ସମ୍ପାଦକୀୟ

Editorial: କାହିଁ ବୀର ଗାଥା?

‘ଅପରେସନ ସିନ୍ଦୂର’ର ଛଅ ବୀର ସହିଦଙ୍କୁ ‘ଜାତୀୟ ସମର ସ୍ମାରକୀ’ରେ, ୨୬,୬୨୬ ବୀର ସହିଦଙ୍କ ଗହଣରେ, ଚିରସ୍ଥାୟିତ୍ବ ପ୍ରାପ୍ତ ହୋଇଛି; କିନ୍ତୁ ବୀରତ୍ବର ଗାଥା ସେମାନଙ୍କୁ ଯେଉଁ ଏକ ଅନନ୍ୟ ଉଦ୍‌ଭାସ ଦେଇ ଅମରତ୍ବ ଦିଅନ୍ତା, ତାହା ସେମାନଙ୍କ ଲାଗି ଅଲଭ୍ୟ ହୋଇ ରହିଗଲା!

‘ଅପରେସନ ସିନ୍ଦୂର’ର ଛଅ ବୀର ସହିଦଙ୍କୁ ‘ଜାତୀୟ ସମର ସ୍ମାରକୀ’ରେ, ୨୬,୬୨୬ ବୀର ସହିଦଙ୍କ ଗହଣରେ, ଚିରସ୍ଥାୟିତ୍ବ ପ୍ରାପ୍ତ ହୋଇଛି; କିନ୍ତୁ ବୀରତ୍ବର ଗାଥା ସେମାନଙ୍କୁ ଯେଉଁ ଏକ ଅନନ୍ୟ ଉଦ୍‌ଭାସ ଦେଇ ଅମରତ୍ବ ଦିଅନ୍ତା, ତାହା ସେମାନଙ୍କ ଲାଗି ଅଲଭ୍ୟ ହୋଇ ରହିଗଲା!

‘ଅପରେସନ ସିନ୍ଦୂର’ ସମୟରେ ସହିଦ ହୋଇଥିବା ଛଅ ଜଣ ସୈନିକଙ୍କ ନାମ ଗଲା ଗୁରୁବାର ଦିନ ଆଧିକାରିକ ଭାବେ ପ୍ରକାଶ୍ୟ ହେବା ପରେ ବିବାଦଟିଏ ସୃଷ୍ଟି ହେଲାଣି ଯେ ମାତୃଭୂମିର ସୁରକ୍ଷା ସକାଶେ ପ୍ରାଣ ବିସର୍ଜନ କରିଥିବା କର୍ତ୍ତବ୍ୟରତ ଏହି ବୀରମାନଙ୍କ ଭୂମିକାକୁ ସରକାରଙ୍କ ପକ୍ଷରୁ ଯଥା ସମୟରେ ଅର୍ଥାତ୍‌ ଯୁଦ୍ଧ-ବିରତିର ତୁରନ୍ତ ବାଦ ଏବଂ ଯଥାର୍ଥ ଢଙ୍ଗରେ ଉପସ୍ଥାପନ କରାଗଲା ନାହିଁ କାହିଁକି? ପ୍ରକାଶ ଥାଉ କି ଗଲା ବର୍ଷ ମେ ୧୦ ତାରିଖରେ ଯୁଦ୍ଧରେ ବିରତି ଲାଗିଥିଲା; ଯାହାର ଦୀର୍ଘ ପ୍ରାୟ ତେର ମାସ ପରେ, ଦିଲ୍ଲୀର ଇଣ୍ଡିଆ ଗେଟସ୍ଥିତ ‘ନେସନାଲ ୱାର ମେମୋରିଆଲ’ ବା ‘ରାଷ୍ଟ୍ରୀୟ ସମର ସ୍ମାରକୀ’ରେ ଏହି ଛଅ ସହିଦଙ୍କ ନାମ ସଂଯୋଜିତ ହେବା ପ୍ରକରଣରେ, ସେମାନେ ଅଗତ୍ୟା ଲୋକଲୋଚନକୁ ଆସିଛନ୍ତି। କହିବା ଅନାବଶ୍ୟକ ଯେ ରାଜନୈତିକ ବିରୋଧୀ ପକ୍ଷ ଏହାକୁ ‘ସହିଦତ୍ବ ପ୍ରତି ଘୋର ଅସମ୍ମାନ’ ବୋଲି ଅଭିହିତ କରି ଉଚ୍ଚାଟ ସୃଷ୍ଟି କରୁଥିବା ବେଳେ ଲୋକକ୍ଷେତ୍ରରେ ଯାହା ଚର୍ଚ୍ଚା ଓ ବିତର୍କର କାରଣ ହୋଇଛି, ତାହା ହେଲା ସହିଦମାନଙ୍କ ପରିଚୟକୁ ଦୃଷ୍ଟି ଅନ୍ତରାଳରେ ରଖାଯିବାର ଆବଶ୍ୟକତା ଓ ଔଚିତ୍ୟ! ଏଭଳି ସ୍ଥଳେ ଏ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ସରକାରଙ୍କ ପକ୍ଷଭୁକ୍ତ କେତେକ ପର୍ଯ୍ୟବେକ୍ଷକ କହିଥାଆନ୍ତି ଯେ ଯୁଦ୍ଧ-ବିରତି ସତ୍ତ୍ବେ ‘ଅପରେସନ ସିନ୍ଦୂର’ ଏ ପର୍ଯ୍ୟନ୍ତ କାର୍ଯ୍ୟତଃ ଅବ୍ୟାହତ ରହିଛି, ଯେଉଁ କାରଣରୁ ସରକାର ହୁଏତ ସହିଦମାନଙ୍କ ପରିଚୟକୁ ଆଧିକାରିକ ଭାବେ ଉନ୍ମୋଚନ କରିବାକୁ ଚାହିଁ ନ ଥିବେ! କିନ୍ତୁ, ବିରୋଧୀ ପକ୍ଷର ଅଭିଯୋଗ ଅତ୍ୟନ୍ତ ସାଂଘାତିକ, ଯେଉଁମାନେ ଗଲା ଜୁଲାଇ ୨୮ ତାରିଖ‌େର, ସଂସଦ କକ୍ଷରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପକ୍ଷରୁ ପ୍ରଦତ୍ତ ଏକ ଅତ୍ୟନ୍ତ ଦୃଢ଼ ଓ ପ୍ରାଂଜଳ ବକ୍ତବ୍ୟକୁ ଦର୍ଶାଇ କହନ୍ତି ଯେ ସେ ଦିନ ସଂସଦ ମଧ୍ୟରେ ମନ୍ତ୍ରୀ ମହୋଦୟ ଏକ ନିତାନ୍ତ ‘ଅସତ୍ୟ’ର ଉପସ୍ଥାପନ କରି କହିଥିଲେ ଯେ ‘ଅପରେସନ ସିନ୍ଦୂର’ରେ ଭାରତୀୟ ସୈନ୍ୟ ବଳର ଆଦୌ କୌଣସି କ୍ଷତି ହୋଇନାହିଁ; ଏବଂ ସେହି ଉଚ୍ଚ ସ୍ବରର ଦାବିକୁ ଶାସକ ଦଳ ପକ୍ଷରୁ ସହର୍ଷ ଟେବୁଲ ବାଡ଼େଇ ସମର୍ଥନ କରାଯାଇଥିଲା। ଅବଶ୍ୟ, ଇତି ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୋକ୍ତି ପ୍ରଦାନ କରାଯାଇଛି ଯେ ମନ୍ତ୍ରୀଙ୍କ ବକ୍ତବ୍ୟ ସଂବଳିତ ଭିଡିଓକୁ ସଂଦର୍ଭ-ଚ୍ୟୁତ କରି ଉପସ୍ଥାପନ କରାଯାଉଛି; କାରଣ ସେହି ଦିନ ସଂସଦରେ ବିତର୍କର ବିଷୟବସ୍ତୁ ଥିଲା ଭାରତୀୟ ବିମାନବାହିନୀ ଦ୍ବାରା ସହନ କରାଯାଇଥିବା କ୍ଷୟକ୍ଷତି, ଯେଉଁ ପରିପ୍ରେକ୍ଷୀରେ ମନ୍ତ୍ରୀ ମହୋଦୟ ସୁଦିର୍ଦ୍ଦିଷ୍ଟ ଭାବେ କେବଳ ବିମାନ ବାହିନୀ ପ୍ରସଙ୍ଗରେ ତଥ୍ୟ ପ୍ରଦାନ କରିଥିଲେ! ସରକାରଙ୍କ ପକ୍ଷଭୁକ୍ତମାନେ କହିଥାଆନ୍ତି ଯେ ‘ଅପରେସନ ସିନ୍ଦୂର’ ଜାରି ରହିଥିବା ବେଳେ ହିଁ ଦେଶବାସୀଙ୍କୁ ଯୁଦ୍ଧର ସ୍ଥିତି ସଂକ୍ରାନ୍ତରେ ଜଣାଇବା ଲାଗି ଅନୁଷ୍ଠିତ ହେଉଥିବା ଦୈନନ୍ଦିନ ସାମ୍ବାଦିକ ସମ୍ମିଳନୀରେ ସେନା ପ୍ରବକ୍ତା ସୋଫିଆ କ୍ୟୁରେସିଙ୍କ ପକ୍ଷରୁ କିଛି ସୈନିକଙ୍କ ହତାହତ ନେଇ ମୂଳରୁ ସୂଚନା ଦିଆଯାଇଥିଲା। ସେହିଭଳି ଯୁଦ୍ଧ-ବିରତି ପରେ ‘ଡି.