ପୁନଶ୍ଚ ପୃଥିବୀ

The elephant: ବନସ୍ତେ ରହିଲେ ହସ୍ତୀ

ବିଲୟମୁଖୀ ଏସୀୟ ହାତୀକୁଳକୁ ରକ୍ଷା କରିବା ଅର୍ଥ ପ୍ରକାରାନ୍ତରେ ଶକ୍ତିଶାଳୀ ଅଙ୍ଗାରକ ଭଣ୍ଡାର ଭାବେ ଭାରତର ବଣଜଙ୍ଗଲ ସୁରକ୍ଷିତ ରଖିବା- ଏ କଥା ଜଣାପଡ଼ିଛି ଗୋଟାଏ ନୂତନ ବୈଜ୍ଞାନିକ...

ବିଲୟମୁଖୀ ଏସୀୟ ହାତୀକୁଳକୁ ରକ୍ଷା କରିବା ଅର୍ଥ ପ୍ରକାରାନ୍ତରେ ଶକ୍ତିଶାଳୀ ଅଙ୍ଗାରକ ଭଣ୍ଡାର ଭାବେ ଭାରତର ବଣଜଙ୍ଗଲ ସୁରକ୍ଷିତ ରଖିବା- ଏ କଥା ଜଣାପଡ଼ିଛି ଗୋଟାଏ ନୂତନ ବୈଜ୍ଞାନିକ ଗବେଷଣାରୁ।‘ଜର୍ଣ୍ଣାଲ୍‌ ଅଫ୍‌ ଥ୍ରେଟେଣ୍ଡ୍‌ ଟ୍ୟାକ୍ସା’ରେ ପ୍ରକାଶିତ ଉକ୍ତ ଗବେଷଣା ଆହୁରି ମଧ୍ୟ ଦର୍ଶାଇଛି ଯେ, ଖାଲି ହସ୍ତୀ ସଂରକ୍ଷଣ ନିମିତ୍ତ ଅଧିକରୁ ଅଧିକ ଅଞ୍ଚଳ ବୋଲି ଚିହ୍ନିତ କରିଦେଲେ ଦୀର୍ଘକାଳ ଧରି ଅଙ୍ଗାରକ ବା କାର୍ବନ୍‌ ସ୍ଥିରତା ଆସିବ ନାହିଁ। ସେ ସବୁ ଇଲାକାରେ ସେମାନଙ୍କର ବସବାସର ମାନ ଉନ୍ନତ କରିବା ସହିତ ବନ୍ୟପ୍ରାଣୀ କରିଡର୍‌ଗୁଡ଼ିକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ପଡ଼ିବ। ସର୍ବୋପରି ଅରଣ୍ୟ ପରିଚାଳନା ମଧ୍ୟ ଆହୁରି ମଜଭୁତ କରିବାକୁ ହେବ। ଗ୍ରିନ୍‌ ହାଉସ୍‌ ଗ୍ୟାସ୍‌ ବା ଉତ୍ତାପ ଅବରୋଧକାରୀ ବାଷ୍ପ ହଟାଇବା ଏବଂ ଜଳବାୟୁ ପରିବର୍ତ୍ତନଜନିତ କ୍ଳିଷ୍ଟ ହ୍ରାସ କରିବା କ୍ଷେତ୍ରରେ ଅଙ୍ଗାରକ ସ୍ଥିରତା ବା କାର୍ବନ୍‌ ଷ୍ଟାବିଲାଇଜେସନ୍‌ ଗୋଟାଏ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟା। କାର୍ବନ୍‌ ଷ୍ଟାବିଲାଇଜେସନ୍‌ ପ୍ରକ୍ରିୟା ବାୟୁମଣ୍ଡଳୀୟ ଅଙ୍ଗାରକୁ ଅକ୍ତିଆର କରି ତାହାକୁ ମୃତ୍ତିକା ଅଥବା ଜୈବିକ ପଦାର୍ଥ ମଧ୍ୟରେ ସ୍ଥିର, ଘନ ବା କଠିନ ଅବସ୍ଥାରେ ଅବରୋଧ କରି ରଖେ। ଏହା ଅଙ୍ଗାରକ ଅବକ୍ଷୟ, କ୍ଷରଣ ଅଥବା ପୁନଶ୍ଚ ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିବାରେ ବାଧା ଦିଏ।

