ସମ୍ପାଦକୀୟ

Editorial: ଜଣେ ସମ୍ବେଦନଶୀଳ ଗଣତାନ୍ତ୍ରିକ ପ୍ରଧାନମନ୍ତ୍ରୀ: ଏଚ. ଡି. ଦେବେ ଗୌଡ଼ା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟଙ୍କ ସମ୍ପାଦକୀୟ କଲମରୁ…

ଶ୍ରୀ ନରେନ୍ଦ୍ର ମୋଦୀ ଏବେ ଭାରତର ସବୁଠାରୁ ଦୀର୍ଘ ସମୟ ଧରି ଗଣତାନ୍ତ୍ରିକ ଭାବେ ନିର୍ବାଚିତ ଏବଂ ନିରନ୍ତର ସେବା ପ୍ରଦାନ କରିଥିବା ପ୍ରଧାନମନ୍ତ୍ରୀ ହୋଇଥିବା ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ।

ଜଣେ ସମ୍ବେଦନଶୀଳ ଗଣତାନ୍ତ୍ରିକ ପ୍ରଧାନମନ୍ତ୍ରୀ

ଏଚ. ଡି. ଦେବେ ଗୌଡ଼ା
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ
ତଥା ରାଜ୍ୟସଭା ସଦସ୍ୟ

H. D. Deve Gowdaମୋର ଏହି ଖୁସି ପଣ୍ଡିତ ଜବାହରଲାଲ ନେହରୁଙ୍କ କାର୍ଯ୍ୟକାଳର ରେକର୍ଡକୁ ସେ ଅତିକ୍ରମ କରିଥିବାରୁ ନୁହେଁ, ବରଂ ଏହାଠାରୁ ଅଧିକ। ଏଥିପାଇଁ ଯେ ଏହା ଭାରତର ଗଣତାନ୍ତ୍ରିକ ବିଜୟ ବିଷୟରେ ବହୁତ କିଛି କହିଥାଏ। ଭାରତ କେବଳ ତିଷ୍ଠି ରହିନାହିଁ, ବରଂ ଏହା ସମୃଦ୍ଧି ହାସଲ କରିଛି। ଏହା ଏକ ଚମତ୍କାର ସଫଳତାର କାହାଣୀ ପାଲଟିଛି ଏବଂ ଏହି ସଫଳତାର କାହାଣୀରେ ଶ୍ରୀ ମୋଦୀଙ୍କ ଅବଦାନ ଅତୁଳନୀୟ ତଥା ଐତିହାସିକ।

ପଣ୍ଡିତ ନେହରୁ ୧୯୫୨ ମସିହା ପର୍ଯ୍ୟନ୍ତ ଦେଶର ଅନିର୍ବାଚିତ ପ୍ରଧାନମନ୍ତ୍ରୀ ରହିଥିଲେ। ୧୯୪୭ ମସିହାରେ ଏକ ବିଶେଷ ପରିସ୍ଥିତିରେ ତାଙ୍କୁ ସେତେବେଳର ଅନେକ ବିଚକ୍ଷଣ ରାଜନୀତିଜ୍ଞ ଏବଂ ଦେଶ ପ୍ରତି ସମର୍ପିତ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ଭାବରେ ଚୟନ କରାଯାଇଥିଲା। ଏହା ଏକପ୍ରକାର ଭେଟୋ ଥିଲା ଏବଂ ଦେଶର ଜନତାଙ୍କ ଉପରେ ମହାତ୍ମା ଗାନ୍ଧୀଙ୍କର ଆଦର୍ଶଗତ ପ୍ରଭାବର ପରିଣତି ଥିଲା, ଯିଏ ପଣ୍ଡିତ ନେହରୁଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଚୟନ କରାଯିବା ସୁନିଶ୍ଚିତ କରିଥିଲେ। ତେଣୁ ପଣ୍ଡିତ ନେହରୁ ମହାତ୍ମାଙ୍କ ଆଶୀର୍ବାଦ ଲାଭ କରିଥିଲେ ଏବଂ ସ୍ୱାଧୀନତା ଆନ୍ଦୋଳନର ପରିସମାପ୍ତି ପରେ ୧୯୫୨ ମସିହାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ପର୍ଯ୍ୟନ୍ତ ସେହି ଅବଧିରେ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ସେହି ସମୟରେ କଂଗ୍ରେସ ଦଳର ଏକଚାଟିଆ ପ୍ରଭାବ ଥିଲା। ଏହି ଦଳ କୌଣସି ପ୍ରକାର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇ ନଥିଲା। ଯଦିଓ ପ୍ରଥମ ସାଧାରଣ ନିର୍ବାଚନରେ ୫୩ଗୋଟି ରାଜନୈତିକ ଦଳ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେମାନଙ୍କ ଉପସ୍ଥିତି ଓ ପ୍ରଭାବ ଅତି ନଗଣ୍ୟ ଥିଲା। ଶ୍ରୀ ମୋଦୀ ୨୦୧୪ ମସିହାରେ ପ୍ରଥମଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦକୁ ପହଞ୍ଚିବା ଏବଂ ଏହି ପଦରେ ରହିବା ସମୟରେ ଆଜିର ଭାରତ ଏକ ଭିନ୍ନ ରାଷ୍ଟ୍ର। ସେତେବେଳେ ଆକାର, ବିବିଧତା, ଅର୍ଥନୀତି ଏବଂ ଏହାର ନାଗରିକମାନଙ୍କ ବିବର୍ତ୍ତନ- ସବୁ ଦୃଷ୍ଟିରୁ ଭାରତ ପ୍ରାୟତଃ ଅଜଣା ଥିଲା।