ଜି.ଏମ.ଓ.’ (‘ଡାଇରେକ୍ଟର ଜେନେରାଳ ଅଫ ମିଲିଟାରି ଅପରେସନ’)ଙ୍କ ଦ୍ବାରା ଆହୂତ ସାମ୍ବାଦିକ ସମ୍ମିଳନୀରେ ସହିଦତ୍ବ ବରଣ କରିଥିବା ସଙ୍ଗୀମାନଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏଭଳି ସ୍ଥିତି‌ରେ ସଂସଦ କକ୍ଷରେ ମିଥ୍ୟା-ବାଚନର ଅବିମୃଶ୍ୟକାରୀ ସାହସ ମନ୍ତ୍ରୀ ମହୋଦୟ ପ୍ରଦର୍ଶନ କରିବା ସମ୍ଭବ କି? କିନ୍ତୁ, ଏଭଳି ସଫେଇ ବିରୋଧୀ ପକ୍ଷଙ୍କୁ ଆଦୌ ସନ୍ତୁଷ୍ଟ କରି ନ ଥାଏ। କୌଣସି ଯୁଦ୍ଧ ଅଥବା ସଂଘର୍ଷ ପରେ ପରେ ସହିଦମାନଙ୍କ ନାମକୁ ସସମ୍ମାନ ଓ ଆଧିକାରିକ ଭାବେ ପ୍ରକାଶ କରା ନ ଯିବାର ଏହି ଦୃଷ୍ଟାନ୍ତ ସ୍ବାଧୀନତୋତ୍ତର ଭାରତରେ ପ୍ରଥମ ବୋଲି ଅଭିହିତ କରୁଥିବା ଏହି ପକ୍ଷ ସ୍ଥିର ନିଶ୍ଚିତ ଯେ ଏହି ଅସ୍ବଚ୍ଛତା ସୃଷ୍ଟିର ଉଦ୍ୟମ ସୁନିୟୋଜିତ; କାରଣ ତାହା ହୋଇ ନ ଥିଲେ ‘ଡି.ଜି.ଏମ.ଓ.’ଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କାଳରେ ପ୍ରତ୍ୟେକ ସହିଦଙ୍କ ନାମ ସ୍ପଷ୍ଟ ଭାବେ ଉଚ୍ଚାରିତ ହୋଇଥାଆନ୍ତା। ସେହି ଭଳି ଗଲା ୮ ତାରିଖରେ, ରାଷ୍ଟ୍ରପତିଙ୍କ ଦ୍ବାରା ସହିଦ ରାଇଫଲମ୍ୟାନ ସୁନୀଲ କୁମାରଙ୍କୁ ମରଣୋତ୍ତର ଭାବେ ‘ବୀର ଚକ୍ର’ ସମ୍ମାନ ଦ୍ବାରା ଭୂଷିତ କରାଗଲା ବେଳେ ଔପଚାରିକ ପରିଚୟ ପ୍ରଦାନ ପ୍ରକରଣରେ ତାଙ୍କ ଅନ୍ତିମ କର୍ମ କ୍ଷେତ୍ର ‘ଅପରେସନ ସିନ୍ଦୂର’କୁ ଉହ୍ୟ ରଖା ଯାଇ ନ ଥାଆନ୍ତା! ତେବେ ଉଭୟ ପକ୍ଷର ତର୍କ ଯାହା ହୋଇଥାଉ ନା କାହିଁକି, ଏହା ଏକ ବାସ୍ତବତା ଯେ ଯୁଦ୍ଧ-ବିରତି ପରେ ଦୀର୍ଘ ତେର ମାସ କାଳ ସହିଦମାନଙ୍କୁ ଅପରିଚୟର ଅନ୍ଧକାରରେ ରଖାଯିବା ବିଷୟ ଅସଂଖ୍ୟ ଦେଶବାସୀଙ୍କୁ ମର୍ମାହତ କରିଛି।
