Rainfall disaster: ଉତ୍ତର ଓଡ଼ିଶାରେ ବର୍ଷା ବିପର୍ଯ୍ୟୟ: ସବୁ ନଦୀରେ ବନ୍ୟା ଆଶଙ୍କା, ସ୍କୁଲ ଛୁଟି ଅବଧି ବଢ଼ିଲା
ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଉତ୍ତର ଓଡ଼ିଶାର ତିନି ଜିଲ୍ଲା ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକ ପାଇଁ ବିପଦ ଆଣିଛି। ପ୍ରାୟ ସବୁ ଛୋଟବଡ଼ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ଶହଶହ ଏକର ଜମି ଜଳମଗ୍ନ ହୋଇଛି।

ବାଲେଶ୍ବର/ଭଦ୍ରକ/ବାରିପଦା: ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଉତ୍ତର ଓଡ଼ିଶାର ତିନି ଜିଲ୍ଲା ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକ ପାଇଁ ବିପଦ ଆଣିଛି। ପ୍ରାୟ ସବୁ ଛୋଟବଡ଼ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ଶହଶହ ଏକର ଜମି ଜଳମଗ୍ନ ହୋଇଛି। ବାଲେଶ୍ବର ଜିଲ୍ଲାରେ ଆଜି ସକାଳ ୮ଟା ସୁଦ୍ଧା ହାରାହାରି ୧୪୪.୨୫ ମିମି ବର୍ଷା ହୋଇଛି। ଜିଲ୍ଲାରେ ଗତ ୨୪ ଘଣ୍ଟାରେ ନୀଳଗିରି ବ୍ଲକ୍ରେ ସର୍ବାଧିକ ୨୩୯ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି; ରେମୁଣା ବ୍ଲକ୍ରେ ୨୨୨ ମିମି, ସଦରବ୍ଲକ୍ରେ ୨୦୪ ମିମି, ବସ୍ତାରେ ୧୫୪ ମିମି, ଭୋଗରାଇରେ ୧୨୯ ମିମି, ଜଳେଶ୍ବରରେ ୧୬୨ ମିମି ବର୍ଷା ରେକର୍ଡ ହୋଇଛି। ଚଳିତ ମାସରେ ଗୋଟିଏ ଦିନରେ ଏହା ସର୍ବାଧିକ ବର୍ଷା। ବନ୍ୟା, ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୮ ଓ ୨୯ ଦୁଇଦିନ ଧରି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ବର୍ଷା ନିମନ୍ତେ ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଜିଲ୍ଲାର ସୋର, ବସ୍ତା, ରେମୁଣା, ନୀଳଗିରି ଆଦି ବ୍ଲକ୍ରେ ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି। ବାହାନଗା ବ୍ଲକ୍ର ୨୪ଟି ପଞ୍ଚାୟତର ପ୍ରାୟ ସବୁ ଗାଁରେ କୃତ୍ରିମବନ୍ୟା ସୃଷ୍ଟି ହୋଇଛି। କଲ୍ୟାଣୀ, ନୂଆପୁର, ଖରାସାହାପୁର, ବରିପଦା, ଆରୁହାବାଡ଼, ବାହାନଗା, ଦାଣ୍ଡହରିପୁର, କୋଚିଆକୋଇଲି, ସାଉଡ଼ ଆଦି ପଞ୍ଚାୟତର କିଛିଘରେ ପାଣି ପଶିବା ସହ କିଛିସ୍ଥାନରେ ରାସ୍ତାଘାଟ ବୁଡ଼ିଯାଇଛି।
ବାଲେଶ୍ବରରେ ୧୪୪.୨୫ ମିମି, ଭଦ୍ରକରେ ୧୦୪.୬୩ ମିମି, ମୟୂରଭଞ୍ଜରେ ୨୧୨ ମିମି ଢାଳିଲା
ସବୁ ନଦୀରେ ବନ୍ୟା ଆଶଙ୍କା, ସ୍କୁଲ ଛୁଟି ଅବଧି ବଢ଼ିଲା