ନଇଡ଼ାସ୍ଥିତ ଆମିଟି ବିଶ୍ବବିଦ୍ୟାଳୟର ତରୁଣ କଥୁଲା ଓ ତନୁ ଜିନ୍ଦଲ୍‌ଙ୍କ ଦ୍ବାରା ରଚିତ ଉକ୍ତ ଗବେଷଣା-ପ୍ରସୂତ ଆଲେଖ୍ୟରେ ୧୯୯୨ରୁ ୨୦୨୫ ମଧ୍ୟରେ ହସ୍ତୀ ସଂରକ୍ଷଣ ଉଦ୍ୟମ, ହସ୍ତୀ ସଂରକ୍ଷଣ ଅଞ୍ଚଳ ସମ୍ପ୍ରସାରଣ ଏବଂ ବନ୍ୟପ୍ରାଣୀଙ୍କ ସହ ସମ୍ପୃକ୍ତ ଥିବା ଅଙ୍ଗାରକ ଭଣ୍ଡାର ବୃଦ୍ଧି ମଧ୍ୟରେ ଥିବା ସମ୍ପର୍କ ପ୍ରସଙ୍ଗ ମୂଲ୍ୟାୟନ କରାଯାଇଛି।ଗବେଷକମାନେ ଜାଣିପାରିଛନ୍ତି ଯେ ଭାରତର ହସ୍ତୀ ସଂରକ୍ଷଣ ନେଟ୍‌ୱର୍କ ୧୮,୨୯୭ ବର୍ଗ କିଲୋମିଟର୍‌ରୁ ୮୦,୭୭୭ ବର୍ଗ କିଲୋମିଟର୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ତିନିଟି ହସ୍ତୀ ସଂରକ୍ଷଣ ଅଞ୍ଚଳରୁ ଏବେ ୩୩ଟି ହସ୍ତୀ ସଂରକ୍ଷଣ ଇଲାକା ହୋଇଯାଇଛି। ସେହିପରି, ୧୯୯୨-୯୩ରେ ଆକଳନ କରାଯାଇଥିବା ସଂଖ୍ୟାଠାରୁ ହସ୍ତୀସଂଖ୍ୟା ପ୍ରାୟ ୬.୭ ପ୍ରତିଶତ ବୃଦ୍ଧି ପାଇଛି। ସେତେବେଳେ ହସ୍ତୀସଂଖ୍ୟା ୨୫,୬୦୪ ଥିଲା। ଉଲ୍ଲେଖଯୋଗ୍ୟ ସଂଖ୍ୟକ ହସ୍ତୀ ବୃଦ୍ଧି ପାଇବା ସତ୍ତ୍ବେ ହସ୍ତୀ ସଂରକ୍ଷଣ ଅଞ୍ଚଳରେ ଗଚ୍ଛିତ ଥିବା ଅଙ୍ଗାରକ ପରିମାଣ ମାତ୍ର ୩୮ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ, ହସ୍ତୀଗଣନା ନିମ‌ନ୍ତେ ନୂତନ ପଦ୍ଧତି ‘ସିଙ୍କ୍ରୋନାଇଜ୍‌ଡ୍‌ ଅଲ୍‌-ଇଣ୍ଡିଆ ଏଲିଫ୍ୟାଣ୍ଟ୍‌ ଏଷ୍ଟିମେଟ୍‌’ ୨୦୨୧-୨୫ ଦର୍ଶାଏ ଯେ ହସ୍ତୀସଂଖ୍ୟା ହ୍ରାସ ପାଉଛି। ମାତ୍ର ସଂରକ୍ଷିତ ଅଞ୍ଚଳରେ ହସ୍ତୀସଂଖ୍ୟା ସ୍ଥିର ରହିଛି।
ସେ ଯାହାହେଉ, ହସ୍ତୀମାନେ ପ୍ରତ୍ୟକ୍ଷ ଭାବେ ଅଧିକ ଜୈବିକ ପଦାର୍ଥ ସୃଷ୍ଟି କରୁଛନ୍ତି ବୋଲି ଏଥିରୁ ଧରିନେବାକୁ ପଡ଼ିବ ନାହିଁ। ଏହା ମୁଖ୍ୟତଃ ବର୍ଦ୍ଧିତ ହସ୍ତୀ ସୁରକ୍ଷା ଏବଂ ପୂର୍ବରୁ ଗଚ୍ଛିତ ଥିବା ଅରଣ୍ୟାଞ୍ଚଳ ଅଙ୍ଗାରକ ଭଣ୍ଡାର ଅବକ୍ଷୟ ହ୍ରାସ ପାଉଥିବା କଥା ସୂଚାଉଛି। ସଂରକ୍ଷିତ ଅରଣ୍ୟାଞ୍ଚଳ ସମ୍ପ୍ରସାରଣ ବୃଦ୍ଧି ଯୋଗୁଁ ହିଁ ଅଙ୍ଗାରକ ଭଣ୍ଡାର ପ୍ରାୟ ୯୫% ପ୍ରତିଶତ ବୃଦ୍ଧି ପାଇଛି।

