Anil Ambani: ବିଦେଶରେ ସମ୍ପତ୍ତି ଲୁଚାଇବା ମାମଲାରେ ଅନିଲ ଅମ୍ବାନୀଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି
ଟିକସ ଚୋରି ଓ ବିଦେଶରେ ସମ୍ପତ୍ତି ଲୁଚାଇବା ମାମଲାରେ ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ଅମ୍ବାନୀ ଦାଖଲ କରିଥିବା ମାମଲାର ଶୁଣାଣୀ ଶେଷ ନ ହେବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ...

ମୁମ୍ବାଇ: ଟିକସ ଚୋରି ଓ ବିଦେଶରେ ସମ୍ପତ୍ତି ଲୁଚାଇବା ମାମଲାରେ ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ଅମ୍ବାନୀ ଦାଖଲ କରିଥିବା ମାମଲାର ଶୁଣାଣୀ ଶେଷ ନ ହେବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏହି ମାମଲାରେ କୋର୍ଟ ଆୟକର ବିଭାଗକୁ ଚାରି ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ କହିଛନ୍ତି।
୨୦୨୨ ଅଗଷ୍ଟ ୮ରେ ଆୟକର ବିଭାଗ ପକ୍ଷରୁ ଅନିଲଙ୍କୁ ନୋଟିସ୍ ଜାରି କରି ସେ ସ୍ବିସ୍ ବ୍ୟାଙ୍କରେ ରଖିଥିବା ୮୧୪ କୋଟି ଟଙ୍କାର ଜମାରାଶି ତଥ୍ୟ ଲୁଚାଇଥିବା ଓ ତାହା ଉପରେ ୪୨୦ କୋଟି ଟଙ୍କାର ଟିକସ ଦେଇ ନଥିବା ଅଭିଯୋଗ କରାଯାଇଥିଲା। କଳାଧନକୁ ନେଇ ଦେଶରେ ପ୍ରଚଳନ କରାଯାଇଥିବା ନିୟମର ଯେଉଁ ଧାରାଗୁଡ଼ିକ ଅନିଲଙ୍କ ବିରୋଧରେ ଲଗାଯାଇଛି ତାହା ପ୍ରମାଣିତ ହେଲେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାବେ ଓ ଜରିମାନା ମଧ୍ୟ ଗଣିବାକୁ ପଡ଼ିପାରେ।
ତେବେ ସେହି ଆଇନର ସାମ୍ବିଧାନିକ ବୈଧତାକୁ ପ୍ରଶ୍ନ କରି ଅନିଲ କୋର୍ଟରେ ଏକ ରିଟ୍ ପିଟିସନ ଦାୟର କରିଥିଲେ। ଉକ୍ତ ମାମଲାର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ଅନିଲଙ୍କୁ ଆଶ୍ବସ୍ତି ମିଳିଛି। ଅନିଲଙ୍କ ବିରୋଧରେ ୨୦୧୮, ୨୦୧୯ ଓ ୨୦୨୫ରେ ସମାନ ଅଭିଯୋଗରେ ଦାଖଲ ହୋଇଥିବା ମାମଲାଗୁଡ଼ିକୁ ଏକକାଳୀନ ଶୁଣାଣି କରିବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି।
ସୌଜନ୍ୟ ସମ୍ବାଦ