ଏକଥା କହିବାକୁ ପ୍ରବଳ ଇଚ୍ଛା ହୁଏ, ଯଦିଓ ଏପରି କହିବା ସମୀଚୀନ ହେବନାହିଁ, ଯେ ୧୯୫୨, ୨୦୧୪ କିମ୍ବା ୨୦୨୪ ମସିହାଠାରୁ ୧୯୫୨ ମସିହାରେ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ତୁଳନାତ୍ମକ ଭାବରେ ସହଜ ଥିଲା। ଏପରିକି ମୁଁ ଯେତେବେଳେ ୧୯୯୬ ମସିହାରେ ପ୍ରଧାନମନ୍ତ୍ରୀ ହୋଇଥିଲି, ସେତେବେଳେ ପରିସ୍ଥିତି ଏବଂ ରାଜନୈତିକ ବାତାବରଣ ଓ ପ୍ରତିଦ୍ୱନ୍ଦ୍ୱିତା ସମ୍ପୂର୍ଣ୍ଣ ଭାବେ ଭିନ୍ନ ଥିଲା। ଦେଶ ପୂର୍ବ ଅପେକ୍ଷା ଅଧିକ ପ୍ରଶ୍ନ ପଚାରୁଥିଲା, ଅଧିକ ସକ୍ରିୟ ହେଉଥିଲା ଏବଂ ଅଧିକ ପରିପକ୍ୱ ହୋଇସାରିଥିଲା। ନେହରୁ-ଗାନ୍ଧୀ ପରିବାର ବାହାରେ ପ୍ରଧାନମନ୍ତ୍ରୀ ବୋଲି ଦାବି କରିବାର ମାନସିକତାକୁ ବୃଥା ଆସ୍ଫାଳନ ବୋଲି ଆଉ ବିବେଚନା କରାଯାଉ ନଥିଲା। ଯେଉଁମାନେ ଏଭଳି ଆସ୍ପର୍ଦ୍ଧା କରୁଥିଲେ, ସେମାନଙ୍କ ନିକଟରେ ସୌଭାଗ୍ୟ ନଥିଲା, ସେମାନେ ରୁପା ଚାମଚ ତୁଣ୍ଡରେ ପୁରାଇ ଜନ୍ମ ହୋଇ ନଥିଲେ କିମ୍ବା ସେମାନଙ୍କ ନିମନ୍ତେ ଏହି ପଦକୁ ଉନ୍ନୀତ ହେବା ସକାଶେ କୌଣସି ସ୍ପ୍ରିଙ୍ଗ-ବୋର୍ଡ ଉପଲବ୍ଧ ନଥିଲା। ଶ୍ରୀ ମୋଦୀ ଓ ମୋ କ୍ଷେତ୍ରରେ ମଧ୍ୟ ଏହା ଆଦୌ ନଥିଲା। ଅନ୍ୟ ପ୍ରଧାନମନ୍ତ୍ରୀମାନେ ଯେଉଁ ସାମାଜିକ ଓ ସାଂସ୍କୃତିକ ପୁଞ୍ଜି ଉପଭୋଗ କରୁଥିଲେ, ତାହା ସୁଦ୍ଧା ଆମ ଦୁହିଁଙ୍କ ପାଇଁ ଉପଲବ୍ଧ ନଥିଲା।

