ମାତ୍ର ଦୁଇ ହଜାର ଟଙ୍କାରେ ଏସି “ଟେରାକୋଲ୍ଡ’, ଖରାଦିନେ ଥଣ୍ଡା… ଶୀତଦିନେ ଗରମ କରିବ ଘର

ବୁର୍ଲା ୧୩/୦୮ (ଜ୍ୟୋତିପ୍ରକାଶ ପାଣିଗ୍ରାହୀ): ଖରାଦିନେ ତତଲା ପିଣ୍ଡରେ ପରିଣତ ହେଉଛି ଓଡ଼ିଶା । ଅସହ୍ୟ ଗ୍ରୀଷ୍ମପ୍ରବାହ ପଶ୍ଚିମ ଓଡ଼ିଶାବାସୀଙ୍କୁ ଯମ ଯନ୍ତ୍ରଣା ଦେଉଛି । ପଙ୍ଖା କି କୁଲର କିଛି କାମ ଦେଉନି । ଏଭଳି ସମୟରେ ଗରିବ ଓ ମଧ୍ୟବିତ୍ତ ପରିବାରକୁ ସୁଲଭ ଦରରେ ଏସି ଅନୁଭୂତି ଦେବାକୁ ଅଭିନବ ପ୍ରୟାସ କରିଛନ୍ତି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) ର ମେକାନିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡ. ପାଣ୍ଡବ ପାତ୍ର । ବି. ଟେକ୍ ଛାତ୍ରଛାତ୍ରୀଙ୍କ ସହଯୋଗରେ ସେ ପ୍ରସ୍ତୁତ କରିଛନ୍ତି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା “ଟେରାକୋଲ୍ଡ’³ ଯେଉଁଥିରେ ଖର୍ଚ୍ଚ ହୋଇଛି ମାତ୍ର ଦୁଇ ହଜାର ଟଙ୍କା ।
ଲାଟିନ୍ ଶବ୍ଦ “ଟେରା’ରୁ ଆସିଛି “ଟେରାକୋଲ୍ଡ’³ ଯାହାର ଅର୍ଥ ମାଟି ବା ପୃଥିବୀ । ବାହାର ତାପମାତ୍ରା ତୁଳନାରେ ମାଟି ଆଭ୍ୟନ୍ତରର ତାପମାତ୍ରା ଅଧିକ ସ୍ଥିର । ଏହି ପ୍ରାକୃତିକ ବୈଶିଷ୍ଟ୍ୟକୁ “ଟେରାକୋଲ୍ଡ’ରେ ବ୍ୟବହାର କରାଯାଇଛି । ତାପ ପରିବହନର “କଣ୍ଡକ୍ସନ୍’ ଓ “କନଭେକ୍ସନ୍’ ସିଦ୍ଧାନ୍ତ ଉପରେ ଏହା କାର୍ଯ୍ୟ କରୁଛି । ଏଥିରେ ବ୍ୟବହୃତ ଶସ୍ତା ବ୍ଲୋୟର ବାହାରର ଗରମ ପବନକୁ ଟାଣି ନେଇଥାଏ । ପ୍ରାୟ ୧୦ ଫୁଟ୍ ଲମ୍ୱର “ଏସ୍’ ଆକୃତିର ଧାତବ ଜିଆଇ ପାଇପ୍ ମଧ୍ୟ ଦେଇ ସେହି ପବନ ପ୍ରବାହିତ ହୋଇଥାଏ । ପାଇପ୍ ଗୁଡ଼ିକ ମାଟି ତଳେ ପ୍ରାୟ ୩ ଫୁଟ ଗଭୀରରେ ପୋତାଯାଇଥାଏ । ଗରମ ପବନ ପାଇପ୍ ମଧ୍ୟ ଦେଇ ଯିବା ସମୟରେ ମାଟି ତାହାର ତାପ ଶୋଷି ନେଇଥାଏ । ଶୀତଳ ହୋଇଯାଇଥିବା ପବନକୁ ଏୟାର ଡିଫ୍ୟୁଜର୍ ମାଧ୍ୟମରେ ଘର ଭିତରକୁ ପଠାଯାଏ । ଏହି ଶସ୍ତା ଏସି ପ୍ରସ୍ତୁତିରେ ଖର୍ଚ୍ଚ ହୋଇଛି ମାତ୍ର ୨ ହଜାର ଟଙ୍କା । ଏଥିରେ ପରିତ୍ୟକ୍ତ ସାମଗ୍ରୀ ମଧ୍ୟ ବ୍ୟବହାର କରାଯାଇଛି ।
ସୌଜନ୍ୟ ପ୍ରମେୟ




