IvaGrover: ୧୮ ଦିନର ପ୍ରେମ ସମ୍ପର୍କ ପରେ ବିବାହ ଆଉ ଏହା ସାଜିଥିଲା ଯନ୍ତ୍ରଣାର କାରଣ: ଇଭା ଗ୍ରୋଭର
ଟେଲିଭିଜନ ଏବଂ ଫିଲ୍ମ ଅଭିନେତ୍ରୀ ଇଭା ଗ୍ରୋଭର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଭାବପ୍ରବଣ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ହାଇଦର ଅଲି ଖାନଙ୍କ ସହ କେବଳ ୧୮ ଦିନର ପ୍ରେମ ସମ୍ପର୍କ ପରେ ସେ ବିବାହ କରିଥିଲେ।

ମୁମ୍ବାଇ: ଟେଲିଭିଜନ ଏବଂ ଫିଲ୍ମ ଅଭିନେତ୍ରୀ ଇଭା ଗ୍ରୋଭର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଭାବପ୍ରବଣ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ହାଇଦର ଅଲି ଖାନଙ୍କ ସହ କେବଳ ୧୮ ଦିନର ପ୍ରେମ ସମ୍ପର୍କ ପରେ ସେ ବିବାହ କରିଥିଲେ। ଉଭୟ ଭିନ୍ନ ଧର୍ମର ହୋଇଥିବା ସତ୍ତ୍ୱେ ପରିବାରର ବିରୋଧ ସତ୍ତ୍ୱେ ପ୍ରେମ ବିବାହ କରିଥିଲେ ଏହି ବିବାହ ତାଙ୍କ ପାଇଁ ସୁଖ ନୁହେଁ, ବରଂ ଯନ୍ତ୍ରଣାର କାରଣ ହୋଇଥିଲା।
ଏକ ପୋଡକାଷ୍ଟରେ ଇଭା କହିଥିଲେ, “୧୮ ଦିନ ମଧ୍ୟରେ କାହାକୁ ପୂରାପୂରି ଜାଣିହେବ ନାହିଁ। ହୁଏତ ଭୁଲ କେବଳ ତାଙ୍କର ନୁହେଁ, ମୋର ମଧ୍ୟ ଥିଲା। ମୁଁ ବହୁତ ଶୀଘ୍ର ନିଷ୍ପତ୍ତି ନେଇଥିଲି।” ସେ କହିଛନ୍ତି, ପ୍ରସ୍ତାବ ପାଇବା ପରେ ସେ ମା’ଙ୍କ ସମେତ କାହାର କଥା ନ ଶୁଣି ୧୯ତମ ଦିନରେ ବିବାହ କରିଥିଲେ। ବିବାହ ପରେ ସେ ଅନୁଭବ କରିଥିଲେ ଯେ ତାଙ୍କର ନିଷ୍ପତ୍ତି ଭୁଲ ଥିଲା। ଇଭାଙ୍କ କହିବା ଅନୁସାରେ, ତାଙ୍କ ସ୍ୱାମୀ ଅତ୍ୟଧିକ ରାଗି ଥିଲେ ଏବଂ ତାଙ୍କ ବ୍ୟବହାର ମଧ୍ୟ ଆକ୍ରମଣାତ୍ମକ ଥିଲା। ସେ ସ୍ୱୀକାର କରିଥିଲେ ଯେ ତାଙ୍କ ଉପରେ ଶାରୀରିକ ନିର୍ଯାତନା ମଧ୍ୟ ହୋଇଥିଲା।
ଇଭା କହିଛନ୍ତି ଯେ, ବିବାହର ଚାରି ବର୍ଷ ପରେ ସେ ଭାବିଥିଲେ ଯେ ସନ୍ତାନ ଜନ୍ମ ହେଲେ ସମ୍ପର୍କ ସୁଧୁରିଯିବ, କିନ୍ତୁ ତାହା ହୋଇନଥିଲା। ଝିଅ ଜନ୍ମ ହେବାର ଏକ ମାସ ପରେ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା।
ସେହି ସମୟରେ ସେ ଧାରାବାହିକ ‘ୱକ୍ତ ବତାଏଗା କୌନ୍ ଅପନା କୌନ୍ ପରାୟା’ର ଶୁଟିଂ କରୁଥିଲେ ଏବଂ ମାନସିକ ଚାପ ଓ ଅବସାଦରେ ରହୁଥିଲେ। ସହକର୍ମୀମାନେ ତାଙ୍କୁ ଏହି ସମ୍ପର୍କରୁ ବାହାରି ଆସିବା ପାଇଁ ସାହସ ଯୋଗାଇଥିଲେ।
ସେ ଆହୁରି କହିଛନ୍ତି ଯେ, ଯେତେବେଳେ ସେ ନିଜ ମା’ଙ୍କ ସହ କଥା ହୋଇଥିଲେ, ତାଙ୍କ ମା’ ତାଙ୍କୁ ଖୋଲା ହୃଦୟରେ ଗ୍ରହଣ କରିଥିଲେ।
ସୌଜନ୍ୟ ସମ୍ବାଦ




