିଥାଏ। ଏଇ ପୃଷ୍ଠଭୂମିରେ ଭାରତୀୟ ଅର୍ଥନୀତି ହାସଲ କରିଥିବା ଅଭିବୃଦ୍ଧି (‘ଜିଡିପି’ରେ ଅଭିବୃଦ୍ଧି) ସମ୍ବନ୍ଧରେ ସଦ୍ୟ ପ୍ରକାଶିତ ସୂଚନା ସମସ୍ତଙ୍କୁ ଅଳ୍ପେବହୁତେ ଚକିତ କରିଦେଇଛି। ଭାରତର ୨୦୨୫-୨୬ ବିତ୍ତ ବର୍ଷର ଶେଷ ଅର୍ଥାତ୍ ଚତୁର୍ଥ ଚଉଠରେ ହାସଲ ହୋଇଥିବା ଅଭିବୃଦ୍ଧି ସଂପର୍କରେ ଗତ ସପ୍ତାହରେ ‘ନେସନାଲ୍ ଷ୍ଟାଟିଷ୍ଟିକ୍ସ ଅଫିସ’ (‘ଏନ୍ଏସ୍ଓ’) ଦ୍ବାରା ପ୍ରକାଶିତ ସୂଚନା ଏଇ ଅନୁଭବ ସୃଷ୍ଟି କରିଥାଏ।
ଏଠାରେ ମନେ ପକାଇ ଦିଆଯାଇପାରେ ଯେ ବିତ୍ତ ବର୍ଷର ଶେଷ ଚଉଠର ଶେଷ ମାସ ଅର୍ଥାତ୍ ମାର୍ଚ୍ଚ ମାସର ଆରମ୍ଭ ସହିତ ତାଳ ଦେଇ ଇରାନ ଯୁଦ୍ଧ ଆରମ୍ଭ ହୋଇଥିଲା। କୁହାଯାଇପାରେ ଯେ ୨୦୨୫-୨୬ ବିତ୍ତ ବର୍ଷର ଶେଷ ଚଉଠର ଏକ-ତୃତୀୟାଂଶ ଯୁଦ୍ଧ ଦ୍ବାରା ପ୍ରଭାବିତ ହୋଇଥିଲା। ଏହା ସତ୍ତ୍ବେ ‘ଏନ୍ଏସ୍ଓ’ ଦ୍ବାରା ପ୍ରଦତ୍ତ ସୂଚନାରୁ ଜଣାପଡ଼ିଛି ଯେ ମଧୁରେଣ ସମାପୟେତ୍ ଭଳି ଏଇ ଚଉଠରେ ଭାରତର ‘ଜିଡିପି’ ବା ମୋଟ ଘରୋଇ ଉତ୍ପାଦରେ ବାର୍ଷିକ ୭.୮ ଶତାଂଶ ହାରରେ ଅଭିବୃଦ୍ଧି ଘଟିଛି। ଭାରତୀୟ ଅର୍ଥନୀତିର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିବା ବିଶେଷଜ୍ଞ ଅର୍ଥନୀତିଜ୍ଞମାନେ ଏହି ଅଭିବୃଦ୍ଧିର ଆଶାବାଦୀ ପୂର୍ବାନୁମାନକୁ ୭.୨ ଶତାଂଶ ମଧ୍ୟରେ ସୀମିତ କରିଥିବା ବେଳେ ବାସ୍ତବ ଅଭିବୃଦ୍ଧି ହାର ତାହାକୁ ଅତିକ୍ରମ କରି ସମସ୍ତଙ୍କୁ ଚମତ୍କୃତ କରିଦେଇଛି।
ଶେଷ ଚଉଠର ଅଭିବୃଦ୍ଧି ହାର ପ୍ରକାଶ ପାଇବା ପରେ ସମଗ୍ର ୨୦୨୫-୨୬ ବିତ୍ତ ବର୍ଷ ପାଇଁ ଅର୍ଥନୀତିର ବାସ୍ତବ ଅଭିବୃଦ୍ଧି ହାର ସମ୍ବନ୍ଧରେ କରାଯାଇଥିବା ଅସ୍ଥାୟୀ ଆକଳନ ଅନୁସାରେ ତାହା ୭.୭ ଶତାଂଶ ହୋଇଛି ବୋଲି ବିଶ୍ବାସ କରାଯାଉଛି। ଏହାର ତତ୍ପାର୍ଯ୍ୟ ହୃଦୟଙ୍ଗମ କରିବାରେ ଯାହା ସହାୟକ ହୋଇଥାଏ, ତାହା ହେଲା- ଏହାର ପୂର୍ବ ବିତ୍ତ ବର୍ଷ ୨୦୨୪-୨୫ରେ ଭାରତୀୟ ଅର୍ଥନୀତି ହାସଲ କରିଥିବା ବାସ୍ତବ ଅଭିବୃଦ୍ଧି ହାର ଥିଲା ୭.