ଲାବ୍ରେ ତିଆରି ହେଉଛି ‘ମିନି-ବ୍ରେନ୍’: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୧୪ା୮:ଶରୀରର ଛୋଟ ଚର୍ମ କୋଷିକାରୁ ମାନବ ମସ୍ତିଷ୍କର ଜୀବନ୍ତ ଟିସୁ ପ୍ରସ୍ତୁତ କରିବା ଆଉ କେବଳ କଳ୍ପନା କିମ୍ବା ବିଜ୍ଞାନ କାହାଣୀରେ ସୀମିତ ହୋଇରହିନାହିଁ। ଆମେରିକା ଏବଂ ଅଷ୍ଟ୍ରେଲିଆର ବିଜ୍ଞାନାଗାର (ଲାବ୍)ରେ ଗବେଷକମାନେ ସଫଳତାର ସହ ‘ବ୍ରେନ୍ ଅର୍ଗାନଏଡ୍’ ତଥା ‘ମିନି-ବ୍ରେନ୍’ ପ୍ରସ୍ତୁତ କରୁଛନ୍ତି। ମେଡିକାଲ ଗବେଷଣାରୁ ଆରମ୍ଭ ହୋଇଥିବା ଏହି ବୈପ୍ଳବିକ ପ୍ରଯୁକ୍ତିବିଦ୍ୟା ଏବେ ‘ବାୟୋଲୋଜିକାଲ କମ୍ପ୍ୟୁଟିଂ’ ଦିଗରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ଗବେଷକମାନେ ମଣିଷର ତ୍ୱଚା କୋଷିକାକୁ ସଂଗ୍ରହ କରି ସେଗୁଡ଼ିକୁ ‘ଷ୍ଟେମ ସେଲ୍’ରେ ରୂପାନ୍ତରିତ କରୁଛନ୍ତି। ପରେ ଏହି ସେଲ୍ଗୁଡ଼ିକୁ ମସ୍ତିଷ୍କର ‘ନ୍ୟୁରୋନ୍’ରେ ପରିଣତ କରାଯାଉଛି। ଏହି ନ୍ୟୁରୋନ୍ଗୁଡ଼ିକ ସ୍ବୟଂ ସଂଗଠିତ ହୋଇ ୩ଡି ଗଠନଶୈଳୀ ବା ‘ବ୍ରେନ୍ ଅର୍ଗାନଏଡ୍’ ରୂପ ନେଉଛନ୍ତି। ଏଥିରେ ଥିବା ଜୀବନ୍ତ ନ୍ୟୁରୋନ୍ଗୁଡ଼ିକ ବୈଦ୍ୟୁତିକ ସଙ୍କେତ ମାଧ୍ୟମରେ ପରସ୍ପର ସହ ଯୋଗାଯୋଗ କରିବାରେ ସକ୍ଷମ ହେଉଛନ୍ତି। ଆଲଜାଇମର, ପାର୍କିନ୍ସନ୍ସ୍ସ ଏବଂ ଅନ୍ୟାନ୍ୟ ଜଟିଳ ସ୍ନାୟୁଗତ ସମସ୍ୟାର ଠିକ କାରଣ ଓ ଚିକିତ୍ସା ସନ୍ଧାନ କରିବାରେ ଏହି ଅର୍ଗାନଏଡ୍ ଅତ୍ୟନ୍ତ ସହାୟକ ହେଉଛି। ଔଷଧ ପରୀକ୍ଷା ପାଇଁ ପ୍ରାଣୀମାନଙ୍କ ଉପରେ ନିର୍ଭରଶୀଳତା କମାଇବା ଏବଂ ମାନବ ଶରୀରରେ ଔଷଧର ଠିକ୍ ପ୍ରଭାବ ଜାଣିବା ପାଇଁ ଏହା ଏକ ବିକଳ୍ପ ସାଜିଛି। ମାନବ-କୋଷିକା ଆଧାରିତ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଆମେରିକାର ସ୍ବାସ୍ଥ୍ୟ ସଂସ୍ଥା (ଏନ୍ଆଇଏଚ୍) ୨୦୨୫ ଏବଂ ୨୦୨୬ରେ ନୂତନ ଅର୍ଗାନଏଡ୍ ସେଣ୍ଟର ପାଇଁ ବିପୁଳ ଆର୍ଥିକ ଅନୁଦାନ ଘୋଷଣା କରିସାରିଛି। ଫଳରେ ଜନ୍ସ ହପ୍କିନ୍ସ ବିଶ୍ୱବିଦ୍ୟାଳୟ ଏବଂ ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭଳି ବିଶ୍ୱପ୍ରସିଦ୍ଧ ଗବେଷଣାଗାରଗୁଡ଼ିକରେ ‘ବ୍ରେନ୍ ଅର୍ଗାନଏଡ୍’ ଓ ‘ଅର୍ଗାନଏଡ ଇଣ୍ଟେଲିଜେନ୍ସ’ (ଓଆଇ) ଉପରେ ବ୍ୟାପକ ଗବେଷଣା ଚାଲିଛି। ସେହିପରିଅଷ୍ଟ୍ରେଲିଆର ‘କୋର୍ଟିକାଲ ଲାବ୍ସ’ର ଗବେଷକମାନେ ଜୀବନ୍ତ ମାନବ ନ୍ୟୁରୋନ୍କୁ ଇଲେକ୍ଟ୍ରୋଡ୍ ସହ ଯୋଡ଼ି ‘ଡିସ୍ବ୍ରେନ୍’ ନାମକ ସିଷ୍ଟମ ତିଆରି କରିଥିଲେ। ଏହି ଜୀବନ୍ତ କୋଷିକାଗୁଡ଼ିକ ବୈଦ୍ୟୁତିକ ସଙ୍କେତ ଗ୍ରହଣ କରି ସିମୁଲେଟେଡ ‘ପଙ୍ଗ୍’ ଏବଂ ପରବର୍ତ୍ତୀ ସମୟରେ ‘ଡୁମ୍’ ଭଳି କ୍ଲାସିକ ଭିଡିଓ ଗେମ୍ ଖେଳିବାରେ ସଫଳ ହୋଇଛନ୍ତି। ବିଜ୍ଞାନ ଭାଷାରେ ଏହାକୁ ‘ସିନ୍ଥେଟିକ ବାୟୋଲୋଜିକାଲ ଇଣ୍ଟେଲିଜେନ୍ସ’ କୁହାଯାଉଛି। ପ୍ରଚଳିତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କେବଳ ସିଲିକନ୍ ଚିପ୍ ଏବଂ କମ୍ପ୍ୟୁଟର କୋଡ୍ ଉପରେ ଚାଲୁଥିବାବେଳେ ଏବେ ‘ଅର୍ଗାନଏଡ୍ ଇଣ୍ଟେଲିଜେନ୍ସ’ (ଓଆଇ) ମାଧ୍ୟମରେ ଜୀବନ୍ତ କୋଷିକାକୁ କମ୍ପ୍ୟୁଟର ପ୍ରୋସେସର ଭାବେ ବ୍ୟବହାର କରିବାର ପ୍ରୟାସ ଚାଲିଛି।
ସୌଜନ୍ୟ ଧରିତ୍ରୀ




