ଜାତୀୟ

କତାରର ପୂର୍ବତନ ଅମୀର ଶେଖ୍ ହମଦଙ୍କ ପରଲୋକ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲା ଭାରତ

କତାର ପୂର୍ବତନ ଅମୀର ଶେଖ୍ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଗଭୀର ଶୋଷ ପ୍ରକାଶ କରିଛି ଭାରତ। ବିୟୋଗରେ ଭାରତ ସରକାର ସୋମବାର (୧୩ ଜୁଲାଇ ୨୦୨୬) ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

ନୂଆଦିଲ୍ଲୀ: କତାର ପୂର୍ବତନ ଅମୀର ଶେଖ୍ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଗଭୀର ଶୋଷ ପ୍ରକାଶ କରିଛି ଭାରତ। ବିୟୋଗରେ ଭାରତ ସରକାର ସୋମବାର (୧୩ ଜୁଲାଇ ୨୦୨୬) ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। କତାରକୁ ଏକ ବିଶ୍ୱସ୍ତରୀୟ ଅର୍ଥନୈତିକ ଏବଂ କୂଟନୈତିକ ମହାଶକ୍ତିରେ ପରିଣତ କରିବାରେ ଶେଖ ହମଦ ବିନ ଖଲିଫାଙ୍କ ବଡ଼ ଯୋଗଦାନ ରହିଛି। ତାଙ୍କୁ ଆଧୁନିକ କତାରର ବିନ୍ଧାଣୀ ବୋଲି କୁହାଯାଏ।

ତାଙ୍କ ବିୟୋଗରେ ରାଷ୍ଟ୍ରୀୟ ଶୋଖ ଘୋଷଣା କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିବୃତ୍ତି ଜାରି କରିଛି। ସେଖ ଅହମଦଙ୍କ ସମ୍ମାନାର୍ଥେ ଜୁଲାଇ ୧୩ ତାରିଖରେ ସମଗ୍ର ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ଏବଂ ସମସ୍ତ ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ସ୍ଥଗିତ ରଖାଯିବ। ସୂଚନାଯୋଗ୍ୟ, ରବିବାର ଦିନ ୭୪ ବର୍ଷ ବୟସରେ ଶେଖ୍ ହମଦଙ୍କର ଦେହାନ୍ତ ହୋଇଛି। କତାର ସରକାର ତାଙ୍କ ମୃତ୍ୟୁ ଖବର ସ୍ପଷ୍ଟ କରିଥିଲେ ସୁଦ୍ଧା ଏହାର କାରଣ ସ୍ପଷ୍ଟ କରିନାହାନ୍ତି। ଭାରତ ସରକାରଙ୍କ ପକ୍ଷରୁ ଶୋକ ବ୍ୟକ୍ତ କରିବା ପାଇଁ ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କତାର ଗସ୍ତ କରିପାରନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।

ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଲେ ଶ୍ରଦ୍ଧାଞ୍ଜଳି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଖ୍ ହମଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଏକ୍ସରେ ଶୋକବାର୍ତ୍ତା ପୋଷ୍ଟ କରିଛନ୍ତି। ଶେଖ ହମଦଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ବୋଲି କହିବା ସହିତ କତାରକୁ ବିଶ୍ୱର ଅନ୍ୟତମ ସମୃଦ୍ଧ ଦେଶ ଭାବେ ଗଢ଼ିତୋଳିବା ଓ ଭାରତ ସହ ସୁସମ୍ପର୍କ ସ୍ଥାପନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କହିଛନ୍ତି।

ସୋସିଆଲ ମିଡିଆ ‘X’ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “କତାରର ପୂର୍ବତନ ଅମୀର ତଥା ‘ଫାଦର୍ ଅମୀର’ ଶେଖ୍ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ। ସେ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ, ଯିଏ କତାରକୁ ବିକାଶ ଓ ସମୃଦ୍ଧିର ଶୀର୍ଷକୁ ନେଇଥିଲେ। ଜଣେ ପ୍ରକୃତ ବନ୍ଧୁ ଭାବେ ମୁଁ ତାଙ୍କୁ ମନେ ପକାଉଛି। ଫେବୃଆରୀ ୨୦୨୪ରେ ମୋର କତାର ଗସ୍ତ ସମୟରେ ତାଙ୍କ ସହ ସାକ୍ଷାତ କରିବାର ସୌଭାଗ୍ୟ ମିଳିଥିଲା।” ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କତାରର ବର୍ତ୍ତମାନର ଅମୀର ଶେଖ୍ ତମିମ ବିନ୍ ହମଦ ଅଲ୍ ଥାନି ଓ ଶାହୀ ପରିବାର ଏବଂ କତାରବାସୀଙ୍କୁ ସମବେଦନା ଜଣାଇଛନ୍ତି।

କତାରର ରୂପରେଖ ବଦଳାଇଥିଲେ ଶେଖ୍ ହମଦ

ଶେଖ୍ ହମଦ ୧୯୯୫ ମସିହାରେ କ୍ଷମତା ଗ୍ରହଣ କରିବା ପରେ ପ୍ରାୟ ୧୮ ବର୍ଷ ଧରି କତାର ଶାସନ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ କତାରର ଇତିହାସରେ ସବୁଠାରୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସେ ଦେଶର ବିଶାଳ ଏଲଏନ୍ଜି ଶିଳ୍ପର ବିକାଶ ପାଇଁ ପ୍ରଚୁର ପୁଞ୍ଜିନିବେଶ କରିଥିଲେ। ଫଳରେ ଏହି ଛୋଟ ଗଲ୍ଫ ଦେଶଟି ବିଶ୍ୱର ଅଗ୍ରଣୀ ଏଲ୍.ଏନ୍.ଜି ରପ୍ତାନିକାରୀ ରାଷ୍ଟ୍ର ହୋଇପାରିଥିଲା। ଦେଶର ଏହି ଶକ୍ତି ବିପ୍ଳବ କତାରକୁ ପ୍ରଚୁର ଆର୍ଥିକ ସମୃଦ୍ଧି ଆଣିଦେବା ସହ ବିଶ୍ୱ ଅର୍ଥନୀତିରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା। ବୃହତ ଭିତ୍ତିଭୂମି ପ୍ରକଳ୍ପ ଏବଂ ଆଧୁନିକୀକରଣ ମାଧ୍ୟମରେ ସେ ଦୋହାର ହୁଲିଆକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ।

ପରବର୍ତ୍ତୀ ସମୟରେ, ୨୦୧୩ ମସିହାରେ, ଶେଖ୍ ହମଦ ସ୍ଵେଚ୍ଛାକୃତ ଭାବେ ପଦତ୍ୟାଗ କରି ନିଜ ପୁତ୍ର ଶେଖ୍ ତମିମ ବିନ୍ ହମଦ ଅଲ୍ ଥାନିଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ। ନୂଆ ଚିନ୍ତାଧାରା ସହ ଦେଶକୁ ଆଗକୁ ନେବା ପାଇଁ ଯୁବ ପିଢ଼ିଙ୍କ ହାତରେ ନେତୃତ୍ୱ ରହିବା ଉଚିତ ବୋଲି ସେ ସେତେବେଳେ କହିଥିଲେ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button