୧ ଶତାଂଶ। ସମସ୍ତ ଘାତପ୍ରତିଘାତ ସତ୍ତ୍ବେ ୨୦୨୫-୨୬ ବିତ୍ତ ବର୍ଷରେ ‘ଜିଡିପି’ର ବାସ୍ତବ ଅଭିବୃଦ୍ଧି ହାର ପୂର୍ବ ବର୍ଷର ଅଭିବୃଦ୍ଧି ହାରକୁ ଅତିକ୍ରମ କରିବାର କାରଣ ଅନୁସନ୍ଧାନକାରୀମାନଙ୍କ ମଧ୍ୟରୁ କେତେକ ଏଇ ସମୟରେ ଅଭିବୃଦ୍ଧି ହାର ହିସାବ ନିମିତ୍ତ ପରିସାଂଖ୍ୟନିକ ପଦ୍ଧତିରେ କରାଯାଇଥିବା ପରିବର୍ତ୍ତନକୁ ଏଥିପାଇଁ ଦାୟୀ କରିଥାନ୍ତି। ନିର୍ଦ୍ଦିଷ୍ଟ ଭାବରେ ସେମାନେ ‘ଜିଡିପି’ ହିସାବ ପାଇଁ ବ୍ୟବହୃତ ଆଧାର ବର୍ଷରେ କରାଯାଇଥିବା ପରିବର୍ତ୍ତନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାନ୍ତି, ଯାହା ଅନୁସାରେ ପୂର୍ବର ୨୦୧୧-୧୨ ସ୍ଥାନରେ ବର୍ତ୍ତମାନ ୨୦୨୨-୨୩କୁ ଆଧାର ବର୍ଷର ମାନ୍ୟତା ପ୍ରଦାନ କରାଯାଇଛି। ଏଥି ସହିତ କାର୍ଯ୍ୟକାରୀ କରାଯାଇଥିବା ଅନ୍ୟ କେତେକ ହିସାବ ପଦ୍ଧତି ସହିତ ମିଶି ଆଧାର ବର୍ଷରେ ଘଟିଥିବା ଏହି ପରିବର୍ତ୍ତନ ଯୋଗୁଁ ଭାରତର ‘ଜିଡିପି’ର ଆକାରରେ କିଛି ମାତ୍ରାରେ ହ୍ରାସ ଘଟିଥିଲେ ହେଁ, ଏହାର ଅଭିବୃଦ୍ଧି ହାରରେ ଉନ୍ନତି ଘଟିବା ଦେଖାଯାଇଛି। ସନ୍ଦେହୀମାନେ ଯାହା ପ୍ରତି ଦୃଷ୍ଟି ଆକର୍ଷଣ କରି ଏହା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥାନ୍ତି, ତାହା ହେଲା ଏଇ ସମୟରେ ହାସଲ ହୋଇଥିବା ନାମମାତ୍ର ବା ନୋମିନାଲ୍ ଅଭିବୃଦ୍ଧି ହାର ଯେଉଁଥିରେ ମୁଦ୍ରାସ୍ଫୀତିର ପ୍ରଭାବ ଅନ୍ତର୍ଭୁକ୍ତ ହୋଇଥାଏ ଏବଂ ଯାହା ଏକ ଅପେକ୍ଷାକୃତ ନୀଚା ୮.୯ ଶତାଂଶ ହୋଇଛି। ଏହାର ଅର୍ଥ ଅଭିବୃଦ୍ଧି ହାରରୁ ମୁଦ୍ରାସ୍ଫୀତିର ପ୍ରଭାବକୁ କାଢ଼ି ନେଇ ବାସ୍ତବ ଅଭିବୃଦ୍ଧି ହାର ନିର୍ଣ୍ଣୟ କରିବା ପାଇଁ ବ୍ୟବହାର କରାଯାଉଥିବା ‘ଡିଫ୍ଲେଟର’ ଆଶା କରାଯାଉଥିବା ଠାରୁ କ୍ଷୁଦ୍ରତର ହୋଇଥିବାରୁ ବାସ୍ତବ ଅଭିବୃଦ୍ଧି ହାର ସ୍ତର ଏଭଳି ଉଚ୍ଚ ହୋଇଛି। କିନ୍ତୁ ଏହା ଦ୍ବାରା ସେମାନେ ଅନ୍ୟ ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ କାରଣକୁ ଅଣଦେଖା କରିଥାନ୍ତି, ତାହା ହେଲା ଏଇ ସମୟରେ ‘ଜିଏସ୍ଟି’ରେ ଘଟା ଯାଇଥିବା ହ୍ରାସ ଓ ପୂର୍ବରୁ ଆୟ କରରେ ପ୍ରଦାନ କରାଯାଇଥିବା ରିହାତିର ମିଳିତ ପ୍ରଭାବରେ ଦେଶରେ ଘରୋଇ ଚାହିଦା ସ୍ତରରେ ଯେଉଁ ଉନ୍ନତି ପରିଲକ୍ଷିତ ହୋଇଛି, ତାହା ନିଶ୍ଚିତ ରୂପେ ‘ଜିଡିପି’ର ବାସ୍ତବ ଅଭିବୃଦ୍ଧି ହାରରେ ଉନ୍ନତି ଘଟାଇବାରେ ସହାୟକ ହୋଇଛି। ବାସ୍ତବରେ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଘଟିଥିବା ଅଭିବୃଦ୍ଧି ହାର ଉପରେ ଦୃଷ୍ଟି ନିକ୍ଷେପ କଲେ ଯାହା ଦେଖିବାକୁ ମିଳିଥାଏ, ତାହା ଏହାକୁ ପ୍ରମାଣିତ କରିଥାଏ: ସେବା କ୍ଷେତ୍ରରେ ୯ ଶତାଂଶ, ମାନୁଫାକ୍ଚରିଙ୍ଗରେ ୧୦ ଶତାଂଶରୁ ଅଧିକ, ମୋଟ ସ୍ଥାୟୀ ପୁଞ୍ଜି ସଂରଚନାରେ ୮.୨ ଶତାଂଶ ଇତ୍ୟାଦି।
ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଅର୍ଥନୀତିକୁ ସମ୍ଭାବ୍ୟ ତୈଳ ସଂକଟ ଓ ଦର ବୃଦ୍ଧିରୁ ସୁରକ୍ଷିତ ରଖିବା ନିମିତ୍ତ ସରକାର ଯେଉଁ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ, ତାହା ମଧ୍ୟ ନିଶ୍ଚିତ ରୂପେ ଅଭିବୃଦ୍ଧି ଧାରାକୁ ଅବ୍ୟାହତ ରଖିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଅବଶ୍ୟ ସରକାର ଅନିର୍ଦ୍ଦିଷ୍ଟ କାଳ ଧରି ଅର୍ଥନୀତିକୁ ଏପରି ଘଣ୍ଟ ଘୋଡ଼ାଇ ରଖିପାରିବେ ନାହିଁ। ପୁଣି ସଂକଟର ମୁକାବିଲା କରିବା ନିମିତ୍ତ ଦେଶବାସୀ ମିତବ୍ୟୟିତା ଅବଲମ୍ବନ କରିବାକୁ ଯେଉଁ ଆହ୍ବାନ ଦିଆଯାଇଛି, ତାହାର ପ୍ରଭାବରେ ମୋଟ ଘରୋଇ ଚାହିଦାରେ ଯଦି ଆଗାମୀ ଦିନମାନଙ୍କରେ ସଂକୋଚନ ଘଟିବାକୁ ଆରମ୍ଭ କରେ, ତେବେ ତାହାର ଫଳସ୍ବରୂପ ଆଗାମୀ ଚଉଠମାନଙ୍କରେ ‘ଜିଡିପି’ର ବାସ୍ତବ ଅଭିବୃଦ୍ଧି ହାରରେ ସ୍ଖଳନ ଘଟିବାକୁ ଆରମ୍ଭ କରିପାରେ। ତେଣୁ ୨୦୨୫-୨୬ ବିତ୍ତ ବର୍ଷର ଚତୁର୍ଥ ଚଉଠରେ ପରିଦୃଷ୍ଟ ଉଚ୍ଚ ଅଭିବୃଦ୍ଧି ହାରକୁ ଆମେ ଆଗାମୀ ଚଉଠମାନଙ୍କର ପ୍ରତିନିଧି ରୂେପ ଗ୍ରହଣ କରିବା ନିରାପଦ ନ ହୋଇପାରେ।
ଏଇଭଳି ସାବଧାନତା ପ୍ରଦର୍ଶନ କରି ‘ଏନ୍ଏସ୍ଓ’ର ସୂଚନା ପ୍ରକାଶ ପାଇବାର ଠିକ୍ ପୂର୍ବରୁ ରିଜର୍ଭ ବ୍ୟାଙ୍କ୍ ସତର୍କ ସୂଚନା ପ୍ରସାର କରିବା ଦେଖାଯାଇଛି ଯେ ପଶ୍ଚିମ ଏସିଆ ସଂକଟର ପ୍ରଭାବରେ ଭାରତୀୟ ଅର୍ଥନୀତି ଚଳିତ ବିତ୍ତ ବର୍ଷରେ ହାସଲ କରିବାକୁ ଯାଉଥିବା ବାସ୍ତବ ଅଭିବୃଦ୍ଧି ହାର ସେ ପୂର୍ବରୁ ଅନୁମାନ କରୁଥିବା ଭଳି ୬.୯ ଶତାଂଶ ନ ହୋଇ ୬.୬ ଶତାଂଶ ସ୍ତରକୁ ହ୍ରାସ ପାଇପାରେ। ତେବେ ଏଥିରେ କେହି ଦ୍ବିମତ ହେବେ ନାହିଁ ଯେ ଆଗାମୀ କଠିନ ସମୟର ସମ୍ମୁଖୀନ ହେବାରେ ଚତୁର୍ଥ ଚଉଠର ଉଚ୍ଚ ହାରରେ ଅଭିବୃଦ୍ଧି ନିଶ୍ଚିତ ରୂପେ ଆମ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ।
ସୌଜନ୍ୟ ସମ୍ବାଦ