ପ୍ରଧାନମନ୍ତ୍ରୀ ପଦରେ ମୁଁ ବେଶୀ ଦିନ ତିଷ୍ଠି ରହିପାରି ନଥିଲି। ମୋ ପ୍ରଧାନମନ୍ତ୍ରିତ୍ବର ଅବଧି ଥିଲା ମାତ୍ର ୧୧ ମାସ। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଉଛି ଶ୍ରୀ ମୋଦୀଙ୍କ ମୁଣ୍ଡରେ କି ପ୍ରକାର ଦୈବୀ ଆଶୀର୍ବାଦ ରହିଛି ଯେ ସେ ଦୀର୍ଘ ବର୍ଷ ଧରି ଏହି ପଦରେ ରହି ସୁଦ୍ଧା ତିଳେ ହେଲେ କ୍ଳାନ୍ତି ଅନୁଭବ କରନ୍ତି ନାହିଁ। କେବଳ ସେ କ୍ଳାନ୍ତି ଅନୁଭବ କରନ୍ତି ନାହିଁ, ତାହା ନୁହେଁ, ଦେଶବାସୀ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ପାଇ ସୁଦ୍ଧା କ୍ଳାନ୍ତି ଅନୁଭବ କରନ୍ତି ନାହିଁ। ତେଣୁ ପଣ୍ଡିତ ନେହରୁଙ୍କ କ୍ଷେତ୍ରରେ ଆମେ ଯାହା ଲକ୍ଷ୍ୟ କରିଥିଲୁ, ତା’ଠାରୁ ଶ୍ରୀ ମୋଦୀଙ୍କ ମାନସିକ ଶକ୍ତି ଏବଂ ପ୍ରଧାନମନ୍ତ୍ରୀ ପଦରେ ସେ ତିଷ୍ଠି ରହିବାର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ।

ପଣ୍ଡିତ ନେହରୁଙ୍କ ସମୟଠାରୁ ଆଜି ପର୍ଯ୍ୟନ୍ତ କିଛି ରୋଚକ ପରିସଂଖ୍ୟାନ ଉପରେ ଆଲୋକପାତ କରାଯାଉ। ସରଳ ରାଜନୈତିକ ପ୍ରତିଯୋଗିତା ଦୃଷ୍ଟିରୁ ୧୯୫୨ ମସିହାରେ ଯେତେବେଳେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା, ସେତେବେଳେ ରାଜନୈତିକ ମୈଦାନରେ ମାତ୍ର ୫୩ଟି ରାଜନୈତିକ ଦଳ ପ୍ରତିଦ୍ୱନ୍ଦ୍ୱିତାରେ ଥିଲେ। ୨୦୨୪ ମସିହାରେ ଯେତେବେଳେ ଶ୍ରୀ ମୋଦୀ ନିର୍ବାଚନ ଲଢ଼ିଥିଲେ ସେତେବେଳେ ୨୫୯୩ଟି ରାଜନୈତିକ ଦଳ ଏହି ସଂଗ୍ରାମରେ ଅବତୀର୍ଣ୍ଣ ହୋଇଥିଲେ। ନେହରୁଙ୍କ ସମୟରେ ଦେଶରେ ଭୋଟରଙ୍କ ସଂଖ୍ୟା ଥିଲା ମାତ୍ର ୧୭ କୋଟି, ଯଦ୍ୟପି ଶ୍ରୀ ମୋଦୀଙ୍କ ସମୟରେ ତାହା ଆସି ୮୩ କୋଟି ଛୁଇଁଥିଲା। ୧୯୫୨ ମସିହାରେ ଦେଶର ଜନସଂଖ୍ୟା ଥିଲା ୩୪ କୋଟି, ଯାହାକି ଆଜି ଆସି ୧୪୬ କୋଟିରୁ ଅଧିକ ହୋଇସାରିଛି।

