Flood Crisis : ରାଜ୍ୟରେ ବନ୍ୟା ବିତ୍ପାତ, ଜୀବନକୁ ବାଜି ଲଗାଇ ଚାଲିଛି ଉଦ୍ଧାର ଅଭିଯାନ, ୬୦ ଅଗ୍ନିଶମ ଟିମ୍ ଓ ୧୭ ଓଡ୍ରାଫ୍ ଟିମ୍ ନିୟୋଜିତ

ଭୁବନେଶ୍ୱର ୩୦/୦୭: ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଅଭିଯାନରେ ଜୀବନକୁ ବାଜି ଲଗାଇଛନ୍ତି ପୁଲିସ, ଅଗ୍ନିଯୋଦ୍ଧା ଓ ସ୍ୱେଚ୍ଛାସେବୀ । ବନ୍ୟାପ୍ଲାବିତ ଅଞ୍ଚଳରୁ ଲୋକ, ରୋଗୀ ଏବଂ ପଶୁଙ୍କୁ ଉଦ୍ଧାର କରୁଛନ୍ତି । ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ ସମ୍ବଲପୁର ଜିଲ୍ଲାରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଛି ।
ଅଗ୍ନିଶମ ବାହିନୀ ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ କହିବା ମୁତାବକ, ୬୦ଟି ଅଗ୍ନିଶମ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏଯାବତ୍ ୨୧୨ଜଣଙ୍କୁ ଉଦ୍ଧାର କରାଯାଇଛି । ମେଡିକାଲ, ବ୍ଲକ୍ ଭଳି ୪୫ଟି ସ୍ଥାନରୁ ପାଣି ନିଷ୍କାସନ କରାଯାଉଛି । ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଓଡ଼ିଶା ଡିଜାଷ୍ଟର ରାପିଡ୍ ଆକ୍ସନ୍ ଫୋର୍ସ (ଓଡ୍ରାଫ), ଓଡ଼ିଶା ସ୍ପେଶାଲ୍ ଆର୍ମଡ୍ ପୁଲିସ୍ (ଓଏସ୍ଏପି) ଏବଂ ଇଣ୍ଡିଆ ରିଜର୍ଭ ବାଟାଲିୟନ୍ (ଆଇଆରବି) ର ଯବାନମାନେ ଉଦ୍ଧାର ଚଳାଇଛନ୍ତି । ଓଡ୍ରାଫ୍ ଉଦ୍ଧାରକାରୀ ଦଳ ଏକ ଗ୍ରାମରେ ଅଣ୍ଟାଏ ପାଣିରେ ପଶି ଜଣେ ଶଯ୍ୟାଶାୟୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ସୁରକ୍ଷିତ ସ୍ଥାନକୁ ନେଇଛନ୍ତି । ରବର ବୋଟ୍ ଯୋଗେ ବନ୍ୟା ପାଣି ଘେରରୁ ମହିଳା, ଶିଶୁଙ୍କୁ ଆବଶ୍ୟକ ସାମଗ୍ରୀ ସହ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଗାଈ, ବାଛୁରୀ ଓ କୁକୁର ଭଳି ପଶୁମାନଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି । ଡଙ୍ଗା ସାହାଯ୍ୟରେ ଔଷଧ, ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ପହଞ୍ଚାଯାଉଛି ।
ସୂଚନା ଅନୁଯାୟୀ ଜୁଲାଇ ୨୯ ସୁଦ୍ଧା ମୋଟ ୧୭ଟି ଓଡ୍ରାଫ୍ ଟିମ୍ର ୫୩୪ ଜଣ କର୍ମଚାରୀ ୬ଟି ଜିଲ୍ଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଭଦ୍ରକ ଜିଲ୍ଲାରେ ୭ଟି, ଯାଜପୁର ଜିଲ୍ଲାରେ ୩ଟି, ମୟୂରଭଞ୍ଜ ଓ ସମ୍ବଲପୁରରେ ୨ଟି ଲେଖାଏଁ ଦଳ, ବାଲେଶ୍ୱରରେ ଗୋଟିଏ ଦଳ ମୁତୟନ ଅଛି । ଓଏସ୍ଏପି ଷଷ୍ଠ ବାଟାଲିୟନର ୨ଟି ଦଳ ଦେବଗଡ଼ ଓ ସମ୍ବଲପୁରରେ ସଜାଗ ଅଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ୪ ହଜାର ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇ ୫୮ଟି ବନ୍ୟା ଆଶ୍ରୟ ସ୍ଥଳରେ ଛଡ଼ାଯାଇଛି ।
ସୌଜନ୍ୟ ପ୍ରମେୟ




