ବିଶେଷ

Soybeans vs. eggs: ସୋୟାବିନ୍‌ ବନାମ ଅଣ୍ଡା

ସୋୟାବିନ୍‌ ହେଉଛି ଏକ ଉଚ୍ଚ ଗୁଣବତ୍ତା‌ସମ୍ପନ୍ନ ଉଦ୍ଭିଦଜ ପ୍ରୋଟିନ୍‌। ଏଥିରେ ସମସ୍ତ ୯ ପ୍ରକାର ଆମିନୋ ଏସିଡ୍‌ ଥାଏ। ପ୍ରାଣୀଜ ପ୍ରୋଟିନ୍‌ର ଏହି ଉତ୍କୃଷ୍ଟ ବିକଳ୍ପ ଶରୀର ପାଇଁ ଅନେକ ଦୃଷ୍ଟିରୁ....

ସୋୟାବିନ୍‌ ହେଉଛି ଏକ ଉଚ୍ଚ ଉଦ୍ଭିଦଜ ପ୍ରୋଟିନ୍‌। ଏଥିରେ ସମସ୍ତ ୯ ପ୍ରକାର ଆମିନୋ ଏସିଡ୍‌ ଥାଏ। ପ୍ରାଣୀଜ ପ୍ରୋଟିନ୍‌ର ଏହି ଉତ୍କୃଷ୍ଟ ବିକଳ୍ପ ଶରୀର ପାଇଁ ଅନେକ ଦୃଷ୍ଟିରୁ ଲାଭଦାୟକ। ଦୈନିକ ୨୫ ଗ୍ରାମ୍‌ ସୋୟା ପ୍ରୋଟିନ୍‌ ଖାଇଲେ ଖରାପ କୋଲେଷ୍ଟ୍ରଲ୍‌ କମିଥାଏ ଓ ହୃତ୍‌ପିଣ୍ଡ ସୁସ୍ଥ ରହେ। ସେହିପରି ଏଥିରେ ଥିବା ଆଇସୋଫ୍ଲାଭୋନ୍‌ସ ମହିଳାମାନଙ୍କର ହାଡ଼ କ୍ଷୟ ସମସ୍ୟା ଦୂର କରିବାରେ ସହାୟକ ହୁଏ। ଏହା ସହିତ ଏହା ପ୍ରୋଷ୍ଟେଟ୍‌ ଓ ସ୍ତନ କର୍କଟ ଆଶଙ୍କା ହ୍ରାସ କରିବା ସହ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେଣୁ ଟାଇପ୍‌-୨ ମଧୁମେହ ରୋଗୀଙ୍କ ପାଇଁ ଏହା ଉପାଦେୟ ଖାଦ୍ୟ। ଅଣ୍ଡାରେ ମଧ୍ୟ ସମସ୍ତ ଆମିନୋ ଏସିଡ୍ ଠିକ୍ ଅନୁପାତରେ ଥାଏ। ଏହା ଅତି ସହଜରେ ହଜମ ହୋଇଯାଏ, ଫଳରେ ମାଂସପେଶୀର ଗଠନ, ଓଜନ ନିୟନ୍ତ୍ରଣ ଓ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଏହା ଅନ୍ୟତମ ପ୍ରଭାବଶାଳୀ ଖାଦ୍ୟ ଉତ୍ସ ଭାବେ ଜଣାଶୁଣା।
ଅଣ୍ଡା ଓ ସୋୟାବିନ୍‌ ଉଭୟ ଉତ୍କୃଷ୍ଟ ପ୍ରୋଟିନ୍‌ର ଉତ୍ସ। ତେବେ କେଉଁଟି ଅଧିକ ଭଲ, ତାହା ମାଂସପେଶୀର ଗଠନ, ଓଜନ ହ୍ରାସ, କୋଲେଷ୍ଟ୍ରଲ୍‌ ନିୟନ୍ତ୍ରଣ ଓ ପୋଷକ ତତ୍ତ୍ବର ଆବଶ୍ୟକତା ଉପରେ ନିର୍ଭର କରେ।

