
ଜଳେଶ୍ୱର: ବଙ୍ଗୋପସାଗରରୁ ଆସିଲା ସବୁଠାରୁ ବଡ଼ ଦୁଃଖଦ ଖବର। ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିବା ମାଛଧରା ଟ୍ରଲର ‘FB ମା କାଳୀ’ର ସନ୍ଧାନ ମିଳିଛି ସତ, କିନ୍ତୁ ସାଥୀରେ ଆଣିଛି ମୃତ୍ୟୁର କରୁଣ ଚିତ୍କାର। ଟ୍ରଲର ଭିତରୁ ୯ ଜଣ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ, ଏବେ ବି ୬ ଜଣ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଅର୍ଥାତ୍ ସେମାନେ ନିଖୋଜ ଅଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଗତକାଲି ଅପରାହ୍ନରେ ଦକ୍ଷିଣ ୨୪ ପ୍ରଗନା ଜିଲ୍ଲାର ଗୋବର୍ଦ୍ଧନପୁର ଥାନା ପୋଲିସ, ବନ ବିଭାଗ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ମିଳିତ ଉଦ୍ୟମରେ ରକ୍ତାଚର ନିକଟରେ ବୁଡ଼ିଯାଇଥିବା ଏହି ଟ୍ରଲରକୁ ଚିହ୍ନଟ କରାଯାଇଥିଲା। ଏହାପରେ ଟ୍ରଲରକୁ ଟାଣି ଟାଣି ଗୋବର୍ଦ୍ଧନପୁରର ସୀତାରାମପୁର ଉପକୂଳକୁ ଅଣାଯାଇଥିଲା। ବିପଜ୍ଜନକ ସ୍ଥିତିରେ ମଧ୍ୟ ଉଦ୍ଧାରକାରୀ ଦଳ ରାତିସାରା ସମୁଦ୍ର ଗର୍ଭରେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ, ଯାହା ପରେ ୯ ଜଣ ମୃତକଙ୍କ ଶରୀରକୁ ବାହାର କରାଯାଇଥିଲା।
ସୂଚନା ଅନୁଯାୟୀ, ଚଳିତ ମାସ ୨ ତାରିଖରେ ପୂର୍ବ ମେଦିନୀପୁରର ଶଙ୍କରପୁର ବେଳାଭୂମିରୁ ମୋଟ ୧୫ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ‘FB ମା କାଳୀ’ ଟ୍ରଲରଟି ନେଳି ସମୁଦ୍ରକୁ ଯାତ୍ରା କରିଥିଲା। ପରିବାର ଲୋକେ ଆଶା ରଖିଥିଲେ ହସଖୁସିରେ ମାଛ ଧରି ସେମାନେ ଫେରିବେ। କିନ୍ତୁ ପ୍ରକୃତିର କୋପ ଏବଂ ସମୁଦ୍ରର ଅଶାନ୍ତ ରୂପ ଆଗରେ ସେମାନଙ୍କ ଜୀବନ ହାରିଗଲା। ଖରାପ ପାଗ ଯୋଗୁଁ ଟ୍ରଲରଟି ସମୁଦ୍ର ମଝିରେ ଓଲଟି ପଡ଼ିଥିଲା।
ହସ୍ପିଟାଲ ପଠାଗଲା ମୃତଦେହ: ଉଦ୍ଧାର ହୋଇଥିବା ସମସ୍ତ ୯ ଜଣ ମତ୍ସ୍ୟଜୀବୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାକଦ୍ୱୀପ ସବଡିଭିଜନ ହସ୍ପିଟାଲକୁ ପଠାଇ ଦିଆଯାଇଛି। ପରିବାର ଲୋକଙ୍କ କାନ୍ଦବୋବାଳିରେ ହସ୍ପିଟାଲ ପରିସର ଫାଟି ପଡୁଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଟ୍ରଲରରେ ଥିବା ବାକି ୬ ଜଣ ମତ୍ସ୍ୟଜୀବୀ ଏବେ କେଉଁ ସ୍ଥିତିରେ ଅଛନ୍ତି? ସେମାନେ ସମୁଦ୍ର ସ୍ରୋତରେ ଭାସିଯାଇଛନ୍ତି ନା କେଉଁଠି ଅଟକିଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭାରତୀୟ ତଟରକ୍ଷୀ ବାହିନୀ ଏବଂ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଜୀବନ୍ତ ଉଦ୍ଧାର କରିବା ପାଇଁ ସମୁଦ୍ରରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି। ଅଲୌକିକ କିଛି ଘଟିବ ଏବଂ ସେମାନେ ସୁରକ୍ଷିତ ଫେରିବେ ବୋଲି ଆଶା ରଖିଛନ୍ତି ସେମାନଙ୍କ ପରିବାର।
ସୌଜନ୍ୟ Prameya News7




