
କନକ ବ୍ୟୁରୋ : କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଶିଖରପୁର ଅଞ୍ଚଳରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଏବଂ କୌତୁହଳ ସୃଷ୍ଟି ହୋଇଛି । ପ୍ରାଥମିକ ଭାବେ ଏହା ଏକ ସନ୍ଦେହଜନକ ମୃତ୍ୟୁ ବୋଲି ଅନୁମାନ କରାଯାଉଥିବାବେଳେ, କେହି ଯୁବକଙ୍କୁ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ସନ୍ଦେହ ମଧ୍ୟ ପ୍ରକାଶ ପାଉଛି । ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ଘଟଣାସ୍ଥଳରୁ ପୁଲିସ୍ ଏକ ମୋବାଇଲ ଫୋନ ଜବତ କରିଛି । ମୋବାଇଲର ଲକ୍ ଖୋଲିବା ପରେ ମୃତକଙ୍କ ପରିଚୟ ସହ ମୃତ୍ୟୁ ପଛର ରହସ୍ୟ ସାମ୍ନାକୁ ଆସିପାରେ ବୋଲି ତଦନ୍ତକାରୀ ଅଧିକାରୀମାନେ ଆଶା କରୁଛନ୍ତି ।
ଖବର ପାଇ ଚାଉଳିଆଗଞ୍ଜ ଥାନା ଆଇଆଇସି ଓ ଏସିପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ତଳକୁ ଓହ୍ଲାଇଥିଲେ । ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି । ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଏହା ପ୍ରକୃତରେ ଆତ୍ମହତ୍ୟା ନା କୌଣସି ସୁପରିକଳ୍ପିତ ହତ୍ୟାକାଣ୍ଡ, ତାହା ସ୍ପଷ୍ଟ ହେବ ପୁଲିସର ତଦନ୍ତ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ । ବର୍ତ୍ତମାନ ମୋବାଇଲ ଫୋନର ତଥ୍ୟ ଏହି ରହସ୍ୟମୟ ମୃତ୍ୟୁର ସବୁଠୁ ବଡ଼ ସୁରାକ ହୋଇପାରେ ।
ସୌଜନ୍ୟ KANAK NEWS