ପ୍ରୋଟିନ୍‌ର ପରିମାଣ
ଅଣ୍ଡା ଏକ ଅତି ଉଚ୍ଚ ଜୈବିକ ଗୁଣଯୁକ୍ତ ଜରୁରି ଆମିନୋ ଏସିଡ୍‌ ଥିବା ପ୍ରୋଟିନ୍‌ ଜାତୀୟ ଖାଦ୍ୟ। ଏହା ମାଂସପେଶୀରେ ପ୍ରୋଟିନ୍‌ ସଂଶ୍ଳେଷଣ ପାଇଁ ଉତ୍କୃଷ୍ଟ। ଗୋଟିଏ ବଡ଼ ଅଣ୍ଡାରୁ ପ୍ରାୟ ୬ରୁ ୭ ଗ୍ରାମ୍‌ ପ୍ରୋଟିନ୍‌ ଓ  ୭୦-୮୦ କିଲୋ କ୍ୟାଲୋରି ମିଳିଥାଏ। ଏହା କୋଲିନ୍‌, ଭିଟାମିନ୍‌ ବି-୧୨, ଭିଟାମିନ୍‌-ଡି, ସେଲେନିୟମ୍‌ ଓ ଲୁଟିନ୍‌ର ଏକ ଉତ୍କୃଷ୍ଟ ଉତ୍ସ। ଅଣ୍ଡାର କେଶରରେ ଚର୍ବି ଓ ଖାଦ୍ୟପେୟଜନିତ କୋଲେଷ୍ଟ୍ରଲ୍‌ ରହିଥାଏ।
ସେହିପରି ସୋୟାବିନ୍‌ ଉଦ୍ଭିଦଭିତ୍ତିକ ଖାଦ୍ୟ ମଧ୍ୟରେ ଏକ ସମ୍ପୂର୍ଣ୍ଣ ପ୍ରୋଟିନ୍‌, ଯାହା ସମସ୍ତ ଜରୁରି ଆମିନୋ ଏସିଡ୍‌ରେ ଭରପୂର। ୧୦୦ ଗ୍ରାମ୍‌ ରନ୍ଧା ସୋୟାବିନ୍‌ରୁ ପ୍ରାୟ ୧୨ରୁ ୧୫ ଗ୍ରାମ୍‌ ପ୍ରୋଟିନ୍‌ ମିଳିଥାଏ। ଏହା ଆଇରନ୍‌, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ଭିଟାମିନ୍‌-କେ, ଫାଇବର୍‌ର ଏକ ଭଲ ଉତ୍ସ।

ସ୍ବାସ୍ଥ୍ୟଗତ ପ୍ରଭାବ
ଉଭୟ ଅଣ୍ଡା ଓ ସୋୟାବିନ୍‌ର ଭଲ ଓ ମନ୍ଦ ଗୁଣ ରହିଛି। ସୀମିତ ପରିମାଣର ଅଣ୍ଡା ସେବନ ଖାଦ୍ୟ ପ୍ରଣାଳୀର ଅନୁକୂଳ। ତେବେ ପୂର୍ବ କୋଲେଷ୍ଟ୍ରଲ୍ ସ୍ତର ଓ ଆନୁବଂଶିକ କାରଣ ହେତୁ ଏହାର ପ୍ରଭାବ ଭିନ୍ନ ହୋଇପାରେ। ‌ସୋୟା ପ୍ରୋଟିନ୍ ଖରାପ କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସାମାନ୍ୟ ସାହାଯ୍ୟ କରେ ଏବଂ ଏହାକୁ ଏକ ହୃତ୍‌ପିଣ୍ଡ-ଅନୁକୂଳ ଖାଦ୍ୟ ଭାବେ ପରିଗଣିତ କରାଯାଏ। ଅଣ୍ଡା ଶୀଘ୍ର ହଜମ ହେଉଥିବା ପ୍ରୋଟିନ୍ ପ୍ରଦାନ କରେ, ଯେଉଁଥିରେ ଶକ୍ତିଶାଳୀ ଆନାବୋଲିକ୍ ଗୁଣ ଥାଏ। ‌େସାୟାବିନରେ ଆଇସୋଫ୍ଲାଭୋନ୍‌ସ ଥାଏ, ଯାହା କିଛି ମହିଳାଙ୍କ କ୍ଷେତ୍ରରେ ମେନୋପଜ୍‌ ଲକ୍ଷଣ କମ୍ କରିବା ଓ ହାଡ଼ର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button