Cyber fraud: ଆୟକର ରିଟର୍ଣ୍ଣରେ ବି ସାଇବର୍ ଠକେଇ: ଜାଲ୍ ୱେବ୍ସାଇଟ୍ ଲିଙ୍କ୍ରେ ଲୁଟି ନେଉଛନ୍ତି ଟଙ୍କା
କରଦାତାମାନେ ଆୟକର ରିଟର୍ଣ୍ଣ (ଆଇଟିଆର୍) ଦାଖଲ ସମୟରେ ସାଇବର ଅପରାଧୀମାନେ ଜାଲ୍ ୱେବ୍ସାଇଟ୍ ଏବଂ ହ୍ବାଟ୍ସଆପ୍ରେ ଏପିକେ ଫାଇଲ୍ ପଠାଇ ଜାଲରେ ଫସାଉଛନ୍ତି। ଏହା ଜରିଆରେ କରଦାତାଙ୍କ ବ୍ୟାଙ୍କିଙ୍ଗ ୟୁଜର୍ନେମ୍ ଓ ପାସୱାର୍ଡ ଚୋରି କରିବା ସହିତ ମୋବାଇଲ୍ ଓ କମ୍ପ୍ୟୁଟର ହ୍ୟାକ୍ କରୁଛନ୍ତି।

କଟକ: କରଦାତାମାନେ ଆୟକର ରିଟର୍ଣ୍ଣ (ଆଇଟିଆର୍) ଦାଖଲ ସମୟରେ ସାଇବର ଅପରାଧୀମାନେ ଜାଲ୍ ୱେବ୍ସାଇଟ୍ ଏବଂ ହ୍ବାଟ୍ସଆପ୍ରେ ଏପିକେ ଫାଇଲ୍ ପଠାଇ ଜାଲରେ ଫସାଉଛନ୍ତି। ଏହା ଜରିଆରେ କରଦାତାଙ୍କ ବ୍ୟାଙ୍କିଙ୍ଗ ୟୁଜର୍ନେମ୍ ଓ ପାସୱାର୍ଡ ଚୋରି କରିବା ସହିତ ମୋବାଇଲ୍ ଓ କମ୍ପ୍ୟୁଟର ହ୍ୟାକ୍ କରୁଛନ୍ତି। ଆୟକର ରିଟର୍ଣ୍ଣ ନାଁରେ ସାଇବର୍ ଠକମାନେ ଆରମ୍ଭ କରିଥିବା କାରନାମା ସମ୍ପର୍କରେ କ୍ରାଇମବ୍ରାଞ୍ଚ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ କରିଛି। ଠକମାନେ ହ୍ୱାଟ୍ସଆପ୍ରେ ଆୟକର କାର୍ଯ୍ୟାଳୟର ଏକ ଜାଲ୍ ଚିଠି ପଠାଉଛନ୍ତି। ଏହି ନୋଟିସ୍ଗୁଡ଼ିକରେ ସରକାରୀ ଲୋଗୋ ସହିତ ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖା, ଜାଲ୍ ରେଫରେନ୍ସ ନମ୍ବର ଏବଂ ଜଣେ ନକଲି ଆୟକର ଅଧିକାରୀଙ୍କ ଦସ୍ତଖତ ରହୁଛି। ଏହି ହ୍ୱାଟ୍ସଆପ୍ ମେସେଜ୍ଗୁଡ଼ିକରେ ITD.zip ନାଁରେ ଏକ ଫାଇଲରେ ଆସୁଛି। ଏହା କୌଣସି ଟିକସ ସମ୍ପର୍କିତ ଚିଠି ନୁହେଁ, ବରଂ ଏକ ଭାଇରସ୍। ଯଦି ଆଣ୍ଡ୍ରଏଡ୍ ଫୋନ୍ରେ ଏହି ଜିପ୍ ଫାଇଲ୍ କେହି ଖୋଲୁଛନ୍ତି, ତେବେ ଏହା ଏକ କ୍ଷତିକାରକ ‘ଆପ୍’କୁ ମୋବାଇଲରେ ଇନଷ୍ଟଲ୍ କରିଦିଏ। ଏହି ‘ଆପ୍’ ଗୁପ୍ତରେ କରଦାତାଙ୍କ ଏସ୍ଏମ୍ଏସ୍ ଓ ବ୍ୟାଙ୍କିଙ୍ଗ ଓଟିପି ପଢ଼ିପାରେ। ବ୍ୟାଙ୍କ ସମ୍ପର୍କିତ ଲଗ୍ଇନ୍, ପାସୱାର୍ଡ ବିବରଣୀ ଓ ଯୋଗାଯୋଗ ନମ୍ବର ଚୋରି କରିପାରେ। ମୋବାଇଲ ସହିତ କମ୍ପ୍ୟୁଟର ଓ ଲାପ୍ଟପ୍ ବ୍ୟବହାରକାରୀଙ୍କୁ ମଧ୍ୟ ITD_Tax_Notice.exe ନାମକ ଏକ ଭାଇରସ୍ ଫାଇଲ୍ ପଠାଯାଉଛି। ଆଣ୍ଟି-ଭାଇରସ୍ ଯାଞ୍ଚ ସମୟରେ ଯେଭଳି ଧରା ନ ପଡ଼ିବ ଏହାକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଅଫିସିଆଲ୍ ଆୟକର ପୋର୍ଟାଲ୍ ଭଳି ଦେଖାଯାଉଥିବା ନକଲି ୱେବ୍ସାଇଟ୍ ବି ପ୍ରସ୍ତୁତ ହୋଇଛି। ଏହି ୱେବ୍ସାଇଟ୍ଗୁଡ଼ିକରେ ନକଲି ଜରିମାନା ନୋଟିସ୍ ଦେଖାଯାଏ। ବ୍ୟବହାରକାରୀଙ୍କୁ ଡାଉନ୍ଲୋଡ୍ ବଟନ୍ ଉପରେ କ୍ଲିକ୍ କରିବାକୁ କୁହାଯାଏ, ଯାହା ପ୍ରକୃତରେ ଆପଣଙ୍କ କମ୍ପ୍ୟୁଟରରେ ଭାଇରସ୍ ଡାଉନଲୋଡ୍ କରିଦିଏ।
ସୌଜନ୍ୟ ସମ୍ବାଦ