ଲଗାଣବର୍ଷା ଯୋଗୁ ଭଦ୍ରକ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ବିଭିନ୍ନ ନଦୀର ଜଳପତ୍ତନ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୧୦୪.୬୩ ମିମି ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାରେ ସର୍ବାଧିକ ବର୍ଷା ଧାମନଗର ବ୍ଲକ୍ରେ ୧୫୫ ମିମି ରେକର୍ଡ ହୋଇଥିବାବେଳେ ଭଦ୍ରକରେ ୧୪୮ ମିମି, ତିହିଡ଼ିରେ ୧୧୩ ମିମି, ଭଣ୍ଡାରିପୋଖରୀରେ ୧୦୮ ମିମି, ବନ୍ତରେ ୧୦୫ ମିମି, ଚାନ୍ଦବାଲିରେ ୬୨.୪ ମିମି ଓ ବାସୁଦେବପୁରରେ ୪୧ ମିମି ବର୍ଷା ରେକର୍ଡ କରାଯାଇଛି। ଗତ ଦୁଇଦିନ ଧରି ଜିଲ୍ଲାରେ ବର୍ଷା ବିତ୍ପାତ ଲାଗି ରହିଥିବା ବେଳେ ଜିଲ୍ଲାରେ ସବୁ ନଦୀନାଳ ଓ ଚାଷଜମି ଜଳମଗ୍ନ ହୋଇଯାଇଛି। ପ୍ରବଳବର୍ଷା ଯୋଗୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି। ନିମ୍ନାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଭାବେ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ସମସ୍ତ ବିଭାଗକୁ ସମ୍ଭାବ୍ୟ ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଡ. ଦିଲ୍ଲୀପ ରାଉତରାୟ ନିର୍ଦେଶ ଦେଇଛନ୍ତି। ବର୍ଷା ଓ ବନ୍ୟାରେ ଜିଲ୍ଲାର ୭ଟି ବ୍ଲକ୍ର ୪୫ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି। ହଜାରହଜାର ହେକ୍ଟର ଚାଷଜମି ବୁଡ଼ିରହିଛି।
ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପଜନିତ ବର୍ଷା ଗତକାଲିଠାରୁ ଲାଗିରହିଛି। ୨୪ ଘଣ୍ଟାରେ ଜିଲ୍ଲାରେ ମୋଟ ୪୦୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବର୍ଷାର ପରିମାଣ ହାରାହାରି ୨୧୨ ମିମି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଲଗାଣବର୍ଷା ଯୋଗୁଁ ଜିଲ୍ଲା ଦେଇ ପ୍ରଭାହିତ ନଦୀଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶିମିଳିପାଳ ଉପରମୁଣ୍ଡରେ ହାରାହାରି ୧୮୦ ମିମିରୁ ଅଧିକ ବର୍ଷାହୋଇଛି। ଜିଲ୍ଲରେ ଗତ ୨୪ ଘଣ୍ଟା ମଧ୍ୟରେ ବେତନଟୀ ବ୍ଲକ୍ରେ ସର୍ବାଧିକ ୨୦୨ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ବଡ଼ସାହି ବ୍ଲକ୍ରେ ୧୮୬ ମିମି, ଖୁଣ୍ଟାରେ ୧୮୧ ମିମି, ଠାକୁରମୁଣ୍ଡାରେ ୧୮୫ ମିମି, ଉଦଳାରେ ୧୫୪. ୩ ମିମି ଓ ଗୋପବନ୍ଧୁନଗର ବ୍ଲକ୍ରେ ୧୫୮ ମିମି ବର୍ଷା ହୋଇଥିବା ରୋକର୍ଡ ହୋଇଛି। ଜିଲ୍ଲାର ବେତନଟୀ ବ୍ଲକ୍ରେ ସର୍ବାଧିକ ବର୍ଷା ହୋଇଥିବାବେଳେ କିଛିଘରେ ପାଣି ପଶିଛି। ଜିଲ୍ଲାପାଳ ହେମକାନ୍ତ ସୟ ଓ ଅନ୍ୟ ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ଗସ୍ତକରି ଅନୁଧ୍ୟାନ କରୁଛନ୍ତି। ବର୍ଷା ଯୋଗୁଁ ଗତକାଲି ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ଆଜି ବି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା। ବନ୍ୟା ଆଶଙ୍କା ଥିବାରୁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି। କେହି ସଦର ମହକୁମା ଛାଡ଼ି ନ ଯିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




