Life Mantra: ଜୀବନ-ମନ୍ତ୍ର: ଅନ୍ତରରେ ଦିବ୍ୟସତ୍ତାର ବିକାଶ ହିଁ ପ୍ରକୃତ ଭକ୍ତି
ଅଗଷ୍ଟ ମାସର ୧୫ ତାରିଖ ଶ୍ରୀଅରବିନ୍ଦଙ୍କର ପବିତ୍ର ଜନ୍ମଦିନ। ଏହି ଦିନଟି ମଧ୍ୟ ସ୍ୱାଧୀନ ଭାରତବର୍ଷର ଜନ୍ମଦିନ। ଶ୍ରୀଅରବିନ୍ଦ ଥିଲେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ। ସେ ଭାରତକୁ ସ୍ୱାଧୀନ କରିବା ପାଇଁ ଇଂରେଜ ଶାସନ ବିରୋଧରେ ଲଢ଼ିଥିଲେ।

ଅଗଷ୍ଟ ମାସର ୧୫ ତାରିଖ ଶ୍ରୀଅରବିନ୍ଦଙ୍କର ପବିତ୍ର ଜନ୍ମଦିନ। ଏହି ଦିନଟି ମଧ୍ୟ ସ୍ୱାଧୀନ ଭାରତବର୍ଷର ଜନ୍ମଦିନ। ଶ୍ରୀଅରବିନ୍ଦ ଥିଲେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ। ସେ ଭାରତକୁ ସ୍ୱାଧୀନ କରିବା ପାଇଁ ଇଂରେଜ ଶାସନ ବିରୋଧରେ ଲଢ଼ିଥିଲେ। ତାଙ୍କର ଏକ ପ୍ରସିଦ୍ଧ ଉକ୍ତି ଥିଲା– ସ୍ୱାଧୀନତା ହେଉଛି ଗୋଟିଏ ଜାତିର ପ୍ରଥମ ଆବଶ୍ୟକତା। କିନ୍ତୁ ଭାରତର ରାଜନୈତିକ ସ୍ୱାଧୀନତା ତାଙ୍କର ଏକମାତ୍ର ଲକ୍ଷ୍ୟ ନ ଥିଲା। ସେ ଚାହୁଁଥିଲେ ଭାରତ ଜାତୀୟ, ସାମାଜିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ମୁକ୍ତ ଓ ସ୍ୱାଧୀନ ହେଉ।
ଏଣୁ ଶ୍ରୀଅରବିନ୍ଦଙ୍କ ଜୀବନ ଓ ଚିନ୍ତନରେ, ସ୍ବାଧୀନତା କେବଳ ବିଦେଶୀ ଶାସନରୁ ମୁକ୍ତିର ନାମ ନ ଥିଲା। ଏହା ଥିଲା ମଣିଷର ଓ ଜାତିର ସମ୍ପୂର୍ଣ୍ଣ ମୁକ୍ତିର ଏକ ମହାନ ଆଦର୍ଶ। ତାଙ୍କ ଦୃଷ୍ଟିରେ ଭାରତର ସ୍ୱାଧୀନତା ଥିଲା ସବୁ ଭାରତୀୟଙ୍କର ଜନ୍ମସିଦ୍ଧ ଅଧିକାର। ଏହା କେବଳ ଶାସନର ପରିବର୍ତ୍ତନ ନ ଥିଲା, ଏହା ଥିଲା ନିଜର ଭାଗ୍ୟ ନିଜେ ନିର୍ଦ୍ଧାରଣ କରିବାର ଅଧିକାର। ସ୍ବାଭାବିକ ଭାବରେ ଭାରତର ସ୍ୱାଧୀନତା ଥିଲା ଶ୍ରୀଅରବିନ୍ଦଙ୍କର ପ୍ରଥମ ଲକ୍ଷ୍ୟ। କିନ୍ତୁ ତାହା ଥିଲା ଏକ ବଡ଼ ଲକ୍ଷ୍ୟର ପ୍ରଥମ ପଦକ୍ଷେପ। ସେ ବିଶ୍ୱାସ କରୁଥିଲେ– ମନୁଷ୍ୟ ଯଦି ଭୟ, ଅଜ୍ଞତା, ପରାଧୀନ ମାନସିକତା ଓ ସ୍ୱାର୍ଥର ବନ୍ଧନରୁ ମୁକ୍ତ ନ ହୁଏ, ତେବେ ତା’ର ଏହି ବାହ୍ୟ ସ୍ୱାଧୀନତା ଅସମ୍ପୂର୍ଣ୍ଣ। ତେଣୁ ଶ୍ରୀଅରବିନ୍ଦଙ୍କ ସ୍ୱାଧୀନତାର ଚିନ୍ତନରେ ଆତ୍ମଶକ୍ତି, ଆତ୍ମବିକାଶ, ନୈତିକତା ଓ ଆଧ୍ୟାତ୍ମିକ ଉନ୍ନତିର ବିଶେଷ ସ୍ଥାନ ଥିଲା।
ଶ୍ରୀଅରବିନ୍ଦ ତାଙ୍କର ରାଜନୈତିକ ଜୀବନରେ ପୂର୍ଣ୍ଣ ସ୍ୱାଧୀନତାର ଦାବି କରିଥିଲେ। ସେ ଦୃଷ୍ଟିରୁ ସେ ଥିଲେ ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ। କିନ୍ତୁ ପରବର୍ତ୍ତୀ କାଳରେ ସେ ଆଧ୍ୟାତ୍ମିକ ସାଧନା କରି ଏହାର ଅର୍ଥକୁ ଆହୁରି ଗଭୀର କରିଦେଲେ। ଅନ୍ତର୍ନିହିତ ଦିବ୍ୟସତ୍ତାର ବିକାଶ ହିଁ ଥିଲା ତାଙ୍କ ଦୃଷ୍ଟିରେ ମଣିଷର ଚରମ ମୁକ୍ତି। ଆଜିର ସମୟରେ ଶ୍ରୀଅରବିନ୍ଦଙ୍କର ଏହି ସ୍ୱାଧୀନତା-ଚିନ୍ତନ ଅଧିକ ପ୍ରାସଙ୍ଗିକ। କାରଣ, ଆମେ ଆଜିକୁ ପ୍ରାୟ ଆଠ ଦଶନ୍ଧି ଧରି ରାଜନୈତିକ ଦୃଷ୍ଟିରୁ ସ୍ୱାଧୀନ ହୋଇଥିଲେ ମଧ୍ୟ, ଭୟ, ଅନ୍ଧବିଶ୍ୱାସ, ଘୃଣା, ଅସହିଷ୍ଣୁତା, ଲୋଭ ଓ ପରାଧୀନ ମାନସିକତାରୁ ମୁକ୍ତ ନୋହୁଁ। ଏଣୁ ଆଜି ସେ କହିଯାଇଥିବା ଗୋଟିଏ କଥା ସ୍ମରଣକୁ ଆସେ। ତାହା ହେଉଛି– କେବଳ ବାହାରର ଶୃଙ୍ଖଳ ଭାଙ୍ଗିବା ସ୍ୱାଧୀନତା ନୁହେଁ, ଅନ୍ତରର ଶୃଙ୍ଖଳ ଭାଙ୍ଗିବା ମଧ୍ୟ ସ୍ୱାଧୀନତା। ଶ୍ରୀଅରବିନ୍ଦଙ୍କର ଏହି ସ୍ୱାଧୀନତା-ଚିନ୍ତନ ଆମ ସମାଜ ତଥା ଆଜିର ଯୁବପିଢ଼ି ପାଇଁ ଏକ ପ୍ରେରଣା ହେବା ହିଁ ଆଜି ସବୁଠୁ ବଡ଼ ଆବଶ୍ୟକତା।
ସୌଜନ୍ୟ ସମ୍ବାଦ