ଆଉ ଗୋଟିଏ କଥା ଯାହା ମୋତେ ସଦାବେଳେ ଆମୋଦିତ କରିଥାଏ ତାହା ହେଲା ନେହରୁଙ୍କ କ୍ୟାବିନେଟରେ ଦେଶର ବିଭିନ୍ନ ଗୋଷ୍ଠୀଙ୍କ ଜନସଂଖ୍ୟା କିମ୍ବା ଭାରତର ସାଂସ୍କୃତିକ ଓ ଜାତିଗତ ବିବିଧତା ପ୍ରତିଫଳିତ ହୋଇ ନଥିଲା। ଏପରିକି ଯେତେବେଳେ ପଣ୍ଡିତ ନେହରୁ ତାଙ୍କର ତୃତୀୟ ତଥା ଚୂଡ଼ାନ୍ତ ଦଫା ପ୍ରଧାନମନ୍ତ୍ରୀ ହୋଇଥିଲେ, ତାଙ୍କ କ୍ୟାବିନେଟର ଗଠନ ବେଶ୍ ବିସ୍ମୟକର ବିଷୟ ବୋଲି ପ୍ରତୀୟମାନ ହେଉଥିଲା। ଏଥିରେ ମୁଖ୍ୟତଃ ଉଚ୍ଚବର୍ଗର ସଦସ୍ୟମାନେ ହିଁ ସାମିଲ ହୋଇଥିଲେ। ପଣ୍ଡିତ ନେହରୁ କାକା କେଲକର କମିସନଙ୍କ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ, ଯାହାକି ବାସ୍ତବ ପକ୍ଷେ ଦଳିତ ଓ ପଛୁଆ ବର୍ଗଙ୍କୁ ପ୍ରତିନିଧିତ୍ୱ ପ୍ରଦାନ ନିମନ୍ତେ ପ୍ରୟାସ କରିଥିଲା।

ଶ୍ରୀ ମୋଦୀ ବର୍ତ୍ତମାନ ଯେଉଁ କ୍ୟାବିନେଟର ନେତୃତ୍ୱ ନେଉଛନ୍ତି ତାହା ବିବିଧତାର ଚମତ୍କାରିତାକୁ ପ୍ରତିଫଳିତ କରେ। ଏଥିରେ ୨୭ ଜଣ ଓବିସି, ୧୦ ଜଣ ଏସସି ଏବଂ ୫ ଜଣ ଏସଟି ସଦସ୍ୟ ରହିଛନ୍ତି। ତାଙ୍କ କ୍ୟାବିନେଟରେ ମହିଳାମାନଙ୍କ ପ୍ରତିନିଧିତ୍ୱ ମଧ୍ୟ ଉଲ୍ଲେଖନୀୟ ମାତ୍ରାରେ ବୃଦ୍ଧି ପାଇଛି। ଶ୍ରୀ ମୋଦୀ ୨୦୨୬ ମସିହା ଏପ୍ରିଲ ମାସରେ ନିଷ୍ଠାର ସହିତ ସଂସଦର ସଦସ୍ୟ ସଂଖ୍ୟା ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଥିଲେ, ମହିଳାମାନଙ୍କୁ ଐତିହାସିକ ପ୍ରତିନିଧିତ୍ୱ ପ୍ରଦାନ କରିବାକୁ ଚାହିଁଥିଲେ ଏବଂ ଆମ ରାଷ୍ଟ୍ରକୁ ଏକ ବାସ୍ତବ ସଂଘୀୟ ମାନ୍ୟତା ପ୍ରଦାନ ନିମନ୍ତେ ପ୍ରୟାସ କରିଥିଲେ। ସେ ମହିଳା ପ୍ରତିନିଧି ବିଧେୟକ ଗୃହୀତ ହେବାକୁ ସୁନିଶ୍ଚିତ କରିଥିଲେ।

ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ରାଷ୍ଟ୍ର ଭାବରେ ଅନେକ କ୍ଷେତ୍ରରେ ଅଧିକ ଆତ୍ମ-ସଚେତନ ହୋଇପାରିଛି। ଆଜି ଆମେ ପଣ୍ଡିତ ନେହରୁଙ୍କ ସମୟଠାରୁ ଢେର୍ ମାତ୍ରାରେ ଅଧିକ ଆଲୋଚନାକାରୀ ଏବଂ ସ୍ପଷ୍ଟବାଦୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଛୁ। ଜାତିଗତ ସଚେତନତା, ସାମ୍ବିଧାନିକ ଅଧିକାର, ସିଭିଲ ରାଇଟ୍‌ସ, ଲିଙ୍ଗଗତ ସଚେତନତା, ପରିବେଶ ସୁରକ୍ଷା ପ୍ରତି ସମ୍ବେଦନା ଆଦି ବୃଦ୍ଧି ପାଇ ଏକ ବିସ୍ଫୋରକ ତଥା ନୂତନ ସ୍ଥିତିରେ ପହଞ୍ଚିଛି। ଶ୍ରୀ ନେହରୁଙ୍କ ସମୟରେ ଭାରତ ମୁଖ୍ୟତଃ ନିରକ୍ଷର ରହିଥିଲା ଏବଂ ଲୋକମାନେ ବାସ୍ତବରେ ଜାଣି ନଥିଲେ ଏକ ଗଣତାନ୍ତ୍ରିକ ସରକାରଠାରୁ କ’ଣ ଆଶା କରାଯାଇପାରେ। ଏହା ସେତେବେଳେ ସମ୍ପୂର୍ଣ୍ଣ ରୂପେ ଏକ ନୂତନ ବ୍ୟବସ୍ଥା ଥିଲା। କିନ୍ତୁ ଆଜିର ନାଗରିକମାନେ, ଆମ ରାଷ୍ଟ୍ରର ଏବଂ ଗଣତନ୍ତ୍ରର ମଙ୍ଗଳ ସକାଶେ ଅଧିକ ଶିକ୍ଷିତ ଓ ସଚେତନ ହୋଇଛନ୍ତି। ସେମାନଙ୍କ ଦୃଷ୍ଟିରୁ କୌଣସିଟି ପ୍ରସଙ୍ଗ କେବେ ଖସିବାର ପ୍ରଶ୍ନ ଉଠୁନାହିଁ।

ପଣ୍ଡିତ ନେହରୁଙ୍କୁ ସେତେବେଳେ ଅତି ବେଶୀରେ ଅଧଡଜନ ସମ୍ବାଦପତ୍ର ସହିତ ମୁକାବିଲା କରିବାକୁ ପଡ଼ୁଥିଲା। କିନ୍ତୁ ଶ୍ରୀ ମୋଦୀଙ୍କୁ ପ୍ରତି ମୁହୂର୍ତ୍ତରେ ଦେଶର କୋଟି କୋଟି ନାଗରିକଙ୍କ ଦ୍ୱାରା ବିଶ୍ଳେଷିତ ଓ ତର୍ଜମାର ସମ୍ମୁଖୀନ ହେବାକୁ ପଡୁଛି। କାରଣ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ପ୍ରତି ମୁହୂର୍ତ୍ତରେ ତାହା କରାଯାଉଛି। ସେଥିରେ ସମାଲୋଚନା କୌଣସି ପ୍ରସଙ୍ଗର ସତ୍ୟାସତ୍ୟକୁ ନଜାଣି ଅଯଥାରେ କରାଯାଉଛି ଏବଂ ପୁଣି ତାହା ଅତି ମାତ୍ରାରେ କଠୋର ଓ ବ୍ୟକ୍ତିଗତ ସ୍ତରରେ କରାଯାଉଛି। ଏହା ବ୍ୟତୀତ, ତାଙ୍କୁ ଅହୋରାତ୍ର ପ୍ରମୁଖ ସମ୍ବାଦପତ୍ର ଓ ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ସମାଲୋଚନାର ମୁକାବିଲା କରିବାକୁ ପଡୁଛି ଏବଂ ବେଳେବେଳେ ବିବାଦର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି। ସେମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି, ଯାହାକି ପଣ୍ଡିତ ନେହରଙ୍କୁ ସମୟ ଠାରୁ ଢେର୍ ଅଧିକ। ସେତେବେଳେ କୌଣସି ଟେଲିଭିଜନ ଚାନେଲ ନଥିଲା।

