ଜାତୀୟବାଣିଜ୍ୟ

ବୋତଲରେ ମିଳିବ ସୌର ଶକ୍ତି, ଲିଥିୟମ ବ୍ୟାଟେରୀଠୁ ୨ଗୁଣା ଶକ୍ତିଶାଳୀ

ସୌର ପ୍ୟାନେଲ ଦ୍ୱାରା ଅନେକ ଫାଇଦା ମିଳିଥାଏ ଏବଂ ଘରର ବିଜୁଳି ମଧ୍ୟ ସଞ୍ଚିତ ହୋଇଥାଏ । ଏହାର ସବୁଠୁ ବଡ଼ ସୁବିଧା ହେଉଛି ଯେ ସୂର୍ଯ୍ୟାସ୍ତ ପରେ ଏବଂ ମେଘପୂର୍ଣ୍ଣ ପାଣିପାଗ ଥିଲେ ମଧ୍ୟ ଘରକୁ ଆଲୋକୀକରଣ କରିପାରିବେ ।

ଭୁବନେଶ୍ବର,୨୭|୦୬:ଆଜିକାଲି ସହର ଠାରୁ ଆରମ୍ଭ କରି ଗାଁ ମାନଙ୍କରେ ମଧ୍ୟ ଲୋକେ ନିଜ ଘର ଛାତରେ ସୌର ପ୍ୟାନେଲ ଲଗାଉଛନ୍ତି । ସୌର ପ୍ୟାନେଲ ଦ୍ୱାରା ଅନେକ ଫାଇଦା ମିଳିଥାଏ ଏବଂ ଘରର ବିଜୁଳି ମଧ୍ୟ ସଞ୍ଚିତ ହୋଇଥାଏ । ସୌର ପ୍ୟାନେଲ ଜରିଆରେ ପ୍ରାକୃତିକ ଉପାୟରେ ସୂର୍ଯ୍ୟଙ୍କ ଠାରୁ ବିଜୁଳି ଉତ୍ପନ୍ନ ହୋଇଥାଏ । ଏହାର ସବୁଠୁ ବଡ଼ ସୁବିଧା ହେଉଛି ଯେ ସୂର୍ଯ୍ୟାସ୍ତ ପରେ ଏବଂ ମେଘପୂର୍ଣ୍ଣ ପାଣିପାଗ ଥିଲେ ମଧ୍ୟ ଘରକୁ ଆଲୋକୀକରଣ କରିପାରିବେ । ସାଧାରଣତଃ ଏଥିପାଇଁ ଆଉ ଭାରୀ ବ୍ୟାଟେରୀର ଆଵଶ୍ୟକତା ପଡି ନପାରେ । କିନ୍ତୁ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ ଶାନ୍ତା ବାରବାରାର ଅଧ୍ୟୟନକର୍ତ୍ତା ଏଭଳି ଟେକ୍ନୋଲୋଜି ପ୍ରସ୍ତୁତ କରିଛନ୍ତି, ଯାହା ବ୍ୟାଟେରୀ ବିନା ସୂର୍ଯ୍ୟାଲୋକକୁ ସିଧାସଳଖ ବୋତଲରେ ସଂଗ୍ରହ କରିପାରେ। ଏଥିପାଇଁ ବୈଜ୍ଞାନିକମାନେ ଏକ ଅଭିନବ ଜୈବ ଅଣୁ ବିକଶିତ କରିଛନ୍ତି, ଯାହା ସୂର୍ଯ୍ୟକୁ ରାସାୟନିକ ବନ୍ଧନରେ ବାନ୍ଧିଦିଏ ଏବଂ ଆବଶ୍ୟକ ହେଲେ ତାକୁ ଉତ୍ତାପ ରୂପେ ଛାଡ଼େ ।

ଏହି ସ୍ୱତନ୍ତ୍ର ଟେକ୍ନୋଲୋଜିକୁ ମଲିକ୍ୟୁଲାର ସୋଲାର ଥର୍ମାଲ କୁହାଯାଏ। ଏଥିରେ ଖାସ୍ ଅଣୁର ପ୍ରସ୍ତୁତି ଲାଗି ମାନବ ଡିଏନଏରୁ ପ୍ରେରଣା ନିଆଯାଇଛି। ଏହାର ସଂରଚନା ଡିଏନଏର ଅଂଶ ଭଳି, ଯାହା ଅତିବାଇଗଣି କିରଣରେ ନିଜ ଆକାର ବଦଳାଏ । ଏହା ଏକ ଚାପଯୁକ୍ତ ସ୍ପ୍ରିଙ୍ଗ ଭଳି କାମ କରେ । ଏଥିରେ ସୂର୍ଯ୍ୟାଲୋକ ପଡ଼ିବା ମାତ୍ରେ ନିଜ ଭିତରେ ଏହା ଉର୍ଜ୍ଜା ଏକତ୍ର କରେ ଏବଂ ନିଜର ଆକାର ବଦଳାଏ । ବର୍ଷ ବର୍ଷ ଧରି ଏହା ସେହି ସ୍ଥିତିରେ ମଧ୍ୟ ବାନ୍ଧିହୋଇ ରହିପାରେ । ଏଥିରେ ହାଲୁକା ଉତ୍ତାପ ଦିଆଗଲେ କିମ୍ବା କୌଣସି ସ୍ବତନ୍ତ୍ର ରସାୟନ ମିଶାଗଲେ, ଏହି ଅଣୁ ତୁରନ୍ତ ନିଜର ପୁରୁଣା ଅସଲି ରୂପକୁ ଫେରିଆସେ ଏବଂ ନିଜ ଭିତରେ ସମାହିତ ଉତ୍ତାପକୁ ବାହାରକୁ ଛାଡ଼େ।

ଏହି ଅଣୁର ନିଜ ଭିତରେ ଉର୍ଜ୍ଜା ସଞ୍ଚୟର ଶକ୍ତି ଅବିଶ୍ୱସନୀୟ। ଲିଥିୟମ୍ ବ୍ୟାଟେରୀ ସହ ଏହାକୁ ଯଦି ତୁଳନା କରାଯାଏ, ତେବେ ୧ କିଲୋଗ୍ରାମ୍ ଲିଥିୟମ୍ ବ୍ୟାଟେରୀ କେବଳ ୦.୯ ମେଗାଜୁଲ ଉର୍ଜ୍ଜା ସଞ୍ଚୟ କରିପାରେ। ଅନ୍ୟପକ୍ଷେ, ସେହି ମାତ୍ରାରେ ଏହି ଅଣୁ ୧.୬ ମେଗାଜୁଲ ଉର୍ଜା ନିଜ ଭିତରେ ରଖିପାରେ । ଏହି ପରିପ୍ରେକ୍ଷୀରେ ନୂଆ ଟେକ୍ନୋଲୋଜି ସାଧାରଣ ବ୍ୟାଟେରୀ ତୁଳନାରେ ହାରାହାରି ଦୁଇଗୁଣ ଶକ୍ତିଶାଳୀ । ସବୁଠି ବହୁମାତ୍ରାରେ ସୌର ପ୍ୟାନେଲର ବ୍ୟବହାର ବଢୁଥିବା ଦେଖି ଆଗକୁ ଭବିଷ୍ୟତ ପାଇଁ ବୈଜ୍ଞାନିକମାନେ ମଧ୍ୟ ନୂଆ ଟେକ୍ନୋଲୋଜି ପ୍ରସ୍ତୁତ କରିବାକୁ ଚେଷ୍ଟା ଚଳାଇଛନ୍ତି ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button