ରାଜ୍ୟ

Flood Crisis : ବନ୍ୟା ନେଲାଣି ୭ ଜୀବନ, କେନ୍ଦୁଝରରେ ୫, ଭଦ୍ରକ ଓ ସମ୍ବଲପୁରରେ ୨ ମୃତ

ଭୁବନେଶ୍ୱର, ୩୦/୦୭ : ରାଜ୍ୟରେ ବନ୍ୟା ବିତ୍ପାତରେ ୭ଜଣଙ୍କ ମୃତ୍ୟୁ ହୋଇଛି । ୫ ଜଣ ନିଖୋଜ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୫ ଜଣ ମୃତ ଓ ୨ଜଣ ନିଖୋଜ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ହରିଚନ୍ଦନପୁର ବ୍ଲକ ସିଂହିବିଲ୍ଲା ଗ୍ରାମର ଉର୍ମିଳା ବିଶ୍ୱାଳ ଶୋଇଥିବା ବେଳେ କାନ୍ଥପଡି ପ୍ରାଣ ହରାଇଛନ୍ତି । ଜଳବନ୍ଦୀ ଅଞ୍ଚଳରେ ପାଣି ନିଷ୍କାସନ ପାଇଁ ଯାଇଥିବା ୨୬ ବର୍ଷୀୟ ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଛନ୍ତି । ତେଲକୋଇ ବ୍ଲକ୍‌ର ଜଣେ ମହିଳା ଓ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ବାଂଶପାଳ ବ୍ଲକ୍‌ରେ ମଙ୍ଗଳବାର ଭାସି ଯାଇ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି ।  ଘସିପୁରା ବ୍ଲକ୍‌ କେଶଦୁରାପାଳ ଗାଁର ଉର୍ମିଳା ପାତ୍ର (୨୩) ରେମାଳ ନଦୀରେ ବୁଡ଼ି ନିଖୋଜ ହୋଇଛନ୍ତି । ଆନନ୍ଦପୁର ରିଂରୋଡ୍‌ ଘାଇରେ ପଡ଼ି ଫକୀରପୁରର ସଦାଶିବ ମହାନ୍ତି ନିଖୋଜ ହୋଛନ୍ତି । ଆନନ୍ଦପୁର ରିଂ ରୋଡ୍‌ରେ ୭୦ ଫୁଟ୍‌ ଘାଇ ସୃଷ୍ଟି ହୋଇଛି । କେନ୍ଦୁଝର ଜିଲ୍ଲା ୧୩ଟି ବ୍ଲକ୍‌ର ୭୩ଟି ଗାଁ ଓ ୫ ସହରର ୧୧ଟି ୱାର୍ଡ ଜଳମଗ୍ନ ହୋଇ ବ୍ୟାପକ କ୍ଷତି ଘଟିଛି ।

ବୈତରଣୀରେ ପ୍ରବଳ ବନ୍ୟାଜଳ ଆସିବାରୁ ଚମ୍ପୁଆ ଓ ଆନନ୍ଦପୁରରେ ବନ୍ୟାପାଣି ବିପଦ ସଙ୍କେତ ଉପରେ ଚାଲିଥିଲା । ପ୍ରଥମଥର କାନପୁର ବୃହତ ଜଳଭଣ୍ଡାରରୁ ଜଳ ଛଡ଼ାଯିବାରୁ ତଳିଆ ଅଞ୍ଚଳ ଗାଁରେ ପାଣି ପଶିଛି ।  ଘର ଭୁଶୁଡ଼ି ପଡ଼ିବାରୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଜଣେ ବୃଦ୍ଧା ବୁଦୁନି ମୁଣ୍ଡାଙ୍କ ମୃତ୍ୟୁ ଘଟିଛି । ଯାଜପୁର ଜିଲ୍ଲା ଶିମିଳିଆ ଗାଁରେ ଜଣେ ବନ୍ୟା ପାଣିରେ ଭାସି ନିଖୋଜ ହୋଇଛନ୍ତି । ସେହିପରି ଯାଜପୁର ବ୍ଲକ୍‌ ଜାଫରପୁରର ଅଜୟ ସାହୁ ବନ୍ୟା ଜଳରେ ଭାସି ନିଖୋଜ ଅଛନ୍ତି । ବନ୍ୟାରେ ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ବଇଁଚା ପଞ୍ଚାୟତର ଜଣେ ଯୁବକ ଭାସି ଯାଇଛନ୍ତି । ୯ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଷୋଳମପୁର ଗାଁରେ ବନ୍ୟା ପାଣିରେ ଭାସି ଜଣଙ୍କ ମୃତ୍ୟୁ ହୋଇଛି । ତିହିଡ଼ି, ବାସୁଦେବପୁର, ଧାମନଗର, ଭଦ୍ରକ ଓ ଭଣ୍ଡାରିପୋଖରୀ ବ୍ଲକର ୭୨ଟି ପଞ୍ଚାୟତର ୩୨୨ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ଧାମନଗର ଏନଏସି, ଭଦ୍ରକ ପୌରପାଳିକା ଓ ଧୁଷୁରୀ ଏନଏସିର ୧୩ଟି ୱାର୍ଡ ପ୍ରଭାବିତ ହୋଇଛି । ବୈତରଣୀ ଓ ଏହାର ଶାଖା କାଣୀ ନଦୀରେ ବନ୍ୟା ଯୋଗୁ ଯାଜପୁରର କୋରେଇ, ଯାଜପୁର ଓ ଦଶରଥପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଦଶରଥପୁର ବ୍ଲକରେ ୧୨ଟି ପଞ୍ଚାୟତର ୨୯ଟି ରାଜସ୍ୱ ଗାଁ, ଯାଜପୁର ବ୍ଲକ ଅନ୍ତର୍ଗତ ୧୩ଟି ପଞ୍ଚାୟତର ୭୩ଟି ଗାଁ ଏବଂ କୋରେଇ ବ୍ଲକରେ ୬ଟି ପଞ୍ଚାୟତର ୨୦ଟି ଗାଁକୁ ମିଶାଇ ମୋଟ ୧୨୨ଟି ଗାଁ ପାଣି ଘେରରେ ରହିଛି । ଜିଲ୍ଲାର ପ୍ରାୟ ୨୫ହଜାର ୧୯୬ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ୧୧ହଜାର ୫୬୫ଜଣଙ୍କୁ ୩୭ଟି ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି । ମୋଟ ୭୫୯୬ଟି ଗୃହପାଳିତ ପ୍ରାଣୀ ପ୍ରଭାବିତ ହୋଇଛନ୍ତି । ୧୧ହଜାର ୪୯୭ ହେକ୍ଟର ଚାଷଜମି ବନ୍ୟା ଜଳରେ ବୁଡ଼ି ରହିଛି । ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି, ବେତନଟୀ, ବାରିପଦା, ଖୁଣ୍ଟା, କପ୍ତିପଦା, ଉଦଳା, କୁସୁମୀ, ବାହାଲଦା, ଠାକୁରମୁଣ୍ଡା, ଗୋପବନ୍ଧୁ ନଗର, ତିରିଂ, ବିଶୋଇ, ରାସଗୋବିନ୍ଦପୁର, ଶ୍ୟାମାଖୁଣ୍ଟା, ଶୁଳିଆପଦା, ବାଙ୍ଗରିପୋଷି, ରାଇରଙ୍ଗପୁର, ଯଶିପୁର, ଶୁକୃଳି ଏବଂ ରରୁଆଁ ସମେତ ୨୧ଟି ବ୍ଲକ୍‌ ପ୍ରଭାବିତ ହୋଇଛି । ୩୮ ଟି ପଞ୍ଚାୟତର ୪୬ ଗାଁରେ ପାଣି ପଶିଛି । ଉଦଳା ଏନ୍‌ଏସି ସମେତ ବାରିପଦା ପୌର ପରିଷଦର ୬ ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି । ଲଗାଣବର୍ଷାରେ ଉମରକୋଟ-ରାଇଘର ରାସ୍ତା ବେହାଲ ହୋଇଛି । ଉମରକୋଟ ବ୍ଲକ ବେହେଡ଼ା ଠାରେ ନିର୍ମିତ ଅସ୍ଥାୟୀ ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଛି । ଉମରକୋଟ-ରାଇଘର ଓ ପଡୋଶୀ ଛତିଶଗଡ଼ ମଧ୍ୟରେ ଯାତାୟାତ ବନ୍ଦ ହୋଇଯାଇଛି ।

