
କାନ୍ସାସ୍: ଚଳିତ ବିଶ୍ବକପ୍ର ଗ୍ରୁପ୍-ଜେରେ ଅଷ୍ଟ୍ରିଆ ଓ ଅଲ୍ଜେରିଆ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହେବା ସହ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି। ଏହି ପଏଣ୍ଟ ସହ ଉଭୟ ଦଳ ମଧ୍ୟ ନକ୍ଆଉଟ୍ରେ ପ୍ରବେଶ କରିଛନ୍ତି। ରବିବାର ଏଠାରେ ଖେଳାଯାଇଥିବା ମ୍ୟାଚ୍ରେ ଉଭୟ ଦଳ ୩-୩ ଗୋଲ୍ କରିବାକୁ ସକ୍ଷମ ହୋଇଥିଲେ। ୨୮ତମ ମିନିଟ୍ରେ ଡେଭିଡ୍ ଆଲ୍ଭାଙ୍କ ପାସ୍ରେ ମାର୍କୋ ଅର୍ନୋଉଟୋଭିକ୍ ଗୋଲ୍ କରି ଅଷ୍ଟ୍ରିଆକୁ ଆଗୁଆ କରିଥିଲେ। ୪୧ତମ ମିନିଟ୍ରେ ଅଲ୍ଜେରିଆର ରଫିକ୍ ବେଲଗାଲି ଗୋଲ୍ଟି ଶୁଝି ଦେବାରୁ ପ୍ରଥମାର୍ଦ୍ଧ ୧-୧ ସମାନ ସ୍ତରରେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ପୁଣି ଅଷ୍ଟ୍ରିଆ ଆଗୁଆ ହୋଇଯାଇଥିଲା।
ଅଲ୍ଜେରିଆକୁ ୩-୨ରେ ବିଜୟ
କୋନ୍ରାଡ୍ ଲାଇମରଙ୍କ ସୁନ୍ଦର ପାସ୍କୁ ମାର୍ସେଲ ସାବିଜର (୫୫ ମିନିଟ୍) ଗୋଲ୍ କରି ଏହି ଅଗ୍ରଣୀ ଦେଇଥିଲେ। ଏହାର ୫ ମିନିଟ୍ରେ ହୌସେମ ଔରଙ୍କ ପାସ୍ରେ ରିଆଦ ମହରେଜ (୬୦ ମିନିଟ୍) ଗୋଲ୍ରେ ଅଲ୍ଜେରିଆ ସ୍ଥିତି ୨-୨କୁ ଆଣିଥିଲା। ଶେଷ ଇନ୍ଜୁରି ସମୟରେ ମେହରେଜ୍ (୯୦+୩ ମିନିଟ୍) ଗୋଲ୍ କରି ବ୍ୟକ୍ତିଗତ ଦ୍ବିତୀୟ ସଫଳତା ପାଇବା ସହ ଅଲ୍ଜେରିଆକୁ ୩-୨ରେ ବିଜୟ ଦିଗରେ ନେଇଥିଲେ। ହେଲେ ଶେଷ ସମୟରେ ମାଇକେଲ ଗ୍ରିଗୋରିଚ୍ଙ୍କ ପାସ୍କୁ ସାସା କାଲାଜିକ୍ (୯୦+୬ ମିନିଟ୍) ଗୋଲ୍ ଦେଇ ଅଲ୍ଜେରିଆର ବିଜୟ ଆଶାରେ ପାଣି ଭରିବା ସହ ମ୍ୟାଚ୍କୁ ଡ୍ର’ର କରି ଦେଇଥିଲେ। ଏହି ଡ୍ର’ ସହ ଅଷ୍ଟ୍ରିଆ ୧୯୮୨ ପରେ ପ୍ରଥମ ଥର ଗ୍ରୁପ୍ ପର୍ଯ୍ୟାୟ ବାଧା ଅତିକ୍ରମ କରିଥିଲା ବେଳେ ଅଷ୍ଟ୍ରିଆ ଦ୍ବିତୀୟ ଥର ଲାଗି ନକ୍ଆଉଟ୍ରେ ପହଞ୍ଚିଛି।
ସୌଜନ୍ୟ ସମ୍ବାଦ




