OUAT : ବଢ଼ିବ ଓୟୁଏଟି କଳେବର ,ରାଜ୍ୟରେ ଖୋଲିବ ୪ ନୂଆ କଲେଜ
ବଢ଼ିବ ଓୟୁଏଟି କଳେବର । ଅଧିକରୁ ଅଧିକ ଚାଷୀଙ୍କୁ ସାହାଯ୍ୟ କରିବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତି କରି ଚାଲିଛନ୍ତି ଓୟୁଏଟି କର୍ତ୍ତୃପକ୍ଷ । ରାଜ୍ୟରେ ଖୋଲିବ ୪ ନୂଆ କଲେଜ ।

ଭୁବନେଶ୍ୱର,୧୩ \୮ : ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଗଢ଼ା ଯାଇଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଦିନକୁ ଦିନ କଳେବର ବୃଦ୍ଧି କରି ଚାଲିଛି । ଅଧିକରୁ ଅଧିକ ଚାଷୀଙ୍କୁ ସାହାଯ୍ୟ କରିବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତି କରି ଚାଲିଛନ୍ତି ଓୟୁଏଟି କର୍ତ୍ତୃପକ୍ଷ । ଆଉ ସେଥିରେ ମୋହର ମାରୁଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ଏବେ ଏଥିରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହେବ । ଓୟୁଏଟି ରାଜ୍ୟର ୪ଟି ସ୍ଥାନରେ ଖୋଲିବ ନୂଆ କଲେଜ । ସେଥି ମଧ୍ୟରୁ ୨ଟି କୃଷି ମହାବିଦ୍ୟାଳୟ, ଗୋଟିଏ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ଓ ଗୋଟିଏ ମତ୍ସ୍ୟ ମହାବିଦ୍ୟାଳୟ । ମୟୂରଭଞ୍ଜରେ ୬୦ ସିଟ୍ ବିଶିଷ୍ଟ କୃଷି ମହାବିଦ୍ୟାଳୟ ହେବ । ସେହି ମହାବିଦ୍ୟାଳୟରେ ଚଳିତବର୍ଷରୁ ପାଠପଢ଼ା ଆରମ୍ଭ ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନାମଲେଖା ଆରମ୍ଭ ହେବା ସହିତ ଉଭୟ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ବି ଜାରି ରହିଛି । ସମସ୍ତ କଲେଜ ଭଳି ଏଠାରେ ବି ଡିନ୍ଠୁ ଆରମ୍ଭ କରି ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, କିରାଣି, ପିଅନ୍, ଲାଇବ୍ରେରିଆନ୍ ନିଯୁକ୍ତ ହେବେ ବୋଲି କୁଳସଚିବ ପ୍ରତିଭା ଦୋରା ସୂଚନା ଦେଇଛନ୍ତି ।
ସେହିପରି ଚଳିତବର୍ଷରୁ ସମ୍ବଲପୁର ଜିଲ୍ଲାର ଚିପିଲିମା ନିକଟରେ ଥିବା କଳାମାଟି ଗାଁରେ ହେବ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ । ପୂର୍ବରୁ ଚିପିଲିମାରେ କୃଷି ମହାବିଦ୍ୟାଳୟ ଥିବା ବେଳେ ପୁଣି ଏଠାରେ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ନିର୍ମାଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଚିପିଲିମାରେ ଥିବା ଗୋଶାଳାରେ ଅସ୍ଥାୟୀ ଭାବେ କଲେଜ ଚାଲିବ । ଏହି କଲେଜ ଖୋଲିବା ପାଇଁ ଭାରତୀୟ ପ୍ରାଣୀ ଚିକିତ୍ସା ପରିଷଦ(ଭେଟେରିନାରୀ କାଉନସିଲ୍ ଅଫ୍ ଇଣ୍ଡିଆ)ର ଅନୁମତି ଲୋଡ଼ାଯାଇଛି । ଏହା ମିଳିବା ପରେ ଚଳିତବର୍ଷରୁ ପାଠପଢ଼ା ଆରମ୍ଭ ହେବା ସହିତ ଉଭୟ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ।
ସୌଜନ୍ୟ ପ୍ରମେୟ