ବର୍ଷା ବିତ୍ପାତରେ ଆକ୍ତାମାକ୍ତ ହୋଇଛି ପଶ୍ଚିମ ଓଡ଼ିଶା । ନୂଆପଡ଼ା ଏବଂ କୋମନା ବ୍ଲକ ଅଧିକ ପ୍ରଭାବିତ ହୋଇଛି । ସାରାବଙ୍ଗ ଓ ଆମାନାରା ମଧ୍ୟବର୍ତ୍ତୀ ପାବତୋଲା ପୋଲ ଭାଙ୍ଗିଯିବାରୁ ୩ ପଞ୍ଚାୟତର ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଛତିଶଗଡ଼ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏକ କୁକୁଡ଼ା ଫାର୍ମକୁ ପାଣି ପଶି ୩୩ ହଜାର କୁକୁଡ଼ା ମରିଯାଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିରର ପ୍ରମୁଖ ନଦୀ ଫୁଲିଉଠିଛି । ଜଳଭଣ୍ଡାର ଜଳସ୍ତର ବଢ଼ିବାରୁ ସୁକ୍‌ତେଲର ୭ଟି ଗେଟ୍‌ ଖୋଲାଯାଇଛି । ଆଗଲପୁର ବ୍ଲକ ସାଲେଭଟା-କୁଟାସିଂ ରେଳ ଓଭର ବ୍ରିଜ୍‌ ବୁଡ଼ିଯାଇଛି । ଟିଟିଲାଗଡ଼ ନିକଟସ୍ଥ ଉନ୍ଦେର ନଦୀରେ ବନ୍ୟା ଆସି ୧୩ ଜଣ ଚାଷୀ ପାଣି ଘେରରେ ରହିଛନ୍ତି । ବଲାଙ୍ଗୀରରୁ ଓଡ୍ରାଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିବାର ସୂଚନା ମିଳିଛି । ବୌଦ୍ଧରେ ମହାନଦୀ ପାଣି ମାଡ଼ି ଆସିବାରୁ ଧଳପୁର-ହରଭଙ୍ଗାକୁ ସଂଯୋଗ କରୁଥିବା ଜଗନ୍ନାଥ ସଡ଼କରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସମଲେଶ୍ୱରୀ ନାଳ ଉପରେ ବନ୍ୟାପାଣି ଚାଲିଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼-କଲମପୁର ରାସ୍ତା ବିଚ୍ଛିନ୍ନ ହୋଇଛି । ସୋନପୁର ତେଲନଦୀରେ ବନ୍ୟା ପାଣି ଆସିବାରୁ ନଦୀକୂଳିଆ ଗାଁରେ ପାଣି ପଶିଛି । ବରଗଡ଼ରେ ଲଗାଣ ବର୍ଷାରେ ସବୁ ୱାର୍ଡରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ସଦର ବ୍ଲକ ଚକରକେନ୍ଦ ଗାଁରେ ୫୦ ପ୍ରତିଶତ ଘର କ୍ଷତିଗ୍ରସ୍ତ ହୋଇଛି । ବରଗଡ଼-ଭେଡେନ କେନାଲ ହିଡ଼ ଧସିବାରୁ ଚାଷୀ ଆତଙ୍କିତ ହୋଇଛନ୍ତି । ପଦ୍ମପୁର ଅଙ୍ଗନଦୀ ପୋଲ ଉପରେ ପାଣି ଚାଲିଛି। ସମ୍ବଲପୁରରେ ଲଗାଣ ବର୍ଷାରେ ସହର ସ୍ଥିତି ଦୟନୀୟ ହୋଇଛି । ଶତାଧିକ ଘର ଭାଙ୍ଗିଛି । ହୀରାକୁଦରୁ ୨ ଗେଟ୍‌ରେ ଜଳ ନିଷ୍କାସିତ ହେଉଛି । ରେଢ଼ାଖୋଲ-ବୌଦ୍ଧ ରାସ୍ତା ଧୋଇଯାଇଛି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button