ରାଜ୍ୟ

Flood Crisis : ରାଜ୍ୟରେ ବନ୍ୟା ବିତ୍ପାତ, ଜୀବନକୁ ବାଜି ଲଗାଇ ଚାଲିଛି ଉଦ୍ଧାର ଅଭିଯାନ, ୬୦ ଅଗ୍ନିଶମ ଟିମ୍‌ ଓ ୧୭ ଓଡ୍ରାଫ୍‌ ଟିମ୍‌ ନିୟୋଜିତ

ଭୁବନେଶ୍ୱର ୩୦/୦୭: ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଅଭିଯାନରେ ଜୀବନକୁ ବାଜି ଲଗାଇଛନ୍ତି ପୁଲିସ, ଅଗ୍ନିଯୋଦ୍ଧା ଓ ସ୍ୱେଚ୍ଛାସେବୀ ।  ବନ୍ୟାପ୍ଲାବିତ ଅଞ୍ଚଳରୁ ଲୋକ, ରୋଗୀ ଏବଂ ପଶୁଙ୍କୁ  ଉଦ୍ଧାର କରୁଛନ୍ତି । ଯାଜପୁର, ଜଗତସିଂହପୁର,  ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ  ସମ୍ବଲପୁର ଜିଲ୍ଲାରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଛି ।

ଅଗ୍ନିଶମ ବାହିନୀ ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ  କହିବା ମୁତାବକ, ୬୦ଟି ଅଗ୍ନିଶମ ଟିମ୍‌ ଉଦ୍ଧାର  କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏଯାବତ୍‌  ୨୧୨ଜଣଙ୍କୁ ଉଦ୍ଧାର କରାଯାଇଛି । ମେଡିକାଲ, ବ୍ଲକ୍‌  ଭଳି ୪୫ଟି ସ୍ଥାନରୁ ପାଣି ନିଷ୍କାସନ କରାଯାଉଛି ।  ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଓଡ଼ିଶା  ଡିଜାଷ୍ଟର ରାପିଡ୍‌ ଆକ୍ସନ୍‌ ଫୋର୍ସ (ଓଡ୍ରାଫ),  ଓଡ଼ିଶା ସ୍ପେଶାଲ୍‌ ଆର୍ମଡ୍‌ ପୁଲିସ୍‌ (ଓଏସ୍‌ଏପି)  ଏବଂ ଇଣ୍ଡିଆ ରିଜର୍ଭ ବାଟାଲିୟନ୍‌ (ଆଇଆରବି) ର ଯବାନମାନେ ଉଦ୍ଧାର ଚଳାଇଛନ୍ତି । ଓଡ୍ରାଫ୍‌  ଉଦ୍ଧାରକାରୀ ଦଳ ଏକ ଗ୍ରାମରେ ଅଣ୍ଟାଏ ପାଣିରେ  ପଶି ଜଣେ ଶଯ୍ୟାଶାୟୀ ମହିଳାଙ୍କୁ ଷ୍ଟ୍ରେଚରରେ  ବୋହି ସୁରକ୍ଷିତ ସ୍ଥାନକୁ ନେଇଛନ୍ତି । ରବର  ବୋଟ୍‌ ଯୋଗେ ବନ୍ୟା ପାଣି ଘେରରୁ ମହିଳା,  ଶିଶୁଙ୍କୁ ଆବଶ୍ୟକ ସାମଗ୍ରୀ ସହ ସୁରକ୍ଷିତ  ସ୍ଥାନକୁ ନିଆଯାଉଛି । ଗାଈ, ବାଛୁରୀ ଓ କୁକୁର  ଭଳି ପଶୁମାନଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି । ଡଙ୍ଗା  ସାହାଯ୍ୟରେ ଔଷଧ, ରନ୍ଧା ଖାଦ୍ୟ ଏବଂ ଶୁଖିଲା  ଖାଦ୍ୟ ପହଞ୍ଚାଯାଉଛି ।

ସୂଚନା ଅନୁଯାୟୀ ଜୁଲାଇ  ୨୯ ସୁଦ୍ଧା ମୋଟ ୧୭ଟି ଓଡ୍ରାଫ୍‌ ଟିମ୍‌ର ୫୩୪ ଜଣ  କର୍ମଚାରୀ ୬ଟି ଜିଲ୍ଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ  ନିୟୋଜିତ ଅଛନ୍ତି । ଭଦ୍ରକ ଜିଲ୍ଲାରେ ୭ଟି, ଯାଜପୁର  ଜିଲ୍ଲାରେ ୩ଟି, ମୟୂରଭଞ୍ଜ ଓ ସମ୍ବଲପୁରରେ  ୨ଟି ଲେଖାଏଁ ଦଳ, ବାଲେଶ୍ୱରରେ ଗୋଟିଏ ଦଳ  ମୁତୟନ ଅଛି । ଓଏସ୍‌ଏପି ଷଷ୍ଠ ବାଟାଲିୟନର  ୨ଟି ଦଳ ଦେବଗଡ଼ ଓ ସମ୍ବଲପୁରରେ ସଜାଗ  ଅଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ୪ ହଜାର  ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇ  ୫୮ଟି ବନ୍ୟା ଆଶ୍ରୟ ସ୍ଥଳରେ ଛଡ଼ାଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button