ଦାରିଦ୍ର୍ୟତାର କରୁଣ ଚିତ୍ର, ପିଲାଙ୍କ ଜୀବନ-ଭବିଷ୍ୟତ ପାଇଁ ସରକାରଙ୍କ ହାତରେ ଟେକି ଦେଲା ତିନି ଛୁଆ
ଜଣେ ବାପା ଆଜି କାନ୍ଦୁଛି। ତା ଆଖିରେ ଅସହାୟତାର ଚିତ୍ର ସ୍ପଷ୍ଟ ବାରି ପଡ଼ୁଛି। ପାଟିରେ କହି ପାରୁ ନଥିବା ଅନେକ କଥା ଆଜି ସେହି ଆଖିରେ ଜଳ ଜଳ ହୋଇ ଦିଶୁଛି। କେମିତି ବା ହେବନି କହିଲେ, ପିଲାଙ୍କୁ ଦି ଓଳି ଦି ମୁଠା ଖାଇବାକୁ ଦେବା ବି ତାଙ୍କ ପକ୍ଷେ ସମ୍ଭବ ହେଉନି।

ସୁନ୍ଦରଗଡ଼: ଜଣେ ବାପା ଆଜି କାନ୍ଦୁଛି। ତା ଆଖିରେ ଅସହାୟତାର ଚିତ୍ର ସ୍ପଷ୍ଟ ବାରି ପଡ଼ୁଛି। ପାଟିରେ କହି ପାରୁ ନଥିବା ଅନେକ କଥା ଆଜି ସେହି ଆଖିରେ ଜଳ ଜଳ ହୋଇ ଦିଶୁଛି। କେମିତି ବା ହେବନି କହିଲେ, ପିଲାଙ୍କୁ ଦି ଓଳି ଦି ମୁଠା ଖାଇବାକୁ ଦେବା ବି ତାଙ୍କ ପକ୍ଷେ ସମ୍ଭବ ହେଉନି। ପିଲାଙ୍କ ଲାଳନ ପାଳନ ପାଇଁ ସେହି ବାପା ଛାତିରେ ପଥର ରଖି ଯାହା କରିଛି ସେସବୁ ଜଣେ ଜନ୍ମଦାତାଙ୍କ ପାଇଁ କେତେ ଯେ, କଷ୍ଟକର ତା ଶବ୍ଦର ବର୍ଣ୍ଣନା କରିବା କେବଳ କଷ୍ଟକର ନୁହେଁ, ଅସମ୍ଭବ।
ଦୁଃଖ ଆସିଲେ ସାଙ୍ଗରେ ବନ୍ଧୁ ପରିଜନଙ୍କନୁ ଧରି ଆସେ। ୪ ବର୍ଷ ତଳେ ମା’ କେଉଁଆଡ଼େ ଚାଲିଗଲା। ୩ କୁନି ପୁଅ ଝିଅଙ୍କ ଭାର ପଡ଼ିଥିଲା ଦିନମଜୁରିଆ ବାପା ଉପରେ। ଏଭଳି ସ୍ଥିତିରେ ପିଲାମାନଙ୍କୁ ଠିକ୍ ଭାବେ ଲାଳନପାଳନ କରିବା ତ ଦୂରର କଥା, ଅନେକ ସମୟରେ ଦୁଇମୁଠା ଖାଇବାକୁ ଦେବାରେ ସକ୍ଷମ ହେଉ ନଥିଲା ବାପା। ଶେଷରେ ଛାତିକୁ ପଥର କରି ନିଜର ୩ ପିଲାଙ୍କୁ ଶିଶୁ ସୁରକ୍ଷା କଲ୍ୟାଣ କମିଟି ହାତରେ ଟେକି ଦେଇଛି। ଏତିକି ବୁଝିବା ଯେ, ଭୋକ ଆଗରେ ହାରିଗଲା, ବାପାର ସ୍ନେହ । ଦାରିଦ୍ର୍ୟ ଓ ଅସହାୟତାର ଏହି କରୁଣ ଦୃଶ୍ୟଟି ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅଞ୍ଚଳର।
ବାପା ନିଜ ପିଲାମାନଙ୍କ ଜୀବନ ଓ ଭବିଷ୍ୟତକୁ ସରକାରଙ୍କ ହାତରେ ଟେକି ଦେଇଛି । ଏ ଏକ ଅସହାୟ ଅଭାବୀ ବାପାର କାହାଣୀ। ସରକାରଙ୍କ ପାଖକୁ ଗଲେ ଭଲକି ମୁଠେ ଖାଇବାକୁ ମିଳିବ। ସେହି ଆଶାରେ ଛୁଆମାନଙ୍କୁ ସେ ସରକାରଙ୍କ ଜିମା ଦେଇ ଦେଲେ , ଏତିକି କହୁ କହୁ ବାପାର ଆଖିରୁ ଲୁହ ଝରି ପଡିଥିଲା। ଆଇନଗତ ପ୍ରକ୍ରିୟା ଓ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ପରେ ୩ ଶିଶୁଙ୍କୁ ଚାଇଲ୍ଡ ଲାଇନ୍ ଏବେ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରିଛନ୍ତି। ସେମାନଙ୍କୁ ରାଉରକେଲା ଏସ୍ୱଏସ୍ ଭିଲେଜରେ କରାଯାଇଛି ଥଇଥାନ ।
ଚିନ୍ତାଜନକ ଯେ, ପରିବାର ପାଖରେ ଆଧାର କାର୍ଡ ନଥିବାରୁ, କୌଣସି ସରକାରୀ ସୁବିଧା ପରିବାର ପାଖରେ ନାହିଁ। ସରକାରଙ୍କ ଅନେକ ଯୋଜନା ଥିଲେ ବି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପ୍ରକୃତ ଉପଭୋକ୍ତାଙ୍କ ନିକଟରେ ପହଞ୍ଚି ପାରୁ ନାହାନ୍ତି। ବିଡମ୍ବନାର ବିଷୟ ଛୁଆଙ୍କର ନାହିଁ ଜନ୍ମ ପ୍ରମାଣପତ୍ର । ତେଣୁ ୩ ଛୁଆ ଯାଇ ପାରୁନଥିଲେ ସ୍କୁଲ୍। ଏପରି ସ୍ଥିତ ରେ ଛୁଆଙ୍କୁ ସରକାରଙ୍କୁ ଦେଇଦେବା ଭଲ ବୋଲି ବିଚାର କରିଥଲେ ବାପା।
ଅନ୍ୟପଟେ ପରିବାରକୁ ୪ ମାସ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ସେ ସମୟ ଭିତରେ ଯଦି ପରିବାର ଲୋକେ ମନ ପରିବର୍ତ୍ତନ କରନ୍ତି ପିଲାମାନଙ୍କୁ ପରିବାରକୁ ଫେରାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ।ଭୋକିଲା ରହିବେନି, ବିକାଶର ଚିହ୍ନ ଜଳଜଳ ଦିଶିବ। ଏ ସ୍ଲୋଗାନ୍ ସବୁ ସରକାରଙ୍କର । କିନ୍ତୁ ବାସ୍ତବ ସ୍ଥିତି ଏସ୍ଲୋଗାନଠୁ କେତେ ଦୂରରେ । ଭୋକ ସହି ନପାରି ବାପଟି ଲୁହ କୋହ ଚାପି ଛୁଆଙ୍କୁ ଟେକି ଦେବ। ଏ ଘଟଣା ନିଶ୍ଚୟ ହୃୟବିଦାରକ। ତଥାପି ଆଶା ସ୍ଥିତି ବଦଳିବ।
ସୌଜନ୍ୟ Prameya News7




