ଟୁକ୍-ଟୁକ୍ ରୁ ପଡି ସ୍କଟଲ୍ୟାଣ୍ଡ ବକ୍ସର କୋଲିନ କେର୍ଣ୍ଣିଙ୍କ ମୃତ୍ୟୁ, ହାରି ନଥିଲେ ଗୋଟିଏ ବି ମ୍ୟାଚ୍
ସ୍କଟଲ୍ୟାଣ୍ଡର ବକ୍ସର ଥାଇଲ୍ୟାଣ୍ଡ ସହର ଫୁକେଟରେ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ। ଆଘାତ ଲାଗିବା ଯୋଗୁ ଖେଳାଳି କୋମାକୁ ଚାଲି ଯାଇଥିଲେ। ଗୁରୁବାର ତାଙ୍କ ପରଲୋକ ହୋଇଛି। କୋଲିନ କେର୍ଣ୍ଣି ଥାଇଲ୍ୟାଣ୍ଡରେ ଜୁନ ୧୪ ତାରିଖ ଦିନ ଟୁକ୍-ଟୁକ୍ (ଅଟୋ ରିକ୍ସା) ଦୁର୍ଘଟଣାରେ ଆହତ ହୋଇଥିଲେ।

ଫୁକେଟ୍: ଥାଇଲ୍ୟାଣ୍ଡର ଫୁକେଟ୍ ରେ ୨୨ ବର୍ଷ ବୟଷ୍କ ବକ୍ସର ପ୍ରାଣ ହରାଇଛନ୍ତି। ବକ୍ସରଙ୍କ ନାମ କୋଲିନ କେର୍ଣ୍ଣି ଓ ସେ ୱେଲ୍ଟରବେଲ୍ଟ ଚାମ୍ପିୟନ ଥିଲେ। ଏହି ଖେଳାଳି ଏ ପର୍ଯ୍ୟନ୍ତ ଗୋଟେ ବି ମ୍ୟାଚ୍ ହାରି ନଥିଲେ। ସେ ସମସ୍ତ ୧୦ଟି ଯାକ ମ୍ୟାଚ୍ ଜିତିଥିଲେ। ଏଥିରୁ ୬ଟି ନକଆଉଟ୍ ମ୍ୟାଚ୍ ମଧ୍ୟ ସେ ଜିତିଥିଲେ। ସ୍କଟଲ୍ୟାଣ୍ଡର ବକ୍ସର ଥାଇଲ୍ୟାଣ୍ଡ ସହର ଫୁକେଟରେ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ। ଆଘାତ ଲାଗିବା ଯୋଗୁ ଖେଳାଳି କୋମାକୁ ଚାଲି ଯାଇଥିଲେ। ଗୁରୁବାର ତାଙ୍କ ପରଲୋକ ହୋଇଛି।
କୋଲିନ କେର୍ଣ୍ଣି ଥାଇଲ୍ୟାଣ୍ଡରେ ଜୁନ ୧୪ ତାରିଖ ଦିନ ଟୁକ୍-ଟୁକ୍ (ଅଟୋ ରିକ୍ସା) ଦୁର୍ଘଟଣାରେ ଆହତ ହୋଇଥିଲେ। ଫୁକେଟର ପାତୋଙ୍ଗ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିଲା। ଏହି ମାମଲାରେ ଟୁକ୍-ଟୁକ୍ ଡ୍ରାଇଭରକୁ ପୋଲିସ ଗିରଫ ମଧ୍ୟ କରିଛି। ରିପୋର୍ଟ ଅନୁସାରେ କୋଲିନ କେର୍ଣ୍ଣି ଏକ ପାର୍ଟି ପରେ ଟୁକ୍-ଟୁକ୍ ଯୋଗେ ତାଙ୍କ ହୋଟେଲକୁ ଫେରୁଥିଲେ। ଟୁକ-ଟୁକ୍ ଡ୍ରାଇଭର ସହ ଭଡ଼ାକୁ ନେଇ ତାଙ୍କର ବିବାଦ ହୋଇଥିଲା। କାରଣ କେର୍ଣ୍ଣିଙ୍କ ପାଖରେ ନଗଦ ଟଙ୍କା ନଥିଲା। ତେବେ ପରେ ସେମାନଙ୍କର ବୁଝାମଣା ହୋଇଥିଲା ଯେ ଟୁକ୍-ଟୁକ୍ ଡ୍ରାଇଭର ତାଙ୍କୁ ନେଇ ଏଟିଏମକୁ ଯିବ।
ଏହି ଘଟଣାର ଏକ ଭିଡିଓ ମଧ୍ୟ ଜାରି ହୋଇଛି। ଏଥିରେ ଟୁକ୍-ଟୁକ୍ ଡ୍ରାଇଭର କେର୍ଣ୍ଣିଙ୍କୁ ଭୋର ୪ଟା ବେଳେ ପଟାଙ୍ଗ ଆଡକୁ ଫେରସ୍ତ ନେଇଯାଉଥିବା ଦେଖା ଯାଇଛି। ଏହି ସମୟରେ ବକ୍ସର ଟୁକ୍ ଟୁକ୍ ପଛରୁ ଖସି ପଡିଥିଲେ ଓ ସଡ଼କରେ ତାଙ୍କ ମୁଣ୍ଡ ବାଡେଇ ହୋଇଯାଇଥିଲା। ଏଥିରେ ଖେଳାଳି ଅଚେତ ହୋଇଯାଇଥିବା ବେଳେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ସୌଜନ୍ୟ Prameya News7




