ଝାରପଡ଼ା ଜେଲରେ ଡିଆଜିଙ୍କ ଛାନଭିନ୍ , ସିସିଟିଭି ଫୁଟେଜ୍ ଯାଞ୍ଚ ସହ ଅନ୍ତେବାସୀଙ୍କୁ ପଚରାଉଚରା
ଝାରପଡ଼ା ଜେଲ୍ ଭିତରେ ନିଶାଦ୍ରବ୍ୟ କାରବାର ଏବଂ କଏଦୀଙ୍କ ଅସୁସ୍ଥତା ଘଟଣାକୁ ଗୁରୁତର ସହ ନେଇଛି କାରା ବିଭାଗ । ଡିଜି ପ୍ରିଜନ୍ସଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଡିଆଜିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ଡିଆଜି ବୀରେନ୍ ସାହୁ ଆଜି ଝାରପଡ଼ା ଜେଲରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ।

କନକ ବ୍ୟୁରୋ : ଝାରପଡ଼ା ଜେଲ୍ ଭିତରେ ନିଶାଦ୍ରବ୍ୟ କାରବାର ଏବଂ କଏଦୀଙ୍କ ଅସୁସ୍ଥତା ଘଟଣାକୁ ଗୁରୁତର ସହ ନେଇଛି କାରା ବିଭାଗ । ଡିଜିଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଡିଆଜିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ଡିଆଜି ବୀରେନ୍ ସାହୁ ଆଜି ଝାରପଡ଼ା ଜେଲରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ତଦନ୍ତର ଅଂଶ ଭାବେ ଜେଲର ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବା ସହ ଘଟଣା ସମୟରେ ଉପସ୍ଥିତ ଥିବା ଅନ୍ୟ ଅନ୍ତେବାସୀଙ୍କୁ ମଧ୍ୟ ପଚରାଉଚରା କରାଯିବ ।
ଜେଲ୍ ଭିତରକୁ ନିଶାଦ୍ରବ୍ୟ କିପରି ପ୍ରବେଶ କଲା, ଏଥିରେ କାହାର ସମ୍ପୃକ୍ତି ରହିଛି ଏବଂ କୌଣସି ସୁରକ୍ଷା ତ୍ରୁଟି ହୋଇଛି କି ନାହିଁ, ସେସବୁ ଦିଗକୁ ଗୁରୁତ୍ୱର ସହ ଖୋଳତାଡ଼ କରାଯାଉଛି । ଡିଆଜି ବୀରେନ୍ ସାହୁ ସ୍ପଷ୍ଟ କରିଛନ୍ତି, ଯଦି ଜେଲ୍ ଭିତରେ ନିଶା କାରବାର କିମ୍ବା କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ପ୍ରମାଣିତ ହୁଏ, ତେବେ କୌଣସି ପ୍ରକାର କୋହଳ ନକରି କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଘଟଣା ପରେ ଝାରପଡ଼ା ଜେଲର ସୁରକ୍ଷା ବ୍ୟବସ୍ଥା ଓ ପ୍ରଶାସନିକ କାର୍ଯ୍ୟକଳାପକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି ।
ସୌଜନ୍ୟ KANAK NEWS