ମୁଁ ଶ୍ରୀ ମୋଦୀଙ୍କୁ ପଣ୍ଡିତ ନେହରୁଙ୍କ ପ୍ରଧାନମନ୍ତ୍ରିତ୍ୱ ଅବଧିକୁ ସଫଳତାର ସହିତ ଅତିକ୍ରମ କରିଥିବାରୁ ଅଭିନନ୍ଦନ ଜ୍ଞାପନ କରୁଛି। ସେ ଏହାଠାରୁ ଅଧିକ ବଧେଇର ପାତ୍ର ଯିଏ ତାଙ୍କ ନେତୃତ୍ୱରେ ଭାରତକୁ ଏକ ବିଶାଳ ତଥା ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିବା ସୁନିଶ୍ଚିତ କରିବା ପ୍ରୟାସରେ ନିମଗ୍ନ। ଭାରତ କିପରି ବିଶ୍ୱର ଦ୍ରୁତତମ ଆର୍ଥିକ ପ୍ରଗତିଶୀଳ ରାଷ୍ଟ୍ର ହୋଇପାରିବ ତାହା ମଧ୍ୟ ସୁନିଶ୍ଚିତ କରିବା ଦିଗରେ ପ୍ରୟାସରତ। ନିର୍ଦ୍ଦିଷ୍ଟ ଭାବରେ ତାଙ୍କର ଜନକଲ୍ୟାଣକାରୀ ନୀତି ଏବଂ ତାଙ୍କର ନିର୍ଣ୍ଣାୟକ ବ୍ୟକ୍ତିତ୍ୱର ଉଦାହରଣ ଆମେ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଲକ୍ଷ୍ୟ କରିଛୁ। ରାଷ୍ଟ୍ରହିତ ନିମନ୍ତେ ଯେତେବେଳେ କୌଣସି ନିଷ୍ପତ୍ତି ଗ୍ରହଣ କରିବାକୁ ହୋଇଥାଏ ସେଥିରେ ସେ କଦାଚିତ୍ ସାଲିସ କରିଥାଆନ୍ତି।

ଶ୍ରୀ ମୋଦୀ କେବଳ ରାଷ୍ଟ୍ରର ଶାସନମୁଖ୍ୟ ନୁହନ୍ତି, ବରଂ ରାଷ୍ଟ୍ରର ମୁଖ୍ୟ ପରାମର୍ଶଦାତା ଭୂମିକା ନିର୍ବାହ କରିଆସୁଛନ୍ତି ଯିଏ ନିରବଚ୍ଛିନ୍ନ ଭାବରେ ଏବଂ ସକଳ ସହୃଦୟତାର ସହିତ ସବୁମତେ ଏବଂ ସବୁ ବର୍ଗର ଲୋକଙ୍କ ସହିତ ମତ ବିନିମୟ କରିଆସୁଛନ୍ତି। ମୁଁ ତାଙ୍କର ମନ୍ କୀ ବାତ୍ ରେଡିଓ କାର୍ଯ୍ୟକ୍ରମକୁ ସଦାବେଳେ ଶୁଣିଥାଏ। ତାଙ୍କଭଳି ପ୍ରଯୁକ୍ତିକୁ ବ୍ୟବହାର କରୁଥିବା ଅନ୍ୟ କୌଣସି ଜଣେ ପ୍ରଧାନମନ୍ତ୍ରୀ ନାହାନ୍ତି। ନିଃସ୍ୱାର୍ଥପର ପ୍ରତିବଦ୍ଧତା ବିନା ଏହା କଦାପି ସମ୍ଭବପର ହୋଇ ନପାରେ।

ଶ୍ରୀ ମୋଦୀ ସଫଳ ହୋଇପାରିଛନ୍ତି, କାରଣ ସେ ସଦାବେଳେ ଆତ୍ମସମୀକ୍ଷା କରିଥାଆନ୍ତି। ସଦାସର୍ବଦା ନିଜକୁ ପରୀକ୍ଷିତ ହେବାର ସୁଯୋଗ ପ୍ରଦାନ କରିଥାଆନ୍ତି। ମୁଁ ସର୍ବନିୟନ୍ତା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଏହିଭଳି କାର୍ଯ୍ୟ ଜାରି ରଖିବା ସକାଶେ ସେ ତାଙ୍କୁ ସୁସ୍ଥ ଓ ନିରାମୟ ରଖିଥାଆନ୍ତୁ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button