
ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ କ୍ୟାରିଅର ଗଢ଼ିବାକୁ ଚାହୁଁଥିବା ଯୁବକଯୁବତୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ନିଯୁକ୍ତି ଅଭିଯାନ ପାଇଁ ଆବେଦନର ଶେଷ ତାରିଖ ବୃଦ୍ଧି କରିଛି। ପୂର୍ବରୁ ଆବେଦନର ଶେଷ ତାରିଖ ଜୁନ୍ ୮ ଥିଲା ବେଳେ ଏହାକୁ ଜୁନ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏହି ନିଯୁକ୍ତି ଅଭିଯାନ ଅଧୀନରେ ମୋଟ ୭,୧୫୦ଟି ଖାଲିଥିବା ପଦବି ପୂରଣ ହେବ।ଏସବିଆଇ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ମନୋନୀତ ପ୍ରାର୍ଥୀମାନେ ବ୍ୟାଙ୍କ ଏବଂ ଏହାର ବିଭିନ୍ନ ବିଭାଗ ମଧ୍ୟରେ ଏକ ବର୍ଷର ତାଲିମ ପାଇବେ। ଏହି ନିଯୁକ୍ତି ଶିକ୍ଷାର୍ଥୀ ଆଇନ, ୧୯୬୧ ଅନୁଯାୟୀ କରାଯାଉଛି।
ଆବେଦନ ପାଇଁ ଯୋଗ୍ୟ ପ୍ରାର୍ଥୀ
ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହୋଇଥିବା ଆବଶ୍ୟକ। ଆବେଦନକାରୀଙ୍କ ପାଇଁ ବୟସ ସୀମା ସର୍ବନିମ୍ନ ୨୦ ବର୍ଷ ଏବଂ ସର୍ବାଧିକ ୨୮ ବର୍ଷ ମଧ୍ୟରେ ଧାର୍ଯ୍ୟ କରାଯାଇଛି। ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ବୟସ ଛାଡ଼ ପ୍ରଦାନ କରାଯାଇଛି।
ଚୟନ ପ୍ରକ୍ରିୟାରେ ଅନେକ ପର୍ଯ୍ୟାୟ ସାମିଲ ରହିବ। ପ୍ରାରମ୍ଭରେ, ଏକ ଅନଲାଇନ୍ ଲିଖିତ ପରୀକ୍ଷା କରାଯିବ। ଏହା ପରେ ଏକ ସ୍ଥାନୀୟ ଭାଷା ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଏକ ଡାକ୍ତରୀ ପରୀକ୍ଷା କରାଯିବ। ଅନଲାଇନ୍ ପରୀକ୍ଷାରେ ସାଧାରଣ ଜ୍ଞାନ, ଇଂରାଜୀ ଭାଷା, କମ୍ପ୍ୟୁଟର ଦକ୍ଷତା ଆଦି ଉପରେ ପ୍ରଶ୍ନ ରହିବ। ସାଧାରଣ, ଓବିସି ଏବଂ ଇଡବ୍ଲୁସି ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ୩୦୦ଟଙ୍କା ଥିବା ବେଳେ ଏସସି, ଏସଟି ଏବଂ ପିଡବ୍ଲୁଡି ବର୍ଗର ପ୍ରାର୍ଥୀମାନଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ।
ମନୋନୀତ ପ୍ରାର୍ଥୀମାନଙ୍କୁ ତାଲିମ ଅବଧି ମଧ୍ୟରେ ମାସିକ ୧୫,୦୦୦ ଟଙ୍କା ଷ୍ଟାଇପେଣ୍ଡ ମିଳିବ। କିନ୍ତ ସେମାନଙ୍କୁ ସ୍ଥାୟୀ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଉପଲବ୍ଧ ଥିବା ଡିଏ, ଏଚଆରଏ, ଚିକିତ୍ସା ସୁବିଧା, ପେନସନ କିମ୍ବା ଅନ୍ୟାନ୍ୟ ଭତ୍ତାର ସୁବିଧା ମିଳିବ ନାହିଁ।
ଅନଲାଇନରେ କିପରି ଆବେଦନ କରିବେ?
ଏହି ନିଯୁକ୍ତି ପାଇଁ ଅନଲାଇନରେ ଆବେଦନ କରିବାକୁ, ପ୍ରାର୍ଥୀମାନଙ୍କୁ ଏସବିଆଇର ସରକାରୀ ୱେବସାଇଟ୍: sbi.co.in/careersକୁ ଯାଇ ‘କ୍ୟାରିଅର୍’ ବିଭାଗରେ କ୍ଲିକ୍ କରିବାକୁ ହେବ। ‘କ୍ୟାରିଅର୍’ ବିଭାଗରେ ଆବଶ୍ୟକୀୟ ବିବରଣୀ ପୂରଣ କରିବା ପରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ। ଡକ୍ୟୁମେଣ୍ଟଗୁଡ଼ିକ ଅପଲୋଡ୍ ହେବା ପରେ, ଫି ପ୍ରଦାନ କରନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ। ଏହାପରେ ଆପଣ ଆପଣଙ୍କର ରେକର୍ଡ ପାଇଁ ଫର୍ମର ଏକ ପ୍ରିଣ୍ଟଆଉଟ୍ ମଧ୍ୟ ନେଇପାରିବେ।
ସୌଜନ୍ୟ ସମ୍ବାଦ