ଏହି ସଂଦର୍ଭରେ ଆଲୋଚନା ବେଳେ କେତେକ ପର୍ଯ୍ୟବେକ୍ଷକ କହିଥାଆନ୍ତି ଯେ ସୀମା ଅତିକ୍ରମଣ ଓ ତଜ୍ଜନିତ ଯୁଦ୍ଧ ସଂକ୍ରାନ୍ତ ତଥ୍ୟକୁ ଗୋପନୀୟ ରଖିବାର ସରକାରୀ ଉଦ୍ୟମ ୨୦୨୦ ମସିହାରେ ଉଲ୍ଲେଖନୀୟ ଭାବେ ପରିଦୃଷ୍ଟ ହୋଇଥିଲା, ଯେତେବେଳେ ଚୀନ ସୈନିକମାନେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଅତର୍କିତ ଉପଦ୍ରବ ସୃଷ୍ଟି କରିଥିଲେ। ସେହି ସମୟରେ ଭାରତ-ଚୀନ ମଧ୍ୟବର୍ତ୍ତୀ ‘ପ୍ରକୃତ ନିୟନ୍ତ୍ରଣ ରେଖା’ ବା ‘ଏଲ.ଏ.ସି.’ ନିକଟରେ ବାସ୍ତବ ସ୍ଥିତି ବା ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସୈନ୍ୟ କ୍ଷୟ ଇତ୍ୟାଦି ନେଇ ତଥ୍ୟ ଓ ସୂଚନା ବେଶ୍‌ କିଛି କାଳ ଧରି ସଂଶୟ, ସନ୍ଦେହ ଓ ବିଭ୍ରାନ୍ତିର ପଟଳ ଦ୍ବାରା ଆଚ୍ଛନ୍ନ ହୋଇ ରହିଥିଲା। ଚୀନ ଦ୍ବାରା ସୀମାରେଖା ଅତିକ୍ରମ କରାଯାଇଥିବାର ଅଭିଯୋଗକୁ ସରକାର ସେତେବେଳେ ସ୍ବୀକାର କରି ନ ଥିଲେ ହେଁ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଆଦିରୁ ତାହା କ୍ରମେ ସ୍ପଷ୍ଟ ହେବାକୁ ଲାଗିଥିଲା। ଏହି ବିଶେଷଜ୍ଞମାନେ କହିଥାଆନ୍ତି ଯେ ୧୯୬୨ ମସିହାରେ ଚୀନ ଅତିକ୍ରମଣ ଓ ଯୁଦ୍ଧରେ ଚୀନଠାରୁ ଭାରତର ଦୟନୀୟ ପରାଜୟକୁ ଘେନି ତତ୍କାଳୀନ ନେହରୁ ସରକାର ସମସ୍ତ ତଥ୍ୟ ପ୍ରକାଶ୍ୟ କରିଥିଲେ, ଯଦିଓ ସେଥି ଲାଗି ପ୍ରଚୁର ଅସ୍ବସ୍ତି ଓ ସମାଲୋଚନାର ଶରବ୍ୟ ହୋଇଥିଲେ। ଅବଶ୍ୟ ଏହା ସତ ଯେ ରାଷ୍ଟ୍ର ସୁରକ୍ଷା ଦୃଷ୍ଟିରୁ ଅନେକ ସମୟରେ କେତେକ ତଥ୍ୟ ଓ ସୂଚନାକୁ ପ୍ରଚ୍ଛଦପଟରେ ରଖାଯିବା ରଣନୈତିକ ଅନିବାର୍ଯ୍ୟତା ହୋଇଥାଏ; କିନ୍ତୁ ତହିଁରେ ଯଦି ଦୁର୍ବଳତା ଢାଙ୍କିବାର ଉଦ୍ଦେଶ୍ୟ ନିହିତ ଥାଏ, ତେବେ ତାହା ସମସ୍ୟାମୂଳକ!

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button