
କେସିଙ୍ଗା,୧୯ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗାରୁ ଜୁନାଗଡ଼ ପର୍ଯ୍ୟନ୍ତ ନିର୍ମାଣ ହେବାକୁଥିବା ଫୋର୍ ଲେନ୍ ରାସ୍ତା କାମ ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି। ଜାତୀୟ ରାଜପଥ ୨୬ର ଉଭୟ ପାର୍ଶ୍ୱରେ ଥିବା ପାଷ୍ଟିକୁଡ଼ି ଗ୍ରାମର ପ୍ରାୟ ପ୍ରାୟ ୧୦୦ଟି ପରିବାରରୁ ଜମି ଅଧିଗ୍ରହଣ ଶେଷ ହୋଇଯାଇଛି।
କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଷ୍ଟିକୁଡ଼ିଠାରେ ଜମି ଅଧିଗ୍ରହଣକୁ ନେଇ ଗୁରୁବାର ଜମି ମାଲିକ ଓ ପ୍ରଶାସନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। କାରଣ ଶହେରୁ ଉଦ୍ଧର୍ବ ପରିବାରଙ୍କ ଜମି ଅଧିଗ୍ରହଣ ହୋଇଥିଲେ ସୁଦ୍ଧା ବହୁ ଲୋକଙ୍କୁ ଜମିର ଟଙ୍କା ମିଳିନାହିଁ। ଜମି ଅଧିଗ୍ରହଣକୁ ଗ୍ରାମବାସୀ ବିରୋଧ କରି ନ ଥିଲେ ମଧ୍ୟ ପ୍ରଶାସନର ତରବରିଆ ନୀତିକୁ ତୀବ୍ର ବିରୋଧ କରାଯାଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଯେଉଁ ହିତାଧିକାରୀଙ୍କ ଜମି ଅଧିଗ୍ରହଣ ହୋଇଛି ସମସ୍ତଙ୍କୁ ଅଧି ଗ୍ରହଣର ସମ୍ପୂର୍ଣ୍ଣ ଟଙ୍କା ମିଳି ନାହିଁ। ଆଉ କେତେକଙ୍କୁ ଆଜି ଯାଏ ଟଙ୍କା ମିଳିନାହିଁ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଅଧିଗ୍ରହଣ ପାଇଁ ଆସିଥିବା ନୋଟିସ୍ରେ ତହସିଲଦାର ଦସ୍ତଖତ ଜୁନ୍ ୩ରେ ହୋଇଥିବା ବେଳେ ନୋଟିସ୍ ମିଳିଛି ଜୁନ ୧୦ରେ ଓ ୧୭ରେ ଜାଗା ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୭ ଦିନ ଭିତରେ କ’ଣ ଘର ତିଆରି କରି ଆମେ ଘର ଛାଡ଼ି ପାରିବୁ କି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଆଗକୁ ବର୍ଷା ଦିନ ଆସୁଥିବାରୁ କିଛି ନ ହେଲେ ମଧ୍ୟ ଆମକୁ ୬ ମାସ ଯାଏ ସମୟ ଦେବା ପାଇଁ ତହସିଲଦାରଙ୍କୁ ଗ୍ରାମବାସୀ ଦାବି କରିଛନ୍ତି। କିଛି ଦିନ ପରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ମାଜିଷ୍ଟ୍ରେଟ୍ ଦାୟିତ୍ୱ ଥିବା କେସିଙ୍ଗା ତହସିଲ ଅଫିସର ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲ ପୋଲିସ ଦଳ ନେଇ ହିତାଧିକାରୀଙ୍କୁ ଘର ଖାଲି କରିବାକୁ କହିବାରୁ ଗ୍ରାମବାସୀ ଉତ୍ତେଜିତ ହୋଇ ମାଜିଷ୍ଟ୍ରେଟ୍ ଓ ପୋଲିସ ସହ ମୁହାଁମୁହିଁ ହୋଇଥିଲେ।
ଏ ସଂକ୍ରାନ୍ତରେ କେସିଙ୍ଗା ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲଙ୍କୁ ପଚାରିବାରୁ କୌଣସି ଉତ୍ତର ଦେବା ପାଇଁ ମନା କରିଥିଲେ। ଜିଲାପାଳଙ୍କ ସହ ଆଲୋଚନା ପରେ ବିଚାର କରାଯିବ ବୋଲି ପ୍ରକାଶ କରିଥିଲେ।
ସୌଜନ୍ୟ ଧରିତ୍ରୀ




