Pahuda Niti : ଗୁଣ୍ଡିଚାଘରେ ଦିନଟିଏ ବି ନିଦ୍ରା ଯାଇନାହାନ୍ତି ମହାପ୍ରଭୁ, ୧୨ ଦିନ ହେଲା ହୋଇନି ପହୁଡ଼ ନୀତି

ପୁରୀ, ୨୩/୦୭ : ଆଡ଼ପ ମଣ୍ଡପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ ପାଇଁ ଟିକେଟ୍ ବିକ୍ରିରୁ ମଧ୍ୟ ବେଶ୍ ରୋଜଗାର ହୋଇଛି । ହେଲେ ଜନ୍ମବେଦିରେ ଦାରୁବ୍ରହ୍ମ ଅନିଦ୍ରା । ମହାପ୍ରଭୁଙ୍କ ପହୁଡ଼ ସମ୍ଭବ ହେଉ ନାହିଁ । ଏହାକୁ ନେଇ ସେବାୟତ ମହଲରେ ବଡ଼ ଚର୍ଚ୍ଚା । ଅନେକ ନିଷ୍ଠାପର ସେବକ ଏନେଇ ଚିନ୍ତା ବ୍ୟକ୍ତ କରୁଛନ୍ତି । ଆଉ ଦିନକ ପରେ ଠାକୁରେ ନବ ଦିନ ଯାତ୍ରା ସାରି ବାହୁଡ଼ିବେ । ହେଲେ ଗୁଣ୍ଡିଚାଘରେ ଦିନଟିଏ ମଧ୍ୟ ନିଦ୍ରା ଯାଇନାହାନ୍ତି ମହାପ୍ରଭୁ । ୯ ତାରିଖ ନୀତିରେ ଶେଷ ଥର ପାଇଁ ପହୁଡ଼ ହୋଇଥିଲା । ଏବେ ୧୨ ଦିନ ହେଲା ଠାକୁରଙ୍କ ପହୁଡ଼ ନୀତି ସମ୍ଭବ ହୋଇ ନାହିଁ ।
‘ଯଥା ଦେହେ ତଥା ଦେବେ’ ହେଉଛି ମହାପ୍ରଭୁଙ୍କ ଅନନ୍ୟ ନୀତି । ଲଗାତର ୧୨ ଦିନ ପହୁଡ଼ ନହେବା ନୀତି ଅଣଦେଖା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ପ୍ରଶାସନ ଦର୍ଶନକୁ ଧ୍ୟାନ ଦେଇ ନୀତିକୁ ଛାଡ଼ିଥିବା ଅଭିଯୋଗ ହେଉଛି । ଯଦି ରାତି ତମାମ୍ ଦର୍ଶନାର୍ଥୀ ଠାକୁରଙ୍କୁ ଦେଖିଲେ ସକାଳକୁ ଭିଡ଼ ସମ୍ଭାଳ ପଡ଼ିଯିବ । ସେହିଭଳି ନୀତି ପରିଚାଳନାରେ ମଧ୍ୟ ଜାଣିଣୁଣି ଶିଥିଳତା ଅଣାଯାଉଥିବା କୁହାଯାଉଛି । ଧାର୍ଯ୍ୟ ସମୟରେ ଠାକୁରଙ୍କ ନୀତି ସମ୍ଭବ ହେଲେ ପହୁଡ଼ ସମ୍ଭବ ହେବା ସହ ଉପଯୁକ୍ତ ସମୟରେ ଦର୍ଶନ ମଧ୍ୟ ହୋଇପାରନ୍ତା । ଏବେ କିନ୍ତୁ ପହୁଡ଼ ନହୋଇ ରାତି ତମାମ୍ ଦର୍ଶନ ଚାଲୁଛି । ଅତ୍ୟଧିକ ଭିଡ଼କୁ ନଜର କରି ନୀତି ସହ ବୁଝାମଣା କରିଦିଆଯାଉଛି । ମହାପ୍ରଭୁ ଶୋଇ ନପାରିବାରେ ଅନେକ ସେବାୟତ କ୍ଷୋଭ ପ୍ରକାଶ କରୁଛନ୍ତି । ଶୀଘ୍ର ନୀତି ହେଲେ ଭକ୍ତ ଦର୍ଶନ କରିବା ସହ ପ୍ରଭୁ କିଛି ସମୟ ନିଦ୍ରା ଯାଇପାରନ୍ତେ । ଆଗଭଳି ଗୋପାଳବଲ୍ଲଭ ଓ ସକାଳ ଧୂପ ସକାଳ ୯ଟା ମଧ୍ୟରେ ସରିଲେ ଭକ୍ତଙ୍କ ଚାପ ମଧ୍ୟ କମନ୍ତା । ହେଲେ ଠିକ୍ ଭିଡ଼ ବଢ଼ିଲା ବେଳକୁ ନୀତି ପାଇଁ ଦର୍ଶନ ମନା ହେବାରେ ଅପେକ୍ଷାରତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ି ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ୁଛି ।
ଏପଟେ ଦର୍ଶନକୁ ଧ୍ୟାନ ଦେଉଦେଉ ଠାକୁରଙ୍କ ନୀତି ଅଧାରେ ଅଟକିଯାଉଛି । ଦୈନନ୍ଦିନ ନୀତି ଗଡ଼େଇ ଚାଲିବାରେ ପହୁଡ଼ ସମ୍ଭବ ହୋଇପାରୁ ନଥିବାରୁ କ୍ଷୋଭ ପ୍ରକାଶ ପାଉଛି । ଭକ୍ତଙ୍କ ସଂଖ୍ୟା ବଢ଼ିଗଲେ ଠାକୁରଙ୍କୁ ଅନିଦ୍ରା ରଖାଯିବାକୁ ସେବାୟତମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଭକ୍ତମାନେ ମଧ୍ୟ ନିଜ ଆନନ୍ଦ ପାଇଁ ଠାକୁରଙ୍କୁ ଯନ୍ତ୍ରଣା ଦେବାକୁ ଚାହିଁବେନି। ଏଣୁ ପରିଚାଳନାକାରୀ ସଭିଙ୍କ ଭିତରେ ସମନ୍ୱୟ ଆଣି ଠାକୁରଙ୍କ ନୀତିକୁ ଶୃଙ୍ଖଳିତ କରିବାରେ ତତ୍ପରତା ଦେଖାଇବାକୁ ମତ ପ୍ରକାଶ ପାଉଛି ।
ସୌଜନ୍ୟ ପ୍ରମେୟ



