Prime Minister: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ: ପାକିସ୍ତାନ ସହ ଜଡ଼ିତ ୪୦୦ରୁ ଅଧିକ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଚିହ୍ନଟ
ରାଜଧାନୀ ଦିଲ୍ଲୀ ଏବଂ ଅନ୍ୟାନ୍ୟ ସ୍ଥାନରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସୁରକ୍ଷା ବାହିନୀ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରାଯିବା ଘଟଣାରେ ଦିଲ୍ଲୀ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବଂ ଅନ୍ୟାନ୍ୟ ସ୍ଥାନରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସୁରକ୍ଷା ବାହିନୀ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରାଯିବା ଘଟଣାରେ ଦିଲ୍ଲୀ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏ ସମ୍ପର୍କରେ କେତେକ ନ୍ୟୁଜ୍ ପୋର୍ଟାଲ ସମେତ ଏକାଧିକ ସୋସିଆଲ ମିଡିଆ ଆକାଉଣ୍ଟକୁ ପୁଲିସ ନୋଟିସ ଜାରି କରିଛି। ବିଶେଷ କରି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ‘ଏକ୍ସ’ ଆକାଉଣ୍ଟଗୁଡ଼ିକୁ ନୋଟିସ ପଠାଯାଇ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ସୂଚନା ମଗାଯାଇଛି।
ସାମାଜିକ ଶୃଙ୍ଖଳା ରକ୍ଷା କରିବା ଏବଂ ଆଇନ ଉଲ୍ଲଂଘନ ରୋକିବା ପାଇଁ ପୁଲିସ ବିଭିନ୍ନ ପ୍ଲାଟଫର୍ମରେ ଅପଲୋଡ୍ ହୋଇଥିବା ପୋଷ୍ଟ, ଭିଡିଓ ଏବଂ ମନ୍ତବ୍ୟଗୁଡ଼ିକୁ ସୂକ୍ଷ୍ମ ଭାବେ ଯାଞ୍ଚ କରୁଛି। ସେହିପରି ଚାଲିଥିବା ପ୍ରଦର୍ଶନ ସମୟରେ ମିଥ୍ୟା ଗୁଜବ ଏବଂ ‘ଡିପ୍ଫେକ’ ଭିଡିଓ ପ୍ରସାର କରୁଥିବା ପାକିସ୍ତାନ ସହ ଜଡ଼ିତ ୪୦୦ରୁ ଅଧିକ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ମଧ୍ୟ ପୁଲିସ ପୂର୍ବରୁ ଚିହ୍ନଟ କରିଛି।
ଜନ୍ତର ମନ୍ତରଠାରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ୨୦ ଜୁଲାଇର ‘ସଂସଦ ଚଲୋ’ ଅଭିଯାନ ସମୟରେ ଘଟିଥିବା ହିଂସାକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଥିବା ପୋଷ୍ଟଗୁଡ଼ିକୁ ହଟାଇବା ପାଇଁ ଦିଲ୍ଲୀ ପୁଲିସ ସୋସିଆଲ ମିଡିଆ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା। ଦିଲ୍ଲୀ ପୁଲିସର ସୋସିଆଲ ମିଡିଆ ମନିଟରିଂ ଟିମ୍ କ୍ରମାଗତ ଭାବେ ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକ ଉପରେ ନଜର ରଖିଛି। ଏହି ପ୍ରକ୍ରିୟାରେ ସାଇବର ଏବଂ ସୋସିଆଲ ମିଡିଆ ଦଳ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି କରାଯାଇଥିବା ଅନେକ ଅଶାଳୀନ ମନ୍ତବ୍ୟ ଏବଂ ଭିଡିଓକୁ ସୋସିଆଲ ମିଡିଆରୁ ହଟାଇ ଦିଆଯାଇଛି।
ସୌଜନ୍ୟ ସମ୍ବାଦ