ହସ୍ତୀମାନଙ୍କୁ ସାଧାରଣତଃ ପରିସଂସ୍ଥାର ଇଞ୍ଜିନିୟର୍‌ ବୋଲି କୁହାଯାଏ। ପ୍ରାଣୀଜ ଜୈବିକ ପଦାର୍ଥ ପ୍ରତି ଅବଦାନ ସୀମିତ ହେଲେ ବି ପରିସଂସ୍ଥା କ୍ଷେତ୍ରରେ ସେମାନଙ୍କର ବିଶେଷ ତାତ୍ପର୍ଯ୍ୟ ରହିଛି। ଏହି ବିଶାଳ କିନ୍ତୁ ଅନୁଦ୍ଧତ ପ୍ରାଣୀମାନେ ବୀଜବିକ୍ଷେପ କରନ୍ତି, ଆପଣା ଗୋବର ଦ୍ବାରା ମୃତ୍ତିକା ସମୃଦ୍ଧ କରନ୍ତି ଏବଂ ବିବିଧ ପ୍ରକାର ବନସ୍ପତି ନିମନ୍ତେ ଅରଣ୍ୟରେ ଜାଗା ସୃଷ୍ଟି କରନ୍ତି। ତେଣୁ ସେମାନଙ୍କ ଯୋଗୁଁ ବନସ୍ତ ସମୃଦ୍ଧ ହୁଏ। ବନସ୍ତରେ ହସ୍ତୀ ବୁଲିବା ବେଳେ ସେମାନଙ୍କର ଭାରୀ ଖୋଜ ପଡ଼ି ସର୍ବଗ୍ରାସୀ ଉଦ୍ଭିଦଗୁଡ଼ିକ ନଷ୍ଟ ହୋଇଯାଆନ୍ତି। ଫଳରେ ବିଶାଳ ବୃକ୍ଷସମୂହ ବୃଦ୍ଧି ପାଇବାକୁ ଅନୁକୂଳ ପରିବେଶ ପାଆନ୍ତି ଓ ବାୟୁମଣ୍ଡଳରୁ ଅଧିକ ଅଙ୍ଗାରକ ବିଶୋଷଣ କରି ରଖନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button