Farmer: ଚାଷୀ ରାଗିଲେ, ସରକାର ନରମିଲେ: ଏଗ୍ରିଷ୍ଟାକ୍ ବିନା ଧାନ ବିକିପାରିବେ, ବସିଲା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ
ଏବେ ଏଗ୍ରିଷ୍ଟାକ୍ ପଞ୍ଜୀକରଣକୁ ନେଇ ଚାଷୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚଳିତବର୍ଷ ମଣ୍ଡିରେ ଧାନ ବିକିବା ପାଇଁ ଚାଷୀଙ୍କୁ ଏଗ୍ରିଷ୍ଟାକ୍ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ନୁହେଁ।

ଭୁବନେଶ୍ୱର: ଏବେ ଏଗ୍ରିଷ୍ଟାକ୍ ପଞ୍ଜୀକରଣକୁ ନେଇ ଚାଷୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚଳିତବର୍ଷ ମଣ୍ଡିରେ ଧାନ ବିକିବା ପାଇଁ ଚାଷୀଙ୍କୁ ଏଗ୍ରିଷ୍ଟାକ୍ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ନୁହେଁ। ଯେଉଁ ଚାଷୀ ପଞ୍ଜୀକରଣ କରିବେ ତାଙ୍କୁ ଟୋକନ୍ ମିଳିବ। ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଖରିଫ ମାର୍କେଟିଂ ଋତୁ ୨୦୨୬-୨୭ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜୀକରଣ ସଂକ୍ରାନ୍ତ ଆଲୋଚନାରୁ ଜଣାପଡ଼ିଛି ଯେ ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ଏଗ୍ରିଷ୍ଟାକ୍ ପଞ୍ଜୀକରଣ ଚାଲିବ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୬ଲକ୍ଷ ଚାଷୀ ପଞ୍ଜୀକୃତ କରିଛନ୍ତି। ସବୁ ଚାଷୀଙ୍କର ପଞ୍ଜୀକରଣ କରିବାକୁ କୃଷି ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ। ଏଥିରେ ପଞ୍ଜୀକରଣ କଲେ ଏକ ସମନ୍ବିତ କୃଷକ ପ୍ଲାଟଫର୍ମରେ ଚାଷୀଙ୍କ ସମସ୍ତ ତଥ୍ୟ ଏକୀକୃତ ହୋଇ ରହିବ। ଚାଷୀ ଏକ ଅନନ୍ୟ ଆଇଡି ନମ୍ବର ପାଇବ। କମିଟି ପକ୍ଷରୁ କୁହାଯାଇଛି ଯେ ଚଳିତବର୍ଷ ଅନ୍ତତଃ ୫୦% ଚାଷୀଙ୍କୁ ପଞ୍ଜୀକୃତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ କୃଷି ଓ କୃଷକ ସଶକ୍ତୀକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ।
ବସିଲା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ
ଭାଗଚାଷୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ
ସୌଜନ୍ୟ ସମ୍ବାଦ




