ଖେଳ

ଭାରତୀୟ ଡେଭିସ୍‌ କପ୍ ଦଳ ଘୋଷିତ

ନୂଆଦିଲ୍ଲୀ : ବିଶ୍ବ ଦଳଗତ ଟେନିସ୍‌ ଚମ୍ପିଆନ୍‌ସିପ ଡେଭିସ୍‌ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଘରୋଇ ଦକ୍ଷିଣ କୋରିଆ ବିପକ୍ଷ​‌େ​‌ର ସିଓଲରେ ସେପ୍ଟେମ୍ବର ୧୮ ଓ ୧୯ରେ ଭାରତ ଡେଭିସ୍‌ କପ୍‌ର ୨ୟ ରାଉଣ୍ଡ ଖେଳିବ। ଏହି ମୁକାବିଲା ହାର୍ଡକୋର୍ଟରେ ଖେଳାଯିବ। ଏହି ମୁକାବିଲା ପାଇଁ ଭାରତୀୟ ଦଳରେ ନବାଗତ ଖେଳାଳି ମାନସ ଧାମ୍‌ନେ ସାମିଲ ହୋଇଛନ୍ତି। ୧୮ ବର୍ଷ ବୟସ୍କ ମାନସ ୫-ଜଣିଆ ଭାରତୀୟ ଦଳର ସର୍ବକନିଷ୍ଠ ଖେଳାଳି। ବିଶ୍ବ ମାନ୍ୟତାର ୩୬୨ ସ୍ଥାନରେ ଥିବା ମାନସ ଧାମ୍‌ନେ ଜଣେ ସିଙ୍ଗଲ୍‌ସ ବିଶେଷଜ୍ଞ। ଅଧିନାୟକ ରୋହିତ ରାଜପାଲଙ୍କ ଦ୍ବାରା ଘୋଷିତ ଏହି ଦଳରେ ଥିବା ଅନ୍ୟ ସିଙ୍ଗଲ୍‌ସ ଖେଳାଳି ହେଲେ ସୁମିତ ନାଗଲ (୨୩୫) ଓ ଦକ୍ଷିଣେଶ୍ବର (୩୯୩)। ଡବଲ୍‌ସ ଖେଳିବାକୁ ଥିବା ଦୁଇ ଖେଳାଳି ୟୁକି ଭାମ୍ବ୍ରିଙ୍କ ବିଶ୍ବ ମାନ୍ୟତା ୨୮ ଓ ଏନ୍‌. ଶ୍ରୀରାମ ବାଲାଜୀଙ୍କ ବିଶ୍ବ ମାନ୍ୟତା ୫୭ ରହିଛି। ଅତିରିକ୍ତ ଖେଳାଳି ଭାବେ ରହିଛନ୍ତି ସିଦ୍ଧାର୍ଥ ରାୱତ ଓ ଅର୍ଣ୍ଣବ ପାପରକର। ଗତ ଫେବୃଆରୀରେ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳ ନେଦରଲାଣ୍ଡ୍‌ସକୁ ୩-୨ ମ୍ୟାଚ୍‌ରେ ହରାଇ ଭାରତ ୨ୟ ରାଉଣ୍ଡରେ ପହଞ୍ଚିଛି। ଉକ୍ତ ମ୍ୟାଚ୍‌ରେ ଭାରତ ପାଇଁ ହିରୋ ଥିଲେ ୬ ଫୁଟ୍‌ ୫ ଇଞ୍ଚ୍‌ ଉଚ୍ଚତାର ଦକ୍ଷିଣେଶ୍ବର। ଉଭୟ ସିଙ୍ଗଲ୍‌ସ ଦକ୍ଷିଣେଶ୍ବର ଜିତିବା ପରେ ୟୁକି ଭାମ୍ବ୍ରିଙ୍କ ସହ ମିଶି ଡବଲ୍‌ସ ମଧ୍ୟ ଜିତିଥିଲେ। ଡେଭିସ୍‌ କପ୍‌ ନୂଆ ଫର୍ମାଟରେ ଖେଳାଯିବା ପରେ ଭାରତ ପ୍ରଥମଥର ୨ୟ ରାଉଣ୍ଡ ଖେଳିବାକୁ ଯାଉଛି। ଦକ୍ଷିଣ କୋରିଆ ମଧ୍ୟ ବଡ଼ ବିପର୍ଯ୍ୟୟ ଘଟାଇ ୨ୟ ରାଉଣ୍ଡରେ ପହଞ୍ଚିଛି। ବୁସାନ୍‌ରେ ଉକ୍ତ ମୁକାବିଲାରେ ୨୦୧୬ର ଚମ୍ପିଆନ୍ ଆର୍ଜେଣ୍ଟିନାକୁ ୩-୨ରେ କୋରିଆ ପରାସ୍ତ କରିଥିଲା। ମ୍ୟାଚ୍‌ରେ କୋରିଆର କ୍ବୋନ୍ ସୁନ୍‌ଉ ଭଲ ପ୍ରଦର୍ଶନ କରିଥିଲେ। ଭାରତ-କୋରିଆ ମଧ୍ୟରେ କଡ଼ା ମୁକାବିଲା ହେବ। ଭାରତର ବିଶ୍ବ ମାନ୍ୟତା ୧୯ ଥିବା ବେଳେ କୋରିଆ ୧୬ଶ ସ୍ଥାନରେ ରହିଛି। ଉଭୟ ଦଳଙ୍କ ମୁକାବିଲାରେ କୋରିଆ ୬-୫ରେ ଆଗୁଆ ରହିଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